www.samajalive.in
Saturday, December 6, 2025
19.1 C
Bhubaneswar

‘ଖୁସି’ ସଫ୍ଟୱେୟାର ଉନ୍ମୋଚିତ: ସୁବ୍ୟବସ୍ଥିତ ହୋଇପାରିବ ସାନିଟାରି ନାପ୍‌କିନ୍‌ ବଣ୍ଟନ, ୩୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା କିଶୋରୀମାନଙ୍କ ମାସିକ ଋତୁକାଳୀନ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ଦିଗରେ ସାନିଟାରୀ ନାପ୍‌କିନ୍‌ ବଣ୍ଟନ ପାଇଁ ସରକାର ‘ଖୁସି’ ନାମରେ ଏକ ଅଭିନବ ଯୋଜନା ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମସିହା ଫେବୃଆରୀ ମାସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ରାଜ୍ୟର ୩୧୪ଟି ବ୍ଲକ୍‌ ଓ ୫ଟି ମୁନିସିପାଲ୍‌ କର୍ପୋରେସନ୍‌ ଅଧୀନରେ ଥିବା ୨୯,୫୭୭ଟି ସ୍କୁଲର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬,୮୧,୬୯୦ ଛାତ୍ରୀ ଅନ୍ତର୍ଭୁକ୍ତ ଅଟନ୍ତି। ଖୁବ୍‌ଶୀଘ୍ର ‘ଖୁସି’ ସଫ୍ଟୱେର୍‌ ବ୍ୟବସ୍ଥା ମୋବାଇଲ୍‌ ଆପ୍‌ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବ। ଫଳରେ ଯୋଜନାର ପରିଚାଳନା ସହଜ ଓ ସୁବିଧାଜନକ ହୋଇପାରିବ ବୋଲି ସୂଚନା ଦିଆଯାଇଛି।
ଆଜି ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ‘ଖୁସି’ ସଫଫେୱୟାରକୁ ଉନ୍ମୋଚନ କରିଥିଲେ। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଏହି ସଫଫେୱୟାର ମାଧ୍ୟମରେ ଯୋଜନାର ପରିଚାଳନା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ। ଏହି ଅବସରରେ ଶ୍ରୀ ମହାପାତ୍ର କହିଲେ ଯେ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସାନିଟାରୀ ନ୍ୟାପ୍‌କିନ୍‌ ଯୋଗାଣକାରୀମାନେ ଠିକ୍‌ ସମୟରେ ସାମଗ୍ରୀ ଯୋଗାଣ ସହ ବ୍ଲକ୍‌ର ନୋଡାଲ୍‌ ଅଫିସରମାନେ ଏସବୁକୁ ସ୍କୁଲରେ ପହଞ୍ଚାଇବେ ଓ ପ୍ରତ୍ୟେକ ଛାତ୍ରୀଙ୍କ ନିକଟରେ ଏହା ନିଶ୍ଚିତ ଭାବେ ପହଞ୍ଚି ପାରିବ।

 

- Advertisement -

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲର ଛାତ୍ରୀମାନଙ୍କୁ ମାସିକ ୧୮ଟି ଲେଖାଏଁ ସାନିଟାରୀ ନ୍ୟାପ୍‌କିନ୍‌ ଯୋଗାଇ ଦିଆଯାଉଛି। ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ମହିଳା ନୋଡାଲ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ସାନିଟାରୀ ନ୍ୟାପ୍‌କିନ୍‌ ଯୋଗାଣ ପାଇଁ ୨୦୨୦-୨୧ ମସିହା ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରକ୍ରିୟା ଚାଲୁ ରହିଛି। ଏଥି ପାଇଁ ଚଳିତ ବର୍ଷ ୩୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ଉପସ୍ଥିତ ରହି ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ‘ଖୁସି’ର ଆଭିମୁଖ୍ୟ ଉପରେ ଆଲୋଚନା କରିଥିବାବେଳେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଡେପୁଟି ଡାଇରେକ୍ଟର ଜେନେରାଲ୍‌ ଓ ରାଜ୍ୟ ଇନ୍‌ଫର୍‌ମେଟିକ୍ସ ଅଫିସର କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦେଶିକା ନିରୁପମା ମହାପାତ୍ର, ବରିଷ୍ଠ ବୈଷୟିକ ନିର୍ଦେଶକ ବିଭାସ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories