www.samajalive.in
Sunday, December 14, 2025
23.1 C
Bhubaneswar

ଝରିପଡ଼ିଲା ‘ଝରାଫୁଲ’, ସ୍କୁଟିରେ ଆଣି ଫିଙ୍ଗି​‌ଦେଲେ ଛାତ୍ରୀଙ୍କ ମୃତଦେହ

ରସୁଲପୁର: ଆଖିରେ ଥିଲା ଅସୁମାରି ସ୍ବପ୍ନ। ଆଉ ଇଚ୍ଛା ଥିଲା ଆକାଶ ଛୁଇଁବାକୁ। ହେଲେ ସବୁ ସ୍ବପ୍ନ ସତ ହେବା ଆଗରୁ ଅବେଳରେ ଝରି ପଡ଼ିଲା ଝରାଫୁଲ। ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରେ।

ସୂଚନା ମୁତାବକ, ରସୁଲପୁର ବ୍ଲକ୍‍ ଅନ୍ତର୍ଗତ କୁଆଖିଆ ଥାନା ଅଞ୍ଚଳରୁ ଆଜି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁଆଖିଆ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ସକାଳ ପ୍ରାୟ ୯ଟା ୧୫ ମିନିଟ୍‌ରେ କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଛି।

- Advertisement -

ମୃତ ଛାତ୍ରୀଙ୍କ ନିକଟରୁ ପୁଲିସ ଏକ ଏୟାର ବ୍ୟାଗ୍‌ ଜବତ କରିଛି। ଉକ୍ତ ବ୍ୟାଗ୍‌ରୁ ଛାତ୍ରୀଙ୍କ ପରିଚୟପତ୍ର, ଟେଲିଫୋନ୍‌ ନମ୍ବର, ପୋଷାକ ପତ୍ର, ପାଠ୍ୟ ପୁସ୍ତକ ମିଳିଛି। ମିଳିଥିବା ମୋବାଇଲ ନମ୍ବରକୁ ଆଧାରକରି ପୁଲିସ ତା’ର ପରିବାରବର୍ଗଙ୍କୁ ଖବର ଦେଇଥିଲା। ମୃତ ଛାତ୍ରୀ ଜଣଙ୍କ ହେଲେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ବିତୀୟ ବର୍ଷ ଦର୍ଶନଶାସ୍ତ୍ର ସମ୍ମାନ ଛାତ୍ରୀ ଝରାଫୁଲ ନାୟକ(୨୦) ବୋଲି ଜଣାଯାଇଛି। ତାଙ୍କ ଘର ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପଶି ଗ୍ରାମ‌େ‌ର। ସେ ରମାକାନ୍ତ ନାୟକଙ୍କ ଝିଅ ବୋଲି ଜଣାଯାଇଛି।
ପୁଲିସଠାରୁ ଖବର ପାଇ ମୃତ ଛାତ୍ରୀଙ୍କ ବାପା ରମାକାନ୍ତ, ମା’, ଭାଇ ଓ ୩ଜଣ ମାଈଁ କୁଆଖିଆ ଥାନାରେ ପହଞ୍ଚିଥିଲେ। ଛାତ୍ରୀ ଜଣଙ୍କ ଗତ ୨୫ ତାରିଖରେ ଭୁବନେଶ୍ୱରରେ ଥିବା ତା’ର ସାଙ୍ଗର ଜନ୍ମଦିନରେ ଯୋଗଦେବାକୁ ୨୪ ତାରିଖରେ ଘରୁ ଝାଡ଼େଶ୍ୱର ବସ୍‌ରେ ଭୁବନେଶ୍ୱରକୁ ଆସିଥିଲେ। ୨୫ ତାରିଖରେ ସାଙ୍ଗର ଜନ୍ମଦିନରେ ଯୋଗଦେଇ

ଭୁବନେଶ୍ୱରରୁ ମଙ୍ଗଳବାର ସକାଳେ ଝାଡ଼େଶ୍ୱର ବସ୍‌ରେ ଗାଁକୁ ଆସୁଥିବା ସମୟରେ ବାଣୀବିହାର ନିକଟରେ ଅସୁସ୍ଥ ଅନୁଭବ କରିବାରୁ ଛାତ୍ରୀ ଜଣଙ୍କ ସକାଳ ପ୍ରାୟ ୧୧.୧୫ ମିନିଟ୍‌ରେ ବସ୍‌ରୁ ଓହ୍ଲାଇ ସେଠାରେ ଥିବା ଜଣେ ସହପାଠୀଙ୍କ ନିକଟରେ ରହିଥିଲେ। ସେହିଦିନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବାପା ଝିଅ ସହିତ କଥାବାର୍ତ୍ତା ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ମୋବାଇଲ ଫୋନ୍‌ରେ କଥାବାର୍ତ୍ତା ସମ୍ଭବପର ହୋଇ ନ ଥିଲା।

ଏକ ନାଲି ରଙ୍ଗର ସ୍କୁଟିରେ ୨ ଜଣ ଅଭିଯୁକ୍ତ ଛାତ୍ରୀଙ୍କ ମୃତଦେହକୁ ମଝିରେ ରଖି ପ୍ରଥମେ ମୂଳାପାଳ ଛକ ଦେଇ ଗଙ୍ଗାଧରପୁର ପର୍ଯ୍ୟନ୍ତ କିଛି ବାଟ ଯାଇ ସେଇ ରାସ୍ତାରେ ଫେରି ରାସ୍ତା ପାର୍ଶ୍ବ ତାଳଗଛ ନିକଟରେ ମୃତ ଛାତ୍ରୀଙ୍କୁ ପକାଇ ପ୍ରଥମଖଣ୍ଡ-ଗୋପାଳପୁର ଗ୍ରାମ ଦେଇ କେଉଁଆଡ଼େ ପଳାଇ ଯାଇଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ମୃତଦେହ ପଡ଼ିଥିବା କିଛି ଦୂରରେ ବିଲରେ କେତେକ ଲୋକ କାମ କରୁଥିଲେ। ଏହା ଦେଖି ସେମାନେ ଘଟଣାସ୍ଥଳରୁ ପହଞ୍ଚିବା ବେଳକୁ ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଥିଲେ।

ଏନେଇ କୁଆଖିଆ ପୁଲିସକୁ ଖବର ଦିଆଯାଇଥିଲା। ଶବ ପଡ଼ିଥିବା ଖବର ପାଇ ଥାନା ଅଧିକାରୀ ମନୋଜ ସ୍ୱାଇଁ, ଏଏସ୍‌ଆଇ ଏକେ ସେଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଯାଜପୁର ଅତିରିକ୍ତ ଏସ୍‌ପି ବାଉରୀ ବନ୍ଧୁ ବେହେରା, ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଶବ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇଥିବା ଜଣାଯାଇଛି। ମୃତ ଛାତ୍ରୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବା ଜଣାପଡ଼ିଛି। ଥାନା ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି। ସିସି କ୍ୟାମେରାରେ ଛାତ୍ରୀଙ୍କୁ ସ୍କୁଟିରେ ବସାଇ ନେଉଥିବା ଦୁଇ ଅଭିଯୁକ୍ତଙ୍କ ଫଟୋ କଏଦ୍‍ ହୋଇଛି। ଏହି ଘଟଣାରେ ଉଭୟଙ୍କୁ ଗିରଫ କରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ଏନେଇ କୁଆଖିଆ ଥାନାରେ ମୃତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକ୍ରମେ ଏକ ହତ୍ୟା ମାମଲା ଦାଏର ହୋଇଛି।

ବିଶ୍ବବିଦ୍ୟାଳୟ ଆସି ନଥିଲେ ମୃତ ଛାତ୍ରୀ: କୁଳପତି
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ(୨୦)ଙ୍କ ମୃତଦେହ ଯାଜପୁର ଜିଲା ରସୁଲପୁର ବ୍ଲକ୍‍ ଅନ୍ତର୍ଗତ କୁଆଖିଆ ଥାନା ଅଞ୍ଚଳରୁ ବୁଧବାର ଉଦ୍ଧାର ହୋଇଛି। ଉକ୍ତ ଛାତ୍ରୀ ରମାଦେବୀରେ ସ୍ନାତକ(+୩) ଦ୍ବିତୀୟ ବର୍ଷ ପାଠ ପଢୁଥିଲେ। ୨୦୨୦ ମାର୍ଚ୍ଚଠାରୁ ଉକ୍ତ ଛାତ୍ରୀ ଶିକ୍ଷାନୁଷ୍ଠାନ କିମ୍ବା ହଷ୍ଟେଲ ଆସି ନଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି ଯେ, ଏବେ କେବଳ ଶେଷ ବର୍ଷ ଛାତ୍ରୀଙ୍କ କ୍ଲାସ୍‌ ହେଉଥିବାବେଳେ ହଷ୍ଟେଲରେ ରହିବାକୁ ସେମାନଙ୍କୁ ଅନୁମତି ଦିଆଯାଇଛି। ମୃତ ଛାତ୍ରୀ ଝରାଫୁଲ +୩ ଦ୍ବିତୀୟ ବର୍ଷର ହୋଇଥିବାରୁ ସେ ଶିକ୍ଷାନୁଷ୍ଠାନ ଆସି ନଥିଲେ। କୋଭିଡ କଟକଣା ପୂର୍ବରୁ ୨୦୨୦ ମାର୍ଚ୍ଚରେ ସେ ଶେଷଥର ପାଇଁ ବିଶ୍ବବିଦ୍ୟାଳୟ ଆସିଥିଲେ। +୩ ଦ୍ବିତୀୟ ବର୍ଷ ବିଦ୍ୟାର୍ଥୀଙ୍କର ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories