www.samajalive.in
Wednesday, December 10, 2025
17.1 C
Bhubaneswar

ଭତ୍ତା ପାଇଲି ସାତଶହ, ପାଇବାକୁ ଦେଲି ପାଞ୍ଚଶହ…ଆର୍ଥିକ ଅନଟନ ଓ ପରିସ୍ଥିତିର ଦାସ ପାଲଟିଛନ୍ତି ଡୋଲାମଣି

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ପତ୍ରାପାଳିର ବାସିନ୍ଦା ଡୋଲାମଣି ଭୂଏ। ବୟସ ୭୩। ପରିଣତ ବୟସରେ ଆଜି ୨୪ବର୍ଷର ବିକଳାଙ୍ଗ ପୁଅକୁ ଠିକ୍ କରିବା ପାଇଁ ଚିକିତ୍ସା ଖର୍ଚ୍ଚରେ ସେ ସର୍ବସ୍ବାନ୍ତ ହୋଇଗଲେଣି। ମାତ୍ର ଦୁଇ ଏକର ଜମିରେ ଚାଷ କରି ସେ ଯାହା କିଛି ରୋଜଗାର କରିଥିଲେ ସେଥିରେ ତାଙ୍କର ତିନି ଝିଅଙ୍କୁ ବାହା ସାହା କରି ଦୁଃଖ କଷ୍ଟେ ଚାଲିଯାଉଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଚାରି ନମ୍ୱର୍ ଝିଅର ବାହାଘରର କିଛି ଦିନ ପୂର୍ବରୁ ବାଡିପଟରେ ଥିବା ଏକ ଆମ୍ବ ଗଛକୁ କାଠ ହାଣିବା ପାଇଁ ଚଢ଼ିଥିବା ବେଳେ ୨୪ବର୍ଷର ପୁଅ ଠାକୁର ତଳେ ପଡିଯାଇ ମେରୁଦଣ୍ଡ ହାଡ଼ ସହ ଗୋଡର ହାଡ଼ ଭାଙ୍ଗି ଯାଇଥିଲା। ୨୦୧୭ମସିହା ମାର୍ଚ୍ଚ ୩ ତାରିଖରେ ଘଟଣାଟି ଘଟିଥିଲା। ସେହି ଦିନ ଠାରୁ ଆରମ୍ଭ ହେଲା ଡୋଲାମଣିଙ୍କ ଦୁର୍ଦ୍ଦଶାର କାହାଣୀ । ପୁଅକୁ ଭଲ କରିବା ପାଇଁ ବୁର୍ଲା ବିନାୟକ ନର୍ସିଂହୋମକୁ ନେଇଥିଲେ। ସେଠାରେ ଡାକ୍ତରମାନେ ପ୍ରଥମେ ୫୦,୦୦୦ଟଙ୍କା ପ୍ରଥମେ ଜମା କରିବାକୁ କହିଥିଲେ। ପରେ ଏକ୍ସରେ ରିପୋର୍ଟ ଦେଖି ଡାକ୍ତର ତାଙ୍କୁ ଗୌରିଶଙ୍କର ନର୍ସିଂହୋମକୁ ସ୍ଥାନାନ୍ତର କରି କହିଥିଲେ ଯେ ସେଠାରେ କମ ଟଙ୍କାରେ ଚିକିତ୍ସା ହେବ। ତାପରେ ଡୋଲାମଣି ଆଶା ବାନ୍ଧି ଗୌରିଶଙ୍କର ନର୍ସିଂହୋମକୁ ଗଲେ। ସେଠାରେ ଦୁଇ ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ କରି ଗୋଟିଏ ସପ୍ତାହ ଚିକିତ୍ସା କରାଇଲେ ହେଲେ କିଛି ସୁଫଳ ମିଳିଲା ନାହିଁ। ସେଠାରୁ ତାଙ୍କୁ ଡାକ୍ତରମାନେ କଟକକୁ ପଠାଇଦେଲେ। ସେଠାରେ ଦୁଇମାସ ପର୍ଯ୍ୟନ୍ତ କିଛି ବି ଚିକିତ୍ସା ହୋଇ ନଥିଲା। ଡାକ୍ତରଖାନାର କୌଣସି କର୍ମଚାରୀ ତାଙ୍କର ଦେଖାଶୁଣା କରିନଥିଲେ। ଯାହା ଫଳରେ ପୁଅ ଠାକୁର ଗୋଟିଏ ଅବସ୍ଥାରେ ପଡ଼ି ରହି ପିଠିରେ ଘାଆ ବି ହୋଇ ଆହୁରି କଷ୍ଟ ପାଇଥିଲା। ଦୁଇମାସ ପରେ ଚିକିତ୍ସା ଆରମ୍ଭ ହେଲା। ଏହି ଭିତରେ ତାଙ୍କର ଚାରି ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲା । ସେ ପୁଆପାଇଁ ଗୋଟିଏ ଏକର ଜମି ବି ବିକ୍ରି କରିଦେଲେ। ହେଲେ ପୁଅ କୁ ଭଲ କରିପାରିଲେନି। ଏହା ଭିତରେ କଷ୍ଟେମଷ୍ଟେ ସାନ ଝିଅ ର ବି ବାହାଘର କରିଦେଲେ। କଟକରୁ ଫେରାଇ ଆଣି ଏବେ ଘରେ ରଖି ଯତ୍ନ ନେଉଛନ୍ତି। ଯେଉଁ ଅବସ୍ଥାରେ ପୁଅ ତାଙ୍କ ଯତ୍ନ ନେଇଥାନ୍ତ। ଆଜି ସେହି ଅବସ୍ଥାରେ ପୁଅର ଯତ୍ନ ନେଇ ଭାଗ୍ୟକୁ ନିଂଦୁଛନ୍ତି ଡୋଲାମଣି ଓ ତାଙ୍କ ସ୍ତ୍ରୀ। ଏପଟେ ଯେମିତି ବୟସ ଢଳିଆସୁଛି ସେଇ ଅନୁପାତରେ ପରିବାର ବୋଝ ବି ବଢ଼ି ଚାଲିଛି । ଶାରୀରିକ, ମାନସିକ ଓ ଆର୍ଥିକ ଚାପରେ ତାଙ୍କର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ତଥାପି ପୁଅକୁ ଭଲ କରିବା ଆଶା ତାଙ୍କ ମନରୁ ଲିଭିନାହିଁ। ଏବେ ବି ବେଳେ ବେଳେ ପୁଅକୁ ଆଖପାଖ ଗ୍ରାମକୁ ଗାଡ଼ି ଭଡ଼ା କରି  ବିଭିନ୍ନ ପ୍ରକାରର ଚିକିତ୍ସା ପାଇଁ ନେଉଛନ୍ତି। ବାପା ମାଆଙ୍କର ଏହି ଦୁର୍ଦ୍ଦଶା ଦେଖି ପୁଅ ଠାକୁର ବି ନିଜ କୁ ଘୃଣା କରୁଛି। ଅନୁତାପ କରୁଛି ତା ପାଇଁ ପରିବାର କେତେ କଷ୍ଟ ସହୁଛନ୍ତି ହେଲେ ସେ ନିରୁପାୟ। ଏତିକିରେ ବି ଡୋଲାମଣୀ ଙ୍କ ଦୁଃଖ ସରିଲାନି। ପୁଅ ର ବିକଳାଙ୍ଗ ଭତ୍ତା ମିଳିବା ପାଇଁ ସେ ସ୍ଥାନୀୟ ସରପଞ୍ଚଙ୍କୁ କେତେ କାକୁତି ମିନତି କରିଥିଲେ। କିନ୍ତୁ ସରପଞ୍ଚ ମହାଶୟ ତାଙ୍କଠାରୁ ପାଞ୍ଚଶହ ଟଙ୍କା ମାଗିଲେ ଭତ୍ତା କରେଇଦେବାପାଇଁ । ଅନେକ ଦିନ ପରେ ଗତ ସପ୍ତାହରେ ପୁଅର ଭତ୍ତା ମିଳିଲା ସାତଶହ ଟଙ୍କା। ହେଲେ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଦେଲେ ପାଂଚ ଶହ ଆଉ ଅଟୋ ଭଡ଼ା କଲେ ଚାରିଶହ ଟଙ୍କା। ଭତ୍ତା କ’ଣ ନେବେ ଡୋଲାମଣୀ ସରପଞ୍ଚଙ୍କୁ ଭତ୍ତା ଦେଇକି ଗଲେ । ମଣିଷ ଟଙ୍କା ପାଇଁ ଏତେ ତଳକୁ ଖସିପାରେ ତାହା ସରପଞ୍ଚ ପ୍ରତିନିଧିଙ୍କ ଏହି ଲଜ୍ୟାହିନ ମାନସିକତା ଦେଖି ବେଶ୍ ବୁଝି ହେଉଛି। ଭଙ୍ଗା କୁଡ଼ିଆରେ ରହୁଥିବା ଡୋଲାମଣୀ ଦୁଃଖ ପ୍ରକାଶ କରି ସରକାରୀ ସହାୟତାକୁ ଅନେଇ ବସିଛନ୍ତି ପୁଅର ଚିକିତ୍ସା ପାଇଁ। ବାର୍ଦ୍ଧକ୍ୟ ଭତ୍ତା ବି ତାଙ୍କୁ ମିଳୁନି ଏଇ ବୟସରେ। ତେବେ ସରକାରଙ୍କ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଡୋଲାମଣୀ। ମାଳମାଳ ସରକାରୀ ଯୋଜନା ତିଆରି ହେଉଛି କିନ୍ତୁ ଅସଲ ହିତାଧିକାରୀମାନେ ପାଇପାରୁ ନାହାନ୍ତି। ଅଧାବାଟରେ ବାଟବାଣ ହୋଇଯାଇଛି। ଦେଖାଯାଉ କେବେ ଡୋଲାମଣୀଙ୍କୁ ସରକାରୀ ସହାୟତା ମିଳୁଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories