www.samajalive.in
Monday, December 8, 2025
16.1 C
Bhubaneswar

ହାତୀ ଘଉଡ଼ାଇବାକୁ ବନ ଓ ପୁଲିସ କର୍ମଚାରୀ ନାକେଦମ, ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବୃଦ୍ଧ

ନର୍ଲା: କେସିଙ୍ଗା ବନାଞ୍ଚଳ ତଥା ନର୍ଲା ବ୍ଲକ ଅନ୍ତର୍ଗତ ଗିଗିନା ପଂଚାୟତ ଶ୍ରୀପୁର ଗାଁରେ ରବିବାର ମା’ ଓ ଛୁଆ ହାତୀକୁ ଦେଖିବାକୁ ମିଳିଥିଲା। ବନ ବିଭାଗ ଓ ପୁଲିସ ପକ୍ଷରୁ ସେମାନଙ୍କୁ ଘଉଡାଇବାକୁ ଦିନତମାମ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସଫଳତା ମିଳି ନ ଥିଲା। ଏହି ଦୁଇ ହାତୀ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିଲେ। ଯନ୍ତ୍ରଚାଳିତ ଆତିସବାଜିରେ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଲୋକଙ୍କ ପାଟିତୁଣ୍ଡ ଏବଂ ନଦୀର ଉଭୟପଟୁ ଟର୍ଚ୍ଚଲାଇଟ୍‌ ମାରିବା ଯୋଗୁଁ ରାତି ପର୍ୟ୍ୟନ୍ତ ଦୁଇହାତୀ ସାନ୍ଦୁଲନଦୀ ନିକଟରେ ରହିଛନ୍ତି। ଅପରପକ୍ଷେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ହାତୀ ଘଉଡାଇବା ସମୟରେ ସେ ତଳେ ପଡିଯାଇଥିଲେ। ଏକ ମାଈହାତୀ ତାଙ୍କ ଅତି ନିକଟକୁ ଆସି ପୁଣି ଫେରିଯାଇଥିଲା।

ଶ୍ରୀପୁର ଗ୍ରାମର ଜଣେ ବ୍ୟକ୍ତି ଆଜି ସକାଳୁ ନିଜ ଜମିପଟକୁ ଯାଉଥିବା ବେଳେ ୨ଟି ହାତୀ ଦେଖିଥିଲେ। ତାଙ୍କ ସୂଚନାରୁ ବନ ଅଧିକାରୀ ଏବଂ ନର୍ଲା, ମ.ରାମପୁର, କେସିଙ୍ଗା ଓ ପଲମ ପୁଲିସ ଘଟଣାସ୍ଥଳରେ ପହଂଚିଥିଲେ। ଉକ୍ତ ଦୁଇଟି ହାତୀ ମାଆ-ଛୁଆ ବୋଲି ବନ ଅଧିକାରୀ କହିଛନ୍ତି। ଶ୍ରୀପୁର ଗାଁ ନିକଟରେ ସେଭଳି ଜଙ୍ଗଲ ନ ଥିବା ବେଳେ ହାତୀ ଭୁଲବଶତଃ ରାସ୍ତା ନ ପାଇ ଏଠାକୁ ଚାଲି ଆସିଥିବା କୁହାଯାଇଛି। ହାତୀ ଦେଖିବା ପାଇଁ ଲୋକଙ୍କ ପ୍ରବଳଭିଡ ସକାଳେ ଦେଖିବାକୁ ମିଳିଥିଲା। ଚାରିପଟୁ ହାତୀକୁ ଘେରି ଲୋକେ ପାଟିତୁଣ୍ଡ କରୁଥିବା ବେଳେ ହଠାତ୍‌ ମାଈହାତୀଟି ଆକ୍ରମଣ ପାଇଁ ଲୋକଙ୍କ ଆଡକୁ ମୁହାଁଇଥିଲା। ତେଣୁ ଲୋକେ ପ୍ରାଣ ବିକଳରେ ଦୌଡି ପଳାଇଥିବା ବେଳେ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର କୁମାର ପଧାନ ଦୌଡୁଥିବା ଅବସ୍ଥାରେ ତଳେ ପଡିଯାଇଥିଲେ। ମାଈହାତୀଟି ଶ୍ରୀ ପଧାନଙ୍କ ଖୁବ୍‌ ନିଟକବର୍ତ୍ତୀ ହୋଇ ପୁଣି ଫେରି ଯାଇଥିଲା। ତେଣୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଶ୍ରୀ ପଧାନ ଏକ ନୂତନ ଜୀବନ ମିଳିଲା ବୋଲି ପ୍ରକାଶ କରିଛନ୍ତି। ଗାଁକୁ ଲାଗି ସାନ୍ଦୁଲନଦୀ ପ୍ରବାହିତ ହେଉଥିବା ବେଳେ ନଦୀକୂଳରେ ଥିବା ଏକ ଆମ୍ବ ବଗିଚାରେ ଦୁଇହାତୀ ରହିଛନ୍ତି। ନିକଟରେ ଥିବା ହରଡ ଚାଷ, ନିଳଗିରି ଗଛ ଓ ଆମ୍ବଗଛକୁ କିଛିମାତ୍ରାରେ କ୍ଷତି କରିଛନ୍ତି ହାତୀ।

- Advertisement -

ଏ ସଂପର୍କରେ କେସିଙ୍ଗା ବନପାଳ ଯୁଧିଷ୍ଠିର ଜାଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ହାତୀ କମେଁ ଗାଁ ଜଙ୍ଗଲପଟୁ ଆସିଛନ୍ତି ଓ ଡମପଦର ଆଡକୁ ଯାଇ ପୁଣି ଫେରିଛନ୍ତି। ଫେରିବା ବାଟରେ ସକାଳ ହୋଇଯିବାରୁ ଏହି ସ୍ଥାନରେ ରହିଛନ୍ତି। ହାତୀ ଉପରେ ଦିନତମାମ୍‌ ନଜର ରଖାଯାଇଛି। ଚାରିପଟେ ଲୋକଙ୍କ ଭିଡ କାରଣରୁ ହାତୀ ଭୟଭୀତ ହୋଇ ହିଂସା ପରାୟଣ ହେଉଛି। ହାତୀ ଘଉଡାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏପରିକି ଯନ୍ତ୍ରଚାଳିତ ଆତସବାଜି ସାହାଯ୍ୟରେ ହାତୀ ଘଉଡାଇବାକୁ ଚେଷ୍ଟା କରାଯାଉଛି। ହାତୀ ଦେଖିବା ପାଇଁ ଲୋକେ ନଦୀର ଉଭୟପଟରୁ ଟର୍ଚ୍ଚ ମାରୁଥିବା କାରଣରୁ ଦୁଇହାତୀ ଫେରିବାରେ ଅସୁବିଧା ହେଉଛି ବୋଲି ସେ କହିଥିଲେ। ଘଟଣାସ୍ଥଳରେ କେସିଙ୍ଗା ବନାଂଚାଳ ଅଧିକାରୀ ଦୀନବନ୍ଧୁ ମେହେର, ବନପାଳ ଶ୍ରୀ ଜାଲ, ଯଶୋବନ୍ତ ନାଏକ, ମ,ରାମପୁର ବନାଂଚଳ ଅଧିକାରୀ କେଶବ ମାଝୀ, ବନପାଳ ଦୀପକ ସା, ନର୍ଲା ବନାଂଚଳ ଅଧିକାରୀ ଗିରିଧାରୀ ନାଗ, ବନପାଳ ଭବାନୀଶଙ୍କର ନାଏକ, ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ପ୍ରମୁଖ ସଦଳବଳେ ରହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories