ମୋହନା : ତପ୍ତପାଣି ଘାଟିରେ ଗାଡି ଦୁର୍ଘଟଣା ଥମିବାର ନାଁ ଧରୁନି। ମାସକ ମଧ୍ୟରୁ ଚାରି ରୁ ପାଞ୍ଚ ଥର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଏଥିପ୍ରତି ପ୍ରଶାସନ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ଦରକାର ବୋଲି ସାଧାରଣରେ ଦାବି ହେଉଛି। ରବିବାର ରାୟଗଡା ଜିଲ୍ଲା ନିକଟ ଜେକେ ପେପର ମିଲ୍ରୁ ପେପର ଲୋଡ଼ କରି ଏକ ୧୨ ଚକିଆ ଟ୍ରକ୍ କଟକ ଅଭିମୁଖେ ଯାଉଥିବାବେଳେ ତପ୍ତପାଣି ଘାଟିର ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗାଡ଼ି ଭିତରେ ଚାଳକ ଚାପିହୋଇ ରହିଯାଇଥିଲେ। ଏହି ସମୟରେ ଦେବଦୂତ ସାଜି ପହଞ୍ଚିଥିଲେ ଜଣେ ଡାକ୍ତର । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡ. ଏମ୍. ଶିବରାମ ଓ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡ. ସୁଶିଲ କୁମାର ନାୟକ ବ୍ରହ୍ମପୁର ଯାଉଥିବାବେଳେ ଦୁର୍ଘଟଣାସ୍ଥଳରେ ଅଟକି ଯାଇଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ ଚାପି ହୋଇ ରହି ଛଟପଟ ହେଉଥିବା ବିହାର ରାଜ୍ୟର ଟ୍ରକ୍ ଡ୍ରାଇଭର ମୁସ୍ତାପ ଖାନ୍(୫୫)କୁ ଦେଖି ଡାକ୍ତର ଦୁଇ ଜଣ କାର ଅଟକାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲେ । ୧୦୮ ଆମ୍ବୁଲାନ୍ସ ଓ ପୁଲିସକୁ ମଧ୍ୟ ଖବର ଦେଇଥିଲେ। ଘଟଣାସ୍ଥଳରେ ୧୦୮ ପହଞ୍ଚି ମୁସ୍ତାପକୁ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିବାପରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
Popular Categories



