www.samajalive.in
Sunday, December 14, 2025
15.1 C
Bhubaneswar

ଗଞ୍ଜାମକୁ ଲମ୍ବିଛି ‘ପାଠକ’ ଚେର; ବ୍ରହ୍ମପୁର ବ୍ୟାଙ୍କରେ ଜମା ହୋଇଛି ଟଙ୍କା

ବ୍ରହ୍ମପୁର : ବହୁକୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଚେର ଗଞ୍ଜାମକୁ ଲମ୍ବିଛି। ଅଭୟକାନ୍ତ ଏବଂ ତାଙ୍କ ପୁଅ ଆକାଶ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ବାପା-ପୁଅ ନିଜ ବ୍ୟାଙ୍କ ଆକାଉଣ୍ଟ୍‌ରେ ବିପୁଳ ଟଙ୍କା ଜମା କରିଛନ୍ତି । କେବଳ ଭୁବନେଶ୍ବର ନୁହଁ, ବ୍ରହ୍ମପୁରର ଏକ ବ୍ୟାଙ୍କରେ ଆକାଶ କୋଟି କୋଟି ଟଙ୍କା ଜମା କରିଥିବା ଭିଜିଲାନ୍ସ ତରଫରୁ କୁହାଯାଇଛି । ଯାହାକୁ ନେଇ କେବଳ ବ୍ରହ୍ମପୁର ନୁହଁ, ସାରା ଗଞ୍ଜାମ ଜିଲାରେ ଆଲୋଚନା ଆରମ୍ଭ ହୋଇଛି। ବନ ବିଭାଗରେ କାର୍ଯ୍ୟରତ ବେଳେ ଅଭୟ ବହୁ ବର୍ଷ ଧରି ବ୍ରହ୍ମପୁରରେ ବିଭିନ୍ନ ପଦ ପଦରେ ରହିଥିଲେ । ତାଙ୍କ ପୁଅ ଆକାଶ ମଧ୍ୟ ଏଠାରେ ସକ୍ରିୟ ଥିଲେ । ଏବେ ବ୍ରହ୍ମପୁରସ୍ଥିତ ବ୍ୟାଙ୍କରେ ଟଙ୍କା ଜମା ହୋଇଥିବା ନେଇ ଜଣାପଡ଼ିବା ପରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଦଳ ସହରକୁ ଆସି ତଦନ୍ତ କରିବାର ସୂଚନା ମିଳିଲାଣି। କେବଳ ବ୍ୟାଙ୍କ ବିବରଣୀ ନୁହଁ, ଆକାଶଙ୍କ ସଂପର୍କୀୟଙ୍କ ସଂପର୍କରେ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରିବ ବୋଲି ପ୍ରଚାର ହେବା ପରେ ଗଞ୍ଜାମ ରାଜନୀତି ସରଗରମ ହୋଇପଡ଼ିଛି ।
ତଦନ୍ତରେ ସାମିଲ୍‌ ଜଣେ ଅଧିକାରୀ ଶୁକ୍ରବାର ଗଣମାଧ୍ୟମକୁ କହିଥିଲେ ଯେ, ଭୁବନେଶ୍ବରସ୍ଥିତ ଏକ ବ୍ୟାଙ୍କରେ ଆକାଶ ୮କୋଟି ୪୦ ଲକ୍ଷ ଟଙ୍କା ନଗଦ ଜମା କରିଛନ୍ତି । ବ୍ରହ୍ମପୁରସ୍ଥିତ ଏକ ବ୍ୟାଙ୍କ୍‌ରେ ମଧ୍ୟ ଟଙ୍କା ଜମା ହୋଇଥିବା ଅଧିକାରୀ ଜଣକ କହିଥିଲେ । ଭିଜିଲାନ୍ସ ଅଧିକାରୀଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ସାରା ଗଞ୍ଜାମରେ ଚର୍ଚ୍ଚା ଜୋର୍‌ ଧରିଛି । ଅଭୟକାନ୍ତଙ୍କ ଚାକିରି ଜୀବନର ଅନେକ ସମୟ ବ୍ରହ୍ମପୁରରେ କଟିଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ଭାବେ ୩ ଥର ଦାୟିତ୍ବ ସମ୍ଭାଳିଛନ୍ତି । ୨୦୦୪ ମସିହା ଜୁନ୍‌ ୨୮ତାରିଖରେ ସେ ବ୍ରହ୍ମପୁର ଡିଏଫ୍‌ଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହି ପଦରେ ସେ ୨୦୦୫ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ରହିଥିଲେ । ପରବର୍ତ୍ତୀ ସମୟରେ ସେ ଆଉ ଦୁଇଥର ବ୍ରହ୍ମପୁର ଡିଏଫ୍‌ଓ ଭାବେ ଅସ୍ଥାୟୀ ଦାୟିତ୍ବରେ ରହିଛନ୍ତି । ଏତଦ୍‌ବ୍ୟତୀତ ସେ ବ୍ରହ୍ମପୁର ଆଞ୍ଚଳିକ ବନାଞ୍ଚଳ ଅଧିକାରୀ(ଆର୍‌ସିସିଏଫ୍‌) ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ୍‌(ଓଏଫ୍‌ଡିସି)ର ଜେନେରାଲ୍‌ ମ୍ୟାନେଜର୍‌ ଭାବେ ବିଭିନ୍ନ ସମୟରେ ନିଯୁକ୍ତି ପାଇଛନ୍ତି । ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ ଅଭୟକାନ୍ତ ଭିନ୍ନ ଭିନ୍ନ ସମୟରେ ଏହି ସବୁ ପଦରେ ରହିଥିଲେ । ଭାରତୀୟ ବନ ସେବା(ଆଇଏଫ୍‌ଏସ୍‌)ଅଧିକାରୀ ହୋଇଥିଲେ ମଧ୍ୟ ଅଭୟକାନ୍ତ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରୁ ୨୦୧୩ ମସିହାରେ ସମ୍ମାନଜନକ ଡକ୍ଟରେଟ୍‌ ଡିଗ୍ରୀ ପାଇଛନ୍ତି ।
ଅଭୟକାନ୍ତ ଗଞ୍ଜାମ ଜିଲାରେ କେବଳ ବୃତ୍ତିଗତ ନୁହଁ, ବରଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ସକ୍ରିୟ ହୋଇପଡ଼ିଥିଲେ । ଜିଲାର ଜଣେ ବିଧାୟକଙ୍କ ଝିଅ ଏବଂ ଅଭୟଙ୍କ ପୁଅ ଆକାଶଙ୍କ ମଧ୍ୟରେ ନିକଟ ଭବିଷ୍ୟତରେ ବାହାଘର ସ୍ଥିର ହୋଇଥିଲା । ନିମନ୍ତ୍ରଣ ପତ୍ର ଛପା ସହ କଲ୍ୟାଣ ମଣ୍ଡପ ବୁକ୍‌ ହୋଇ ସାରିଛି । ପାଠକ ବାପା-ପୁଅ ଗିରଫ ହେବା ପରେ ବର୍ତ୍ତମାନ ଭିଜିଲାନ୍ସ ତଦନ୍ତର ହାତ ସଂପୃକ୍ତ ନେତାଙ୍କ ପାଖରେ ମଧ୍ୟ ପହଞ୍ଚିବାର ଆଶଙ୍କା ଉପୁଜିଛି । ଶନିବାର ଭିଜିଲାନ୍ସ ତରଫରୁ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ, ଅଭୟକାନ୍ତଙ୍କ ଆୟବହିର୍ଭୁତ ସଂପତ୍ତି ଠୁଳ ମାମଲାର ତଦନ୍ତ ବର୍ତ୍ତମାନ ଏସ୍‌ଆଇଟି କରୁଛି । ଅଧିକ ତଦନ୍ତ ପାଇଁ ସିଆର୍‌ପିସି ୧୬୦ ଜାରି କରାଯାଇ ତାଙ୍କ ସଂପର୍କୀୟଙ୍କୁ ପଚରାଉଚରା କରାଯିବ । ଅଭୟକାନ୍ତଙ୍କ ସହ ସଂପର୍କ ରହିଥିବା ବ୍ୟକ୍ତିବିଶେଷଙ୍କୁ ହାଜିର ପାଇଁ ନୋଟିସ୍‌ ଜାରି କରାଯିବ । ଏକଥା ଘୋଷଣା ହେବା ପରେ ଏବେ ସଂପୃକ୍ତ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ବିଭିନ୍ନ କଥା ଆଲୋଚନା ହେଉଛି । ଅଭୟକାନ୍ତଙ୍କ ଦୁର୍ନୀତିର ଚେର ଗଞ୍ଜାମ ଯାଏଁ ଲମ୍ବିଥିବା ଅନୁମାନ କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories