www.samajalive.in
Saturday, December 13, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କ ଶିଳାନ୍ୟାସକୁ ବର୍ଷେ ପୂରିଲାଣି; ଶିଳ୍ପ ସଂସ୍ଥା କବ୍‌ଜାରେ ପାଇକ ସ୍ମାରକୀ ଜମି

ଖୋର୍ଦ୍ଧା: ଜାତିର ଇତିହାସ, ତା’ର କଳା ଓ କୌଶଳ, ସଂସ୍କୃତି ଓ ସାହିତ୍ୟର ପୃଷ୍ଠଭୂମି ହିଁ ଉକ୍ତ ଜାତିକୁ ସମୃଦ୍ଧ କରେ। ଅତୀତକୁ ଦେଖି ବର୍ତ୍ତମାନକୁ ସମୀକ୍ଷା କରି ଭବିଷ୍ୟତ ସହ ଯୋଡ଼ିବାରେ ସହାୟକ ହୁଏ। ଖୋର୍ଦ୍ଧା ଓଡ଼ିିଶାର ପ୍ରାଚୀନ ରାଜଧାନୀ ଭାବେ ଇତିହାସ ବିଦିତ। ସ୍ବାଧୀନତା ସଂଗ୍ରାମର ଆଦ୍ୟଭୂମି। ଖୋର୍ଦ୍ଧାଗଡ଼ ପାଇକଙ୍କ ବୀରତ୍ୱ ଚର୍ଚ୍ଚାର ବିନ୍ଦୁ ହୋଇଆସିଛି। ଏହି ଲାଲମାଟିର ବୀର ପୁଙ୍ଗବ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ଦେଇଥିଲେ ଏକ ନିର୍ଣ୍ଣାୟକ ମୋଡ଼। ସୂତ୍ରପାତ ହୋଇଥିଲା ଖୋର୍ଦ୍ଧାରୁ ପାଇକ ବିଦ୍ରୋହର ତୂର୍ଯ୍ୟନାଦ। ପାଇକ ବିଦ୍ରୋହ ୨୦୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଉତ୍ସବ କରିଛନ୍ତି। ଏହି ଗୌରବମୟ ଇତିହାସକୁ ସ୍ମରଣ ରଖିବା ଓ ନବଜୀବନରେ ଅତୀତ ବୀରତ୍ବର ଗାଥାକୁ ଜାଗରୁକ କରିବା ଉଦ୍ଦେଶ୍ୟରେ ଏଠାରେ ପାଇକ ସ୍ମାରକୀ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଥିଲା।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧା ସହରର ବରୁଣେଇ ପାହାଡ଼ ପାଦଦେଶରେ ୨୦୧୯ ଡିସେମ୍ବର ୮ ତାରିଖରେ ପାଇକ ସ୍ମାରକୀର ଶିଳାନ୍ୟାସ କରିଥିଲେ। ଏହି ସ୍ମାରକୀ ନିର୍ମାଣ ହେଲେ ଏହା ଜନସାଧାରଣଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ମତପ୍ରକାଶ ପାଇଥିଲା। ତେବେ ଏକ ବର୍ଷରୁ ଅଧିକ ସମୟ ବିତିଲାଣି। ତଥାପି ଆରମ୍ଭ ହୋଇପାରିନି ଏହାର ନିର୍ମାଣ କାର୍ଯ୍ୟ। ସ୍ମାରକୀ ନିର୍ମାଣ କ୍ଷେତ୍ରରେ ମୁଳ ସମସ୍ୟା ହେଉଛି ଜମି ହସ୍ତାନ୍ତରଣ ପ୍ରକ୍ରିୟା। କାରଣ ଚିହ୍ନଟ ଜମି ସରକାରୀ ଖାତାରେ କାଗଜପତ୍ରରେ ତ’ ରହିଛି; ମାତ୍ର ବାସ୍ତବରେ ଏହି ଜମିର କିଛି ଅଂଶକୁ ଶିଳ୍ପ ସଂସ୍ଥା ମାଡ଼ି ବସିଛନ୍ତି।
ରାଷ୍ଟ୍ରପତିଙ୍କ ଶିଳାନ୍ୟାସ ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ସଚିବ, ଖୋର୍ଦ୍ଧା ଜିଲାପାଳ, ତହସିଲଦାର ପାଇକ ସ୍ମାରକୀ ନିର୍ମାଣ ପାଇଁ ଜମି ଚିହ୍ନଟ ଲାଗି ଏ ଅଞ୍ଚଳ ବୁଲି ଦେଖିଥିଲେ। ରାଜ୍ୟ ସରକାର ଏଥିପାଇଁ ୧୦ ଏକର ଜମି ଯୋଗାଇ ଦେଇଥିଲେ। ଖୋର୍ଦ୍ଧା ମୌଜା ଖାତା ନମ୍ବର ୩୪୦ ପ୍ଲଟ ନମ୍ବର ୧.୪୪୫, ପ୍ଲଟ ନଂ ୮୨୪/୧୦୦୧ରେ ୧.୬୮୦ ସେହି ଖାତାର ପ୍ଲଟ ନଂ ୮୬୫ରେ ୬.୫୬୦ ଏପରି ୯ ଏକର ୬୮୫ ଡିସିମିଲ ଜମି ଚିହ୍ନଟ ହୋଇଥିଲା। ଜମିର କାଗଜ ପତ୍ର ପ୍ରସ୍ତୁତ ସରିଛି। ତେବେ ସେହି ଜମିରୁ ଅନେକ ଅଂଶ ଘରୋଇ ଶିଳ୍ପ ସଂସ୍ଥା ମାଡି ବସିଥିବା ଜଣାପଡ଼ିଛି। କ୍ଷେତ୍ରୀୟ ଅନୁସନ୍ଧାନ ନକରି ରାଜସ୍ୱ ବିଭାଗ ତରବରିଆ ଭାବରେ ଏହି ଜମି ଯୋଗାଇ ଦେଇଥିଲା। ସେହି ଜମିର କେତେକ ଅଂଶ ଏକ ଘରୋଇ କଲେଜ ଓ ବିସ୍କୁଟ କମ୍ପାନୀ ପାଚେରି ଭିତରେ ରହିଥିବା ଅଭିଯୋଗ ଉଠିଛି।
ରାଷ୍ଟ୍ରପତିଙ୍କ ପାଇକ ସ୍ମାରକୀ ଭିତ୍ତିପ୍ରସ୍ତରର ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ପାଇକ ସଂଗଠନ ଉତ୍ସବ ପାଳନ କରିଥିଲେ। ବିଭିନ୍ନ ସଂଗଠନର ପକ୍ଷରୁ ଜମି ଚିହ୍ନଟ ସମସ୍ୟା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପାଇକ ସଂଗଠନଙ୍କ ଅସନ୍ତୋଷ ପରେ ଏବେ ଜିଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଛି। ଏନେଇ ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁଙ୍କୁ ପଚାରିବାରେ ଜମି ଚିହ୍ନଟ ପାଇଁ ମାପଚୁପ କରାଯାଉଥିବା ସେ କହିଛନ୍ତି। ଖୁବଶୀଘ୍ର କେଉଁଠି କେତେ ଜମି ରହିଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ଜମି ଚିହ୍ନଟ ନ ହେବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବଢିବା ସହିତ ପାଇକ ସ୍ମାରକୀ ନିର୍ମାଣ ମଧ୍ୟ ବିଳମ୍ବ ହେବାରେ ଲାଗିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories