www.samajalive.in
Saturday, December 13, 2025
26.1 C
Bhubaneswar

ବିବାଦରେ ମନରେଗା ବନୀକରଣ: ସରିନି କାମ, ସରିଛି କୋଟା

ବଲାଙ୍ଗିର: ପଛୁଆ ଜିଲା ବଲାଙ୍ଗିର। ଜିଲାର ବିକାଶ ଛବିରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି(ମନରେଗା) ଏକ ସଫଳତମ ଯୋଜନା। ବଲାଙ୍ଗିର ଜିଲାରେ ଏହି ଯୋଜନାରେ ଅନେକ କାମ ହେଉଛି। କଥା ଓ କାଗଜପତ୍ରରେ ବେଶ ସୁନ୍ଦର ଲାଗେ ଯୋଜନା ବଖାଣିବା। ଏଥିପାଇଁ ଉପରୁ ତଳ ସମସ୍ତଙ୍କୁ ସାବାସୀ ମିଳେ। କିନ୍ତୁ କାମର ପ୍ରକୃତ ସ୍ଥିତି ପରଖି ଦେଲେ ତାହା ସତ୍ୟ ନୁହେଁ ବୋଲି ଜଣାପଡ଼ିଛି। ସରକାରୀ ଦସ୍ତାବେଜ ଓ ବାସ୍ତବତା ମଧ୍ୟରେ ଆକାଶ ପାତାଳ ଫରକ। ହେରଫେର ଖବର ଲୋକଙ୍କ ନଜରକୁ ଆଣିଲେ ଛାତି ଫାଟିଯାଏ ପ୍ରଶଂସା ସାଉଁଟୁ ଥିବା ଓ ପକେଟ ଭରୁଥିବା ବାବୁମାନଙ୍କର। ଅତୀତରେ ବଲାଙ୍ଗିର ଜିଲାରେ ମନରେଗା ଯୋଜନାରେ ହୋଇଥିବା ହେରଫେର ସଂପର୍କରେ ଅନେକ ଖବର ହୋଇଛି। ତଦନ୍ତ ନାଁରେ ଫାଇଲ ଖୋଲା ହୋଇଛି ଓ ଗଡୁଛି। ଆଉ ଏବେ ପୁଣି ବିବାଦୀୟ ହୋଇଛି ବଲାଙ୍ଗିର ଜିଲା ଦେଓଗାଁ ବ୍ଲକର ପର୍ଯ୍ୟଟନ କ୍ଷେତ୍ର ଭୀମ ଡୁଙ୍ଗରୀର ଆଖ ପାଖ ଅଞ୍ଚଳରେ ହୋଇଥିବା ମନରେଗା ଯୋଜନାରେ ବନୀକରଣ।
ପର୍ଯ୍ୟଟନ କ୍ଷେତ୍ର ଭୀମଡୁଙ୍ଗିରୀ ଦେଓଗାଁ ବ୍ଲକର ହୋଇଥିଲେ ବି ବଲାଙ୍ଗିର ସଦର ବନ ବିଭାଗ ରେଞ୍ଜ ଆଟଗାଁ ସେକ୍ସନର ଜାମଝରଣ ବିଟ୍ରେ ମନରେଗା ଯୋଜନାରେ ୨୦୧୯-୨୦ରୁ ୨୦୨୧-୨୨ ଯାଏ ଶହେ ହେକ୍ଟର ଜମିରେ ବନୀକରଣ କରିବା ପାଇଁ ସ୍ଥିର ହୋଇଛି। ଏଥିପାଇଁ ଖର୍ଚ୍ଚ ହେବ ୩୬ଲକ୍ଷ ୪୨ହଜାର ୩୬୦ ଟଙ୍କା। ଯୋଜନା ସ୍ଥଳରେ ସୂଚନା ଫଳକରେ ସବୁ କଥା ଉଲ୍ଲେଖ ହୋଇଛି। ବିଭିନ୍ନ ସମୟରେ ବବୁଲ, ଅଁଳା, ପାହାଡି ଶିଶୁ, ଖଇର, ଅର୍ଜୁନ, ବାଉଁଶ, କାଜୁ, ରକ୍ତଚନ୍ଦନ, ବାହାଡା, ଗମ୍ଭାରୀ ଭଳି ଗଛ  ଲଗାଯାଇଛି। ଇତିମଧ୍ୟରେ ୪୪ହଜାର ଗଛ ଲଗା ଯାଇଥିବା କୁହାଯାଉଛି ବନ ବିଭାଗ ପକ୍ଷରୁ। ଅଳ୍ପ କିଛି ଗଛ ଲଗାଇବା ବଦଳରେ ଗଛଗୁଡ଼ିକୁ ସଜାଇ ରଖାଯାଇଛି। ହେଲେ ଲୋକଙ୍କ ଅଭିଯୋଗ ଯେ, ଗଛଗୁଡ଼ିକୁ ବନ ବିଭାଗ ପକ୍ଷରୁ ତେଲପାଲି ନିକଟ ବାବୁ ମୁଡା ଓ କଗଜ ନାଳାରେ ଫିଙ୍ଗି ଦିଆଯାଇଥିଲା। ଗଣମାଧ୍ୟମ ଉପସ୍ଥିତି ଜାଣିବା ପରେ ସେଠାରୁ ଗଛ ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଜାମଝରଣ, ହିର୍ଲିମାଲ, ତେଲପାଲି, ରୁଗୁଡ଼ିପାଲି, ଭୀମଡୁଙ୍ଗୁରୀ, ପୁରୁଣାପାଣି, ଥାଲବନ୍ଧ, ମୁକୁନ୍ଦପୁରରେ ବନୀକରଣ ଓ ସ୍ଥାନୀୟ ଲୋକେ କାମ କରିଥିବା କୁହାଯାଉଛି। ଆଉ ସ୍ଥାନୀୟ ଲୋକେ ବନୀକରଣ ନାଁକୁ ମାତ୍ର ବୋଲି ଅଭିଯୋଗ କରିଛନ୍ତି। ବନୀକରଣର ନେଇ ସୂଚନା ଫଳକ ଛାଡିଲେ ଖାସ୍ କିଛି ନଜରକୁ ଆସି ନାହିଁ। ଯେଉଁ ଲୋକମାନେ ବନୀକରଣ କାମ କରିଛନ୍ତି ବୋଲି ଦେଖା ଯାଉଛି, ସେମାନେ କାମ କରି ନଥିବା କହୁଛନ୍ତି। ସେମାନଙ୍କ ମଧ୍ୟରେ ଜାମଝରଣ ଗାଁର ରାଜେନ୍ଦ୍ର ନାୟକ(ଗାଁ ସାଥୀ) କହିଛନ୍ତି ଯେ, ମୋ ଘର ଲୋକେ କାମକୁ ଯାଇ ନାହାନ୍ତି। ସେମାନଙ୍କ ନାଁରେ ଟଙ୍କା ଉଠିଛି। ଏଥିସହିତ ସେହି ଜାମଝରଣ ଗାଁର ଟ୍ରାକ୍ଟର ମାଲିକ କବିରାଜ ଚୌଧୁରୀ। ଶ୍ରୀ ଚୌଧୁରୀଙ୍କ ମା’, ବାପାଙ୍କ ସହ ଭଉଣୀ କାମ କରିଥିବା ଦେଖାଇ ଯାଇଛି ବନ ବିଭାଗ ଦସ୍ତାବେଜରେ। ହେଲେ ସେମାନେ କାମ କରି ନଥିବା କହିଛନ୍ତି ଶ୍ରୀ ଚୌଧୁରୀ। ଏଭଳି ଅନେକ ଲୋକ କାମ କରି ନଥିଲେ ବି ସେମାନଙ୍କ ନାଁରେ ଟଙ୍କା ଉଠାଯାଇଥିବା ଅଭିଯୋଗ ହେଉଛି।
କେବଳ ସେତିକି ନୁହେଁ, ମୁକୁନ୍ଦପୁର-ରୁଗୁଡ଼ିପାଲି ୧୦ କିଲୋମିଟର ମଧ୍ୟରେ ବନ ବିଭାଗ ପକ୍ଷରୁ ପଥ ପାଶ୍ୱର୍ ବନୀକରଣ କରିବାକୁ ୨୦ଲକ୍ଷ ୧୨ହଜାର ୯୨୨ ଟଙ୍କାର ଅନୁମୋଦନ ହୋଇଛି। ୨୫ଶହ ଗଛ ଲଗାଯାଇଥିବା ଦର୍ଶାଯାଉଛି। ହେଲେ ଭୀମପାହାଡରୁ ମୁକୁନ୍ଦପୁର ମଧ୍ୟରେ ଗଛ ତ ଛାଡ ଗଛ ଲଗାଇବାର ଖାଲ ବି ନାହିଁ। ଏଥିସହିତ ୨୦୧୭-୧୮ରୁ ମୁକୁନ୍ଦପୁର ପଞ୍ଚାୟତ ପକ୍ଷରୁ ରୁଗୁଡ଼ିପାଲି-ଭୀମପାହାଡ, ମୁକୁନ୍ଦପୁର ପଞ୍ଚାୟତର ମୁକୁନ୍ଦପୁର-ଭୀମପାହାଡ ପାଇଁ ୨ଲକ୍ଷ ୨୮ହଜାର ୬୯୧ ଟଙ୍କାର ଗଛ ଲଗାଇବା ସାମଗ୍ରୀ ପକା ଯାଇଥିବା ଦର୍ଶାଉଥିଲେ ବି କିଛି ନାହିଁ। ଅନ୍ୟପଟେ ସେହି ରାସ୍ତାରେ ବନ ବିଭାଗ ଗଛ ଲଗାଇବାକୁ ୨୦୧୯-୨୦ରେ ନିଷ୍ପତ୍ତି ନେଇଛି। ଯେଉଁଠି ପୂର୍ବରୁ ୨ଥର ଗଛ ଲଗା ସରିଲାଣି ସେଠି ପୁଣିଥରେ ଗଛ ଲଗାଇବାକୁ ଯୋଜନା କରିବାର ଅର୍ଥ ସନ୍ଦେହକୁ ଦି’ଗୁଣା କରୁଛି। ସେହିପରି ମୁକୁନ୍ଦପୁର ପଞ୍ଚାୟତରେ ମନରେଗା ଯୋଜନାରେ କାମ ଅଛି। ହେଲେ ବନ ବିଭାଗରୁ ମନରେଗା କାମରେ ବହୁ ଜବକାର୍ଡଧାରୀଙ୍କର ଶହେ ଦିନର କାମ ଶେଷ ହୋଇଯାଇଛି। ଫଳରେ ଲୋକଙ୍କୁ କାମ ଦିଆଯାଇ ପାରୁ ନଥିବା ଭଳି ପ୍ରସଙ୍ଗ ବି ସାମ୍ନାକୁ ଆସିଛି। ଜଙ୍ଗଲ ବିଭାଗର ଆଟଗାଁ ଫରେଷ୍ଟର ଠଣ ସୁନ୍ଦର ଧରୁଆଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା। ଶ୍ରୀ ଧରୁଆଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ଅନ୍ୟପଟେ ବଲାଙ୍ଗିର ଡିଏଫ୍ଓ ସମୀର କୁମାର ଶତପଥୀଙ୍କୁ ଯୋଗାଯୋଗ କରିବାରୁ ଆପଣଙ୍କ କଥା ଶୁଣି ପ୍ରତିକ୍ରିୟା ଦେଇ ହେବନି। ଆମେ ତଦନ୍ତ କରିବୁ। ବିନା ତଦନ୍ତରେ କହିଦେବା ଭୁଲ ହେବ କହିଛନ୍ତି ଶ୍ରୀ ଶତପଥୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories