www.samajalive.in
Wednesday, December 10, 2025
14.1 C
Bhubaneswar

ଏସଆଇଟିକୁ ଲଗାଇ ରାଜ୍ୟସରକାର ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି :ବିଜେପି

 ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରାଯାଉ
 ପରୀ ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ର‍୍ୟାକେଟ୍‍ ପଛରେ ବିଜେଡି ନେତାଙ୍କ ସଂପୃକ୍ତି 
 ଅରୁଣ ସାହୁଙ୍କ ବିରୁଦ୍ଧରେ ଥିବା ପ୍ରମାଣ ନଷ୍ଟ  ପାଇଁ ବ୍ରୋଥାଙ୍କୁ ତଦନ୍ତ ଦାୟିତ୍ବ

ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି। ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଦୋଷ ସ୍ୱୀକାର କରିବା ପାଇଁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇଥିବା ଅଭିଯୋଗ କରି ବିଜେପି ତୁରନ୍ତ ତାଙ୍କୁ ତଦନ୍ତ କମିଟିରୁ ବହିଷ୍କାର କରିବାକୁ ଦାବି କରିଛି ।

- Advertisement -

ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି  ଯେ ଯଦୁପୁର ଗାଁର ସରୋଜ ସେଠୀଙ୍କ  ବୟସ ୧୮ ବର୍ଷ ହୋଇଥିବାବେଳେ ତାଙ୍କୁ ୧୭ ବର୍ଷ ଦେଖାଇ ବାଳ ଅପରାଧୀ ସଜାଇ କମ୍‍ ଦଫାରେ ଖସାଇବାର ଷଡଯନ୍ତ୍ର ରଚିଛନ୍ତି ଏସଆଇଟି ମୁଖ୍ୟ। ତଦନ୍ତ ଆଳରେ ଅରୁଣ ବ୍ରୋଥାଙ୍କ ଏପରି ଅମାନବୀୟ କାର୍ଯ୍ୟକଳାପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପରୀ ଘଟଣାର ତଦନ୍ତକୁ ବାଟବଣା କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ଖୁଲାସା ହେବା ପରେ ଅରୁଣ ବ୍ରୋଥା ବିଶ୍ୱସନୀୟତା ହରାଇଛନ୍ତି। ଏଣୁ ରାଜ୍ୟସରକାର ତୁରନ୍ତ ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରନ୍ତୁ ।

ପରୀ ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ର‍୍ୟାକେଟ୍‍ ପଛରେ ବିଜେଡି ନେତାଙ୍କ ସଂପୃକ୍ତି ରହିଛି। ସେଥିପାଇଁ ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକକୁ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଯୋଗାଇ ଚାଲିଛନ୍ତି। ସମାନଢଙ୍ଗରେ ଏସଆଇଟିକୁ ଲଗାଇ ରାଜ୍ୟସରକାର ଅରୁଣ ସାହୁଙ୍କୁ ସୁରକ୍ଷା ଦେବା କାର୍ଯ୍ୟ କରୁଛନ୍ତି। କିଛିଦିନ ତଳେ ଏକ ଭାଇରାଲ ଅଡିଓରେ ଅରୁଣ ବ୍ରୋଥା ‘ମୋ ସରକାର’କୁ ଡରୁଛନ୍ତି ବୋଲି କହିଥିଲେ। ସେ ଡରକୁ ବ୍ୟବହାର କରି ରାଜ୍ୟସରକାର ଅରୁଣ ସାହୁଙ୍କ ବିରୁଦ୍ଧରେ ଥିବା ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ବ୍ରୋଥା ବାବୁଙ୍କୁ କାମରେ ଲଗାଇଛନ୍ତି ଏବଂ ସେ ପରିପ୍ରେକ୍ଷୀରେ ସରୋଜ ସେଠୀଙ୍କୁ ଟଙ୍କା ଯଚାଯାଇଛି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ନିଜେ ସ୍ୱଚ୍ଛ ଶାସନ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଥିବାବେଳେ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁନାହାଁନ୍ତି କାହିଁକି ? ରାଜ୍ୟସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଏମିତି କ’ଣ ଦୋଷ ଦୁର୍ବଳତା ମନ୍ତ୍ରୀ ଅରୁଣ ସାହୁ ଜାଣିଛନ୍ତି କି ଯାହା ଫଳରେ ବିଭିନ୍ନ ଘଟଣାରେ ଯେତେ ଭୃଲ କଲେ ସୁଦ୍ଧା ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଗୋଟିଏପଟେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କରି ଲୋକଙ୍କୁ ସୁବିଧା ଦେବା କଥା କହୁଛନ୍ତି ଅନ୍ୟପଟେ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ପୋଲିସ ଏସପି ଓ ନିଜ ଦଳର ମନ୍ତ୍ରୀଙ୍କୁ ସୁରକ୍ଷା ଦେବାର କାର୍ଯ୍ୟ କରୁଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଏହା ପୂର୍ବରୁ ଏସଆଇଟିର ପ୍ରାଥମିକ ତଦନ୍ତ ରିପୋର୍ଟକୁ ଲିକ୍‍ କରାଯାଇଥିଲା ଏବଂ ମାନ୍ୟବର ହାଇକୋର୍ଟ ମଧ୍ୟ ଏସଆଇଟିର କାର୍ଯ୍ୟ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ସିବିଆଇ ତଦନ୍ତ କଲେ ହିଁ ପରୀକୁ ନ୍ୟାୟ ମିଳିପାରିବ। ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟସରକାର ଦୋଷୀକୁ ଦଣ୍ଡ ଦେବେ କି ସୁରକ୍ଷା ଦେବେ ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ଡ.ସାମନ୍ତସିଂହାର ଦାବି କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories