www.samajalive.in
Saturday, December 13, 2025
18.1 C
Bhubaneswar

ଗୋତି ଶ୍ରମିକଙ୍କ ପାଇଁ ଯୋଜନା କାହିଁ; ନାହିଁ ନାହିଁରେ ଯୋଜନା, ହାତକୁ ପାଉଣା ଓ ପେଟକୁ ଦାନା ନାହିଁ

ଟିଟିଲାଗଡ଼: ତେଲେଙ୍ଗାନା ରାଜ୍ୟର ଜଗତିଆଲ ଇଟାଭାଟିରେ ବନ୍ଧା ପଡ଼ିଥିବା ୪୭ ଜଣ ଗୋତି ଶ୍ରମିକ ତଥା ୨୬ ଶିଶୁ ଗତ ପ୍ରଶାସନ ଦ୍ୱାରା ଉଦ୍ଧାର ହୋଇ ଟିଟିଲାଗଡ ଥାନାରେ ପହଞ୍ଚିଥିଲେ। ପରେ ବଲାଙ୍ଗିର ଜିଲା ସିକେର, ପଥରଚେପା, ବଡବନ୍ଧ ତଥା ବରଗଡ ଜିଲା ତରାଜୁଙ୍ଗା ଅଞ୍ଚଳକୁ ସେମାନେ ଚାଲିଯାଇଛନ୍ତି। ଟିଟିଲାଗଡ ବ୍ଲକ ସିକେର ଗ୍ରାମର ଚୈତନ୍ୟ ନାୟକ ତାଙ୍କୁ ଦୁଇ ସନ୍ତାନ, ସ୍ତ୍ରୀ, ବାପା ମା, ଶାଶୁ ଶ୍ୱଶୁର ତଥା ବହୁ ଶିଶୁ ତଥା ପୁରୁଷ ମହିଳା ଶ୍ରମିକ ଜଗତିଆଲ ଇଟା ଭାଟିରେ ବନ୍ଧା ପଡ଼ିଥିବା ମନ୍ତ୍ରୀ ଟୁକୁନୀ ସାହୁ, କଲିକତା ଚାଇଲ୍ଡ ଲାଇନ, ବଲାଙ୍ଗିର ଜିଲା ଶ୍ରମ ଅଧିକାରୀ, ଟିଟିଲାଗଡ ଉପଜିଲାପାଳ, ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତ ଦଶହରା ମାସରୁ ଶ୍ରମିକ ଇଟାଭାଟିରେ କାମ କରୁଥିବା ବେଳେ ପାରିଶ୍ରମିକ ଦିଆଯାଇ ନ ଥିବା ଅଭିଯୋଗ କରିଥିଲେ। ଏନେଇ ଏଆଇଏନଟିୟୁସି ବଲାଙ୍ଗିର ଜିଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ଜିଲା ସମ୍ପାଦକ ଚକାଚରଣ ମାଝୀ, ନିଖିଲ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ସଭାପତି ପ୍ରେମାନନ୍ଦ ଭୋଇ ପ୍ରମୁଖ ସିକେର ଗ୍ରାମ ଗସ୍ତ କରି ଇଟାଭାଟିରୁ ଉଦ୍ଧାର ସିକେର ଗ୍ରାମର ଶ୍ରମିକଙ୍କୁ ସାକ୍ଷାତ କରିଛନ୍ତି। ମାଟିଝାଟି ଘରେ ଶ୍ରମିକ ପରିବାର ରହୁଥିବା ବେଳେ ପକ୍କା ଘର ଖଣ୍ଡିଏ ନାହିଁ। ଖାଲି ହାତରେ ଯାଇଥିଲେ, ଖାଲି ହାତରେ ଫେରିଛନ୍ତି। ଇଟାଭାଟି ମାଲିକ ଦଲାଲ ୩୦ ଲକ୍ଷ ଟଙ୍କା ନେଇଯାଇଥିବା କହି ପାରିଶ୍ରମିକ ଦେଇନାହିଁ। ଏଠାରେ କୌଣସି କାମ ମଧ୍ୟ ମିଳୁନାହିଁ। ଚୈତନ୍ୟ ନାୟକ ଚାରି ପ୍ରାଣୀ କୁଟୁମ୍ବ ହେଲେ ରାସନ କାର୍ଡରେ ତ୍ରୁଟି ନେଇ କେବଳ ଜଣକର ମାସିକ ୫ କେଜି ଚାଉଳ ସରକାର ଦେଉଛନ୍ତି।

ଶ୍ରମିକ ପରିବାରରେ କାହାରି କୋଠାବାଡି ଓ ନିର୍ମାଣ ଶ୍ରମିକ ଯୋଜାନରେ ପଞ୍ଜୀକରଣ ହୋଇ ନ ଥିବା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରମିକ ସଂଘ ସଭାପତିଙ୍କୁ ଶ୍ରମିକ ନିଜ ଦୁଃଖ ଜଣାଇଥିଲେ। ବୃଦ୍ଧା ଲକ୍ଷ୍ମୀ ଅମରିଆ, ଫୁଲ ନାୟକ, ବୃଦ୍ଧ ଅନିରୁଦ୍ଧ ନାୟକ ଇଟାଭାଟିରେ ରାତି ୪ଟାରୁ ସକାଳ ୯ଟା ଓ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ କିଭଳି ଖଟୁଥିଲେ ତାହା କହିଥିଲେ। ଏନେଇ ଶ୍ରମିକ ସଂଘ ସଭାପତି ଶ୍ରୀ ସାହୁ ବଲାଙ୍ଗିର ଜିଲା ଶ୍ରମ କମିଶନରଙ୍କ ସହ ଏନେଇ ଆଲୋଚନା ସହ ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କୁ ମଜୁରି, ସରକାରୀ ସହାୟତା ୧ ଲକ୍ଷ ଟଙ୍କା ପ୍ରଦାନ, ନିର୍ମାଣ ଶ୍ରମିକ ଆଇନରେ ପଞ୍ଜୀକରଣ ପାଇଁ ଫୋନ ଯୋଗେ ଦାବି ରଖିଛନ୍ତି। ଏହା ସହ ଶ୍ରମ କମିଶନଙ୍କୁ ଲିଖିତ ଦାବି ପ୍ରଦାନ କରିଛନ୍ତି। ଟିଟିଲାଗଡ ବିଡିଓଙ୍କ ସହ ଆଲୋଚନା କରି ପକ୍କା ଗୃହ, କର୍ମ ନିଯୁକ୍ତି ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି। ଏହା ସହ ଗୋତି ଶ୍ରମିକ ରୋକିବା ପାଇଁ ସରକାର ନୁଆପଡା ଜିଲାର ୧୦ଟି ପଞ୍ଚାୟତ ଓ ବଲାଙ୍ଗିର ଜିଲାର ୨୦ଟି ପଞ୍ଚାୟତରେ ସ୍ୱତନ୍ତ୍ର ଉନ୍ନୟନ କାର୍ଯ୍ୟ ପାଇଁ ୨୦୧୭ରେ ୧୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସେ ଖୋଦ ମନିଟରିଂ କମିଟି ସଦସ୍ୟ ରହିଥିବା ବେଳେ ଟଙ୍କା କିଭଳି ଖର୍ଚ୍ଚ ହେଲା ତାହା ଜାଣିପାରି ନଥିବା ଶ୍ରୀ ସାହୁ କ୍ଷୋଭ ପ୍ରକାଶ କରିଛନ୍ତି। ଏପରିକି ତାଙ୍କ ସମେତ ବଲାଙ୍ଗିର ଜିଲାର ଅନେକ ସମାଜସେବୀ ଗୋତି ଶ୍ରମିକ ପାଣ୍ଠି ବିନିଯୋଗ ନେଇ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମଧ୍ୟ ବଲାଙ୍ଗିର ଜିଲା ପ୍ରଶାସନ ବର୍ଷ ବର୍ଷ ଧରି ଢାଙ୍କି ଚାଲିଥିବା ସେ କହିଛନ୍ତି।

- Advertisement -

ସଇଁନ୍ତଲା ଥାନା ଅନ୍ତର୍ଗତ କୁଆଁରଗାଁର ଗୋତି ଶ୍ରମିକ ପରିବାରର ଏକମାତ୍ର ସନ୍ତାନ ମନୋଜ ଭୋଇଙ୍କ ଶବ ଗତ ଡିସେମ୍ବର ୩୦ରେ ଘରକୁ ଫେରିଥିଲା। ମନୋଜଙ୍କ ପରିବାରକୁ ଅଦ୍ୟାବଧି କୌଣସି ପ୍ରକାର ସହାୟତା ପ୍ରଦାନ କରାଯାଇନାହିଁ। ଏଥିରୁ ବଲାଙ୍ଗିର ଜିଲା ପ୍ରଶାସନ କେତେ ତତ୍ପର ତାହା ବୁଝାପଡୁଛି। ବର୍ତ୍ତମାନ କରୋନା ମହାମାରୀ ଅନ୍ତରାଳରେ ଶ୍ରମିକ ପୁଣି ଥରେ କାମଧନ୍ଦା ଅନ୍ୱେଷଣରେ ବାହାର ରାଜ୍ୟକୁ ଗୋତି ଖଟିବାକୁ ଯାଉଥିବା ବେଳେ ପୂର୍ବ ଅନେକ ତିକ୍ତ ଅନୁଭୁତି ସତ୍ୱେ ନିରବଦ୍ରଷ୍ଟା ପ୍ରଶାସନର ଭୂମିକା ସନ୍ଦେହଜନକ ବୋଲି ଶ୍ରମିକ ସଂଘ ସଭାପତି ଶ୍ରୀ ସାହୁ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories