www.samajalive.in
Monday, December 8, 2025
14.1 C
Bhubaneswar

‘ସମାଜ’ର ପ୍ରଭାବ : ଖବର ପ୍ରକାଶ ପରେ, ମିଲିଂ କ୍ଷମତା ଯାଞ୍ଚ ପାଇଁ ଟିମ୍ ଗଢିଲେ ଜିଲାପାଳ

ବଲାଙ୍ଗିର : ମୁହଁ ଫୁଟାଣି ମାରୁଥିଲେ ମିଲର୍ସ। ମନଇଚ୍ଛା ଅଫିସରେ ବସି ମିଲିଂ କ୍ଷମତା(ଟନେଜ୍) ବଢେଇ ଚାଲିଥିଲେ। ଜିଲାର ସମସ୍ତ ମିଲର୍ସଙ୍କୁ ଦୋଷ ଦେଉନୁ, କିନ୍ତୁ ଅନେକ ମିଲର୍ସ ଅଫିସରେ ବସି ବାବୁ ଭାୟାଙ୍କୁ ହାତ ଗୁଞ୍ଜା(୧ଟନ୍କୁ ଲକ୍ଷେ-ପିକ୍ସ ରେଟ୍) ଦେଇ କାମ କରେଇ ନେଉଥିଲେ। ଭିତ୍ତି ଭୂମିର ବିକାଶ ହୋଇ ନ ଥିଲେ ମଧ୍ୟ ବର୍ଷକୁ ବର୍ଷ ମିଲିଂ କ୍ଷମତା ବୃଦ୍ଧି ପାଉଥଲା। ଆଉ ଏନେଇ ଗତ ୧୧ ତାରିଖ ‘ସମାଜ’ର ପ୍ରଥମ ପୃଷ୍ଠାରେ ‘ରାଇସ୍ ମିଲର୍ସଙ୍କ ମିଲିଂ କ୍ଷମତା ବୃଦ୍ଧିରେ ଚଞ୍ଚକତା’ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶନ ପରେ ମିଲର୍ସଙ୍କ ମଧ୍ୟରେ ଭାଳେଣି ପଡିଥିଲା। ଅନ୍ୟପଟେ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଅନ୍ଧାରରେ ରଖି କାରବାର ଚାଲିଥିବା ଅଭିଯୋଗ ହୋଇଥିଲା। ପୁନଃ ମିଲିଂ କ୍ଷମତା ଯାଞ୍ଚ କରାଗଲେ ଚଞ୍ଚକତା ଧରାପଡିବ ବୋଲି ଖବରରେ ଉଲ୍ଲେଖ କରାଯାଇଥିଲା। ପୁନଃ ମିଲିଂ କ୍ଷମତା ଯାଞ୍ଚ ନେଇ ବିଚାର ବିମର୍ଷ ଚାଲୁଥିବା ବି ସୂଚନା ଦିଆଯାଇଥିଲା। ୭ ଦିନ ମଧ୍ୟରେ ଜିଲାପାଳ ଶ୍ରୀ ରାଣା ଚିଠି କରି ଜିଲାର ମିଲର୍ସଙ୍କ ମିଲିଂ କ୍ଷମତା ଯାଞ୍ଚ କରିବାକୁ ଟିମ୍ ଗଠନ କରିଛନ୍ତି।

  ବର୍ତ୍ତମାନ ଜିଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି। ଏହି ଧାନ କୋଟା ଅଧିକ ପାଇବା ପାଇଁ ମିଲିଂ କ୍ଷମତା ବଢାଇ ଅଧିକ ଧାନ ଉଠାଇବା ପାଇଁ ମିଲର୍ସ ଗୋଡ ଟେକି ବସିଥିବା ଜଣାପଡିଥିଲା। ଏମିତିକି ମିଲର୍ସମାନେ ଯେତିକି ପରିମାଣର ଧାନ ଉଠାଇଥିଲେ, ସେତିକି ପରିମାଣର ଧାନ ଗୋଦାମରେ ମହଜୁଦ ନାହିଁ ବୋଲି ‘ସମାଜ’ରେ ସ୍ପଷ୍ଟ କରାଯାଇଥିଲା। ମିଲିଂ କ୍ଷମତା ବୃଦ୍ଧି ପାଇଁ କେମିତି ଚଞ୍ଚକତା କରାଯାଉଛି ସେ ସଂପର୍କରେ ସମସ୍ତ ସୂଚନା ସହ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆଉ ଏହାକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ବାରମ୍ବାର ବିଚାର ପରେ ଶେଷରେ ଜିଲାପାଳ ଶ୍ରୀ ରାଣା ମିଲର୍ସଙ୍କ ମିଲିଂ କ୍ଷମତା ପୁନଃ ଯାଞ୍ଚ କରିବା ପାଇଁ ୧୭ ତାରିଖ(ଗୁରୁବାର)ରେ ଚିଠି ସଂଖ୍ୟା ୧୦୮୯୩ରେ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଜିଲାର ୪୬ଟି ମିଲର୍ସଙ୍କ ମିଲ୍ ଯାଞ୍ଚ କରାଯିବ ବୋଲି କୁହାଯାଇଛି। କେବଳ ସେତିକି ନୁହେଁ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଟିଟିଲାଗଡ, ପାଟଣାଗଡ ଉପ ଜିଲାପାଳଙ୍କ ସହ ତହସିଲଦାରମାନେ ରହିବେ। ସେମାନଙ୍କ ନେତୃତ୍ୱରେ ସହକାରୀ ଯୋଗାଣ ଅଧିକାରୀ, ଯୋଗାଣ ନିରୀକ୍ଷକ, ଏଫ୍ସିଆଇ ଅଧିକାରୀଙ୍କ ସହ ବିଦ୍ୟୁତ ବିଭାଗର ଜେଇମାନେ ଯାଞ୍ଚ ଟିମ୍ରେ ସାମିଲ ହେବେ। ଜିଲାର ଆଗଲପୁର, ବେଲପଡ଼ା, ଦେଓଗାଁ, ବଲାଙ୍ଗିର, ଗୁଡଭେଲା, ପାଟଣାଗଡ, ପୁଇଁନ୍ତଲା, ସଇଁନ୍ତଲା, ଟିଟିଲାଗଡ, କଣ୍ଟାବାଞ୍ଜି ତହସିଲ ଅଞ୍ଚଳରେ ଥିବା ମିଲ୍ଗୁଡ଼ିକରେ ଯୁଗ୍ମ ଟିମ୍ ମିଲିଂର ବିଭିନ୍ନ ମାପ ଦଣ୍ଡ ଉପରେ ତର୍ଜମା କରିବେ। ସବୁଠାରୁ ବଡ କଥା ହେଉଛି ଯେ, ତଦନ୍ତର ୧୫ ଦିନ ମଧ୍ୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ରିପୋର୍ଟ ଦେବାକୁ ଜିଲାପାଳ ଶ୍ରୀ ରାଣା ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ପ୍ରସଙ୍ଗରେ ଆଉ ଏକ କଥା ବି ଆଲୋଚନାକୁ ଆସୁଛି। ମିଛ କାଗଜପତ୍ରରେ ବେଧଡକ ଭାବେ ମଣ୍ଡିରୁ ଧାନ କିଣାଯାଇଥିବା ଦର୍ଶାଯାଉଛି। ମଣ୍ଡିରୁ କେଉଁ ମିଲର୍ସ କେତେ ଧାନ ଉଠାଇଛନ୍ତି ଓ ସେତିକି ଧାନ ଗୋଦାମରେ ମହଜୁଦ ଅଛି କି ନାହିଁ। ଯଦି ଚାଉଳ ଦେଇଛନ୍ତି ତା’ର ବିସ୍ତୁତ ସୂଚନା ସହ ବିଦ୍ୟୁତ ବିଲ୍ ନେଇ ସମାନ୍ତରାଳ ଆକଳନ କଲେ କ୍ଷୀର ଓ ନୀର ଅଲଗା ହେଇଯିବ। ଆଉ କିଛି କଳା କାରବାର କରୁଥିବା ମିଲର୍ସଙ୍କୁ ଚିହ୍ନଟ କରି ପୂର୍ବ ରେକର୍ଡ ସହ ଏବେକାର ସ୍ଥିତି ସଂପର୍କରେ ଯାଞ୍ଚ କରାଗଲେ ଅନେକ ଗୁପ୍ତ ସନ୍ଧି ସାମ୍ନାକୁ ଆସିବ ବୋଲି ମତପ୍ରକାଶ ପାଇଛି। ଜିଲାପାଳ ଶ୍ରୀ ରାଣାଙ୍କ ଚିଠି ପରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦିଲୀପ କୁମାର ପାତ୍ର ପ୍ରତିକ୍ରିୟାରେ କହିଥିଲେ ଯେ, ପୁନଃ ଯାଞ୍ଚ ହେଲେ ମିଲିଂ ଓ ମିଲର୍ସଙ୍କୁ ନେଇ ରହି ଆସିଥିବା ସନ୍ଦେହ ସତ କି ମିଛ ଜଣାପଡିବ। ଭୁଲ ଭଟକା ଥିଲେ ଧରାପଡିବ। ଠିକ୍ ଥିଲେ ତଥ୍ୟଗତ ପ୍ରମାଣ ଆମ ପାଖରେ ମହଜୁଦ ରହିବ। ଆଗାମୀ ଦିନରେ କେଉଁ ଆଙ୍ଗୁଠି ଉଠାଇ ପାରିବେ ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories