www.samajalive.in
Monday, December 8, 2025
13.1 C
Bhubaneswar

ଉଦ୍ୟାନ କୃଷି ବିଭାଗର ନାହିଁ ଆନ୍ତରିକତା; ସମ୍ଭାବନା ଅଛି, ପ୍ରୋତ୍ସାହନ ନାହିଁ

ଖପ୍ରାଖୋଲ: ଉନ୍ନତ କୃଷି ପାଇଁ ଆବଶ୍ୟକ ଉତ୍ତମ ମାନର ଚାରା, ଏହି ଚାରା ଉତ୍ପାଦନ ପାଇଁ ଲୋଡା ସ୍ୱୀକୃତି ପ୍ରାପ୍ତ ତଥା ଭରସା ଯୋଗ୍ୟ ନର୍ସରୀ। କୃଷି ପ୍ରଧାନ ଖପ୍ରାଖୋଲ ବ୍ଲକରେ ଏଭଳି ଏକ ନର୍ସରୀଟିଏ ହୋଇପାରିନାହିଁ। ଜମିର ଅଭାବ ନାହିଁ। ବ୍ଲକର ୮୦ ପ୍ରତିଶତରୁ ଅଧିକ ପରିବାର କୃଷି ଉପରେ ନିର୍ଭରଶୀଳ। ଏହି କୃଷକ ପରିବାରମାନେ ପ୍ରାୟତଃ ପାରମ୍ପରିକ କୃଷିର ଗୁଳା ଭିତରୁ ବାହାରି ପାରୁନାହାନ୍ତି। ଏ ଦିଗରେ ଆବଶ୍ୟକ ବୈଷୟିକ ପରାମର୍ଶ ଓ ପ୍ରୋତ୍ସାହନ ମିଳିପାରୁ ନ ଥିବା ନେଇ ଅଭିଯୋଗ ହୋଇ ଆସୁଛି।

ଅନେକ ଶିକ୍ଷିତ ଯୁବକ ଯୁବତୀ ଉଦ୍ୟାନ କୃଷିକୁ ଜୀବିକା ଭାବେ ଗ୍ରହଣ କରିବାକୁ ଚାହୁଁଥିଲେ ମଧ୍ୟ ଏକାଧିକ ସମସ୍ୟା ଏଥିରେ ବାଧକ ହୋଇଛି। ମଞ୍ଜିି କିଣାଠାରୁ ଚାରା ମିଳିବା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ସହିତ ଠକାମୀର ଆଶଙ୍କା ରହୁଛି। ଉନ୍ନତ ମାନର ଚାରା ଯୋଗାଇ ଦେଲେ ଯୁବକମାନେ ନର୍ସରୀ କରି ଆତ୍ମନିର୍ଭରଶୀଳ ହୋଇପାରନ୍ତେ। ମାତ୍ର ଯୋଜନା ବିଷୟରେ ଉଦ୍ୟାନ ବିଭାଗ ପକ୍ଷରୁ ଅବଗତ କରାଯାଉ ନଥିବାରୁ ଏହି କାର୍ଯ୍ୟ ଯେଭଳି ଆଗକୁ ଯିବା କଥା ତାହା ଆଗେଇ ପାରିନାହିଁ। ବିଭାଗ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ମିଳି ନଥିବାରୁ ଏଯାଏ ଖପ୍ରାଖୋଲ ବ୍ଲକରେ ମଡେଲ ନର୍ସରୀଟିଏ ହୋଇପାରିନାହିଁ। କିଛି ସାଧାରଣ ଜନତା ଉଦ୍ୟୋଗୀ ନିଜ ଉଦ୍ୟମରେ ନର୍ସରୀ କରି ଚଳାଉଛନ୍ତି। କିନ୍ତୁ ସେସବୁ ପଞ୍ଜିକୃତ ହୋଇ ନଥିବାରୁ ଏଠାରୁ ଚାରା କିଣି ଚାଷୀ କ୍ଷତିରେ ପଡ଼ିଲେ ଉତ୍ତରଦାୟୀ କିଏ ହେବ ତାହାକୁ ନେଇ ଆଶଙ୍କା ଦେଖାଦେଇଛି। ସରକାରୀ ବୃକ୍ଷରୋପଣ ପାଇଁ ଆବଶ୍ୟକ ଚାରା ପଞ୍ଜିକୃତ ନର୍ସରୀରୁ ଯାଇଥାଏ। ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନର୍ସରୀ ତିଆରି କରିବାର ଯୋଜନା ସରକାରଙ୍କର ରହିଛି। କିନ୍ତୁ ଏଯାଏ ତାହା ଏଠାରେ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ବ୍ଲକର ୫ଟି ପଞ୍ଚାୟତରେ କୃଷି ଉଦ୍ୟାନ ବିଭାଗ ପକ୍ଷରୁ ଏନ୍‍ଆର୍‍ଇଜିଏସ୍‍ ପାଣ୍ଠିରେ କେବଳ ଆମ୍ବ ଚାରା ରୋପଣ କରାଯାଇଛି। ପୁଟକେଲଚୁଅାଁ, ଓଡିଆପାଲି, ନାନ୍ଦୁପଲାର କୁଠୁର୍ଲା, ଭାନପୁର ପଞ୍ଚାୟତର ଝାଙ୍କରପାଲି ଏବଂ ମାଟିଆଭଟା ପଞ୍ଚାୟତ ପୁତୁଲାମହୁଲ ଗ୍ରାମରେ ୧୮ହେକ୍ଟର ଜମିରେ ୭,୯୨୦ ଆମ୍ବ ଚାରା ରୋପଣ କରାଯାଇଥିବା ଜାଣିବାକୁ ମିଳିଛି। ଓବିସି, ଏସ୍‍ସି,ଏସ୍‍ଟି, ବିପିଏଲ ଜବ୍‍ କାର୍ଡ ଧାରୀଙ୍କୁ ଏହି ଯୋଜନାରେ ସାମିଲ କରିବାର ନିୟମ ରହିଥିବା ବେଳେ ସେମାନଙ୍କ ପାଖରେ ଆବଶ୍ୟକ ଜଳସେଚନ ସୁବିଧା ରହିଥିବା ଦରକାର। ଜଣେ ହିତାଧିକାରୀଙ୍କୁ ୧.୫ ଜମି ପାଇଁ ବିଭାଗ ପକ୍ଷରୁ ୨୦୦ ଚାରା ଦିଆଯାଉଛି। ଚାଷୀମାନେ ଗୋଟିଏ ଚାରାକୁ ୨୬ ଟଙ୍କାରେ ବିଭାଗ ପକ୍ଷରୁ କିଣୁଛନ୍ତି। ପଲ୍ଲୀସଭା ଗ୍ରାମସଭା ଜରିଆରେ ହିତାଧିକାରୀ ମନୋନୟନ କରାଯିବାର ନିୟମ ରହିଥିଲେ ହେଁ ବିଭାଗ ପକ୍ଷରୁ ପ୍ରଚାର ପ୍ରସାର ଅଭାବରୁ ସାଧାରଣ ଜନତା ଏହି ଯୋଜନାରେ ସାମିଲ ହୋଇପାର ନ ଥିବା ଅଭିଯୋଗ ହୋଇଛି।

- Advertisement -

କେବଳ ଆମ୍ବ ନୁହେଁ ଅନ୍ୟାନ୍ୟ ଫଳ ଆଦି ଚାରା ରୋପଣ କରାଗଲେ ଅଞ୍ଚଳର ଚାଷୀ ଅଧିକ ଉପକୃତ ହୋଇପାରନ୍ତେ। ଫଳରେ ଚାଷୀ ଆତ୍ମନିର୍ଭରଶୀଳ ହେବା ସହିତ ନିଜର ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହୋଇପାରିବେ। ଉଦ୍ୟାନ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସଚେତନତା କରିବା ସହିତ ରିଆତିରେ ହିତାଧିକାରୀଙ୍କୁ ଚାରା ଯୋଗାଇଦେବା ପାଇଁ ଦାବି ହୋଇଛି। ଏଥି ସହିତ ଏକ ମଡେଲ ନର୍ସରୀ ବିଭାଗ ପକ୍ଷରୁ କରାଗଲେ ଅଧିକ ସଂଖ୍ୟାରେ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇପାରିବେ ବୋଲି ଚାଷୀମାନେ ମତ ଦେଇଛନ୍ତି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories