www.samajalive.in
Monday, December 8, 2025
17.1 C
Bhubaneswar

ବଢ଼ୁଛି ଦୁର୍ଘଟଣା; ପଡ଼ିଛି ପାଣ୍ଠି, ବିଜ୍ଞାପନରେ ‘ସଡ଼କ ସୁରକ୍ଷା’

ଭୁବନେଶ୍ବର: ରାସ୍ତାରେ ଦୁର୍ଘଟଣା ବଢ଼ୁଛି। ମାସରେ ଶହଶହ ମରୁଛନ୍ତି। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି; ମାତ୍ର ସଡ଼କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ଅନୁଦାନ ଅର୍ଥ ବ୍ୟାଙ୍କରେ ଜମା ରହୁଛି। ଲକ୍ଷେ କି କୋଟିଏ ନୁହେଁ, ଗତ ୫ ବର୍ଷ ମଧ୍ୟରେ ସଡ଼କ ସୁରକ୍ଷା ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗକୁ ମିଳିଛି ପ୍ରାୟ ୧୧୯ କୋଟି ଟଙ୍କା। ସବୁ ଟଙ୍କା ବ୍ୟାଙ୍କରେ ଜମା ହୋଇଛି। ଏହି ସମୟ ମଧ୍ୟରେ ସୁଧ ବାବଦରେ ବିଭାଗ ପ୍ରାୟ ୭.୭୪ କୋଟି ଟଙ୍କା ପାଇଛି; ମାତ୍ର ଖର୍ଚ୍ଚ କରିବାକୁ ମନ ବଳୁନାହିଁ, ମୋଟ ଜମାର ଅଧାରୁ ଅଧିକ ଅନୁଦାନ ଏବେ ବି ବ୍ୟାଙ୍କରେ ଜମା ରହିଛି। ଆଉ ଯେଉଁ ବ୍ୟୟ କରାଯାଇଛି, ତା’ର ଆବଶ୍ୟକତା ଓ ଗୁରୁତ୍ବକୁ ନେଇ ସ୍ବାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚଳିତ ଆର୍ଥିକ ବର୍ଷରେ ବିଭାଗ ଏହି ପାଣ୍ଠିରୁ ପ୍ରାୟ ୪ କୋଟି ଟଙ୍କା ବ୍ୟୟ କରିଥିଲେ ହେଁ ଅଧିକାଂଶ ପ୍ରଶାସନିକ ବ୍ୟୟ ବାବଦରେ ହୋଇଥିବା ଦେଖାଯାଇଛି। ଆଉ କିଛି ଅର୍ଥ ଏଫ୍‌ଏମ୍ ରେଡିଓକୁ ସଡ଼କ ସୁରକ୍ଷା ବିଜ୍ଞାପନ
ନିମନ୍ତେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ୨୦୧୫-୧୬ ଆର୍ଥିକ ବର୍ଷରେ ସରକାର ସଡ଼କ ସୁରକ୍ଷା ନିମନ୍ତେ ବିଭାଗକୁ ୫ କୋଟି ଟଙ୍କା ଅନୁଦାନ ଦେଇଥିଲେ। ୨୦୧୬-୧୭ରେ ମିଳିଥିଲା ପ୍ରାୟ ୩୪ କୋଟି ଟଙ୍କା, ୨୦୧୭-୧୮ରେ ଏହି ଅନୁଦାନ ବୃଦ୍ଧି ପାଇ ୪୦ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୧୮-୧୯ ଓ ୨୦୧୯-୨୦ରେ ୨୦ କୋଟି ଟଙ୍କା ଲେଖାଏଁ ଦୁଇ ବର୍ଷରେ ମିଳିଥିଲା ୪୦ କୋଟି ଟଙ୍କା। ଏହି ସବୁ ଅନୁଦାନ ମିଶି ୧୧୯ କୋଟି ଟଙ୍କା ହୋଇଥିବାବେଳେ ବ୍ୟାଙ୍କ ଜମାରୁ ବିଭାଗ ସୁଧ ପାଇଛି ୭.୭୪ କୋଟି ଟଙ୍କା। ସରକାରୀ ଅନୁଦାନ ଜମା ରାଶି ଓ ସୁଧ ମିଶି ବିଭାଗ ନିକଟରେ ସଡ଼କ ସୁରକ୍ଷା ନିମନ୍ତେ ଗଚ୍ଛିତ ୧୨୬.୭୪ କୋଟି ଟଙ୍କାରୁ ବିଭାଗ ୫ ବର୍ଷରେ ଖର୍ଚ୍ଚ କରିଛି ମୋଟ ୬୧ କୋଟି ଟଙ୍କା ଓ ଅବଶିଷ୍ଟ ୬୬ କୋଟି ଟଙ୍କା ଏବେ ବି ବ୍ୟାଙ୍କରେ ଜମା ରହିଛି।
ସଡ଼କ ସୁରକ୍ଷା ନିମନ୍ତେ ଦିଆଯାଇଥିବା ରାଶି ବ୍ୟୟର ଯେଉଁ ସୂଚନା ମିଳିଛି ତାହା ସହ ସଡ଼କ କି ସୁରକ୍ଷାର ବିଶେଷ ସମ୍ପର୍କ ଥିବାପରି ମନେହେଉନାହିଁ। ଚଳିତ ଆର୍ଥିକ ବର୍ଷର ବ୍ୟୟ ବିବରଣୀକୁ ଦେଖିଲେ କେବଳ ବିଭିନ୍ନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ(ଡିଏମ୍‌ଇଟି)କୁ ୨ କୋଟି ଟଙ୍କା ପ୍ରଦାନ ବ୍ୟତୀତ ସେପରି କିଛି ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିନାହିଁ। ଇଣ୍ଟରସେପ୍ଟରରେ ସେନ୍‌ସର ଲଗାଇବା, ତାକୁ ଜଗିବା ପାଇଁ ସୁରକ୍ଷାକର୍ମୀଙ୍କୁ ପାଉଣା, ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ପାଇଁ ଭାକ୍ୟୁମ କ୍ଲିନର କିଣା, ସୀମାନ୍ତ ତନଖି ଫାଟକରେ ସିସିଟିଭି ସଂଯୋଗ, ସଡ଼କ ସୁରକ୍ଷା ସଂକ୍ରାନ୍ତ ସମ୍ପର୍କରେ ବିଭାଗ କାର୍ଯ୍ୟର ବିଜ୍ଞାପନ ପାଇଁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇଛି।

- Advertisement -

କେବଳ ସେତିକି ନୁହେଁ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ପାଇଁ ଏହି ଅର୍ଥରେ କିଣାଯାଇଛି ୧୨ଟି ଥର୍ମୋମିଟର, ଯାହାର ମୂଲ୍ୟ ୯୩,୨୬୪ ଟଙ୍କା। ଗୋଟିଏ ସ୍ବୟଂକ୍ରିୟ ହ୍ୟାଣ୍ଡ ସାନିଟାଇଜର ମେସିନ କିଣାଯାଇଛି, ଯେଉଁଥିପାଇଁ ୨ ଲକ୍ଷ ୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବିଭିନ୍ନ ତନଖି ଫାଟକରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ମାସ୍କ ଓ ସାନିଟାଇଜର କିଣା ବାବଦରେ ବ୍ୟୟ ହୋଇଛି ପ୍ରାୟ ୧୧ ଲକ୍ଷ ୭୦ ହଜାର ଟଙ୍କା। ସଡ଼କ ସୁରକ୍ଷା ନିମନ୍ତେ ପ୍ରଦତ୍ତ ଅର୍ଥରେ ଏହି ସାମଗ୍ରୀ କ୍ରୟର ଆବଶ୍ୟକତା ଅଛି କି ନାହିଁ ତାହା ଭିନ୍ନ କଥା; ମାତ୍ର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ସରକାର ଅନୁଦାନ ଦେଇଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ।

ଅନ୍ୟପକ୍ଷରେ ରାଜ୍ୟ ପରିବହନ କମିସନର ସଞ୍ଜୀବ ପଣ୍ଡା ସଡ଼କ ସୁରକ୍ଷା ପାଣ୍ଠି ଖର୍ଚ୍ଚ ହେଉ ନ ଥିବା ଅଭିଯୋଗକୁ ଅମୂଳକ ବୋଲି କହିଛନ୍ତି। ପ୍ରାଥମିକ ଅବସ୍ଥାରେ ଅନୁଦାନ ବ୍ୟୟ ନେଇ କୌଣସି ନିର୍ଦିଷ୍ଟ ମାର୍ଗଦର୍ଶିକା ନ ଥିଲା, ସେଥିପାଇଁ ବ୍ୟୟ ବିଳମ୍ବିତ ହୋଇଥିଲା। ମାତ୍ର ଏବେ ଅନୁଦାନଠାରୁ ଅଧିକ ବ୍ୟୟ କରାଯାଉଛି। ଟ୍ରାଫିକ୍ କରିଡରରେ ସିସି କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା ହୋଇଛି। ଏଥିପାଇଁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ରାଜପଥ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଛି। ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories