www.samajalive.in
Thursday, December 11, 2025
15.1 C
Bhubaneswar

ସମ୍ବଲପୁର ମହାନଗର : ୭ ବର୍ଷ ହେଲା ଲୋକପ୍ରତିନିଧିତ୍ବରୁ ବଞ୍ଚିତ

ସମ୍ବଲପୁର: ସମ୍ବଲପୁର ମ୍ୟୁନିସିପାଲିଟିରୁ ମହାନଗର ନିଗମ ହେବାକୁ ଇତି ମଧ୍ୟରେ ୭ ବର୍ଷ ବିତିଗଲାଣି। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ସମ୍ବଲପୁରବାସୀ ଏହି ୭ ବର୍ଷ ଭିତରେ ୨ଟି ମହାନଗର ନିର୍ବାଚନ ଦେଖି ସାରିଥିବା କଥା। କିନ୍ତୁ ନିଗମ ଭାବେ ଆତ୍ମପ୍ରକାଶ ଲାଭ କରିବା ପରଠାରୁ ଏ ପର୍ୟ୍ୟନ୍ତ ଗୋଟିଏ ବି ନିର୍ବାଚନ ହୋଇନାହିଁ। ପରିଣାମସ୍ବରୂପ ସମ୍ବଲପୁରବାସୀ ସାତ ବର୍ଷ ହେଲା ଲୋକପ୍ରତିନିଧିତ୍ବରୁ ବଞ୍ଚିତ ହୋଇ ଆସୁଛନ୍ତି। ଶାସନ ବ୍ୟବସ୍ଥାରେ ଲୋକଙ୍କ ପ୍ରତିନିଧିତ୍ବ ନାହିଁ। ବରଂ ଜନପ୍ରତିନିଧିଙ୍କ ସ୍ଥାନରେ ଅଫିସର ଗୋଷ୍ଠୀ ସମ୍ବଲପୁରବାସୀଙ୍କ ଭାଗ୍ୟ ନିୟନ୍ତା ସାଜିଛନ୍ତି। ଅଥଚ କୌଣସି ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଉନାହିଁ କି ପ୍ରତିବାଦର କ୍ଷୀଣ ସ୍ବରଟିଏ ଶୁଭୁନାହିଁ।
୧୨ ବର୍ଷ ତଳେ ୨୦୦୮ ମସିହା ଅଗଷ୍ଟ ମାସରେ ଶେଷ ଥର ପାଇଁ ସମ୍ବଲପୁର ପୌର ନିର୍ବାଚନ ହୋଇଥିଲା। ସେହି ବର୍ଷ ଅକ୍ଟୋବର ୧ ତାରିଖରେ ଶେଷ ପୌର ପରିଷଦ ଗଠିତ ହୋଇଥିଲା। ୨୦୧୩ ମସିହା ସେପଟେମ୍ବର ୨୯ ତାରିଖରେ ପାଞ୍ଚବର୍ଷିଆ କାର୍ୟ୍ୟକାଳ ଶେଷ ହେବା ସହ ପୌର ପରିଷଦ ଭଙ୍ଗ ହେଲା। ସେହି ଦିନରୁ ଆଜି ପର୍ୟ୍ୟନ୍ତ ସମ୍ବଲପୁର ପୌରପାଳିକା (ଏବେ ମହାନଗର) ଜନପ୍ରତିନିଧିଶୂନ୍ୟ ଅଛି। ଅଦାଲତି ସମସ୍ୟା ଯୋଗୁ ନିର୍ବାଚନ ହୋଇ ପାରୁନଥିବାରୁ ୭ ବର୍ଷ ହେଲା ଅମଲାଙ୍କ ଶାସନ ଚାଲିଛି।
ସମ୍ବଲପୁର ମ୍ୟୁନିସିପାଲିଟି ସହିତ ବୁର୍ଲା ଏନଏସି, ହୀରାକୁଦ ଏନଏସି ଏବଂ ଧନକଉଡ଼ା ଓ ମାନେଶ୍ବର ବ୍ଲକର ୧୨ଟି ପଞ୍ଚାୟତକୁ ମିଶାଇ ସମ୍ବଲପୁର ମହାନଗର ଗଠିତ। ୨ ଲକ୍ଷ ୭୦ ହଜାର ଜନସଂଖ୍ୟା ଓ ‌୪୧ଟି ୱାର୍ଡକୁ ନେଇ ମହାନଗର ନିଗମ। ୨୦୧୫ ମସିହା ଜାନୁଆରୀରେ ରାଜ୍ୟ ନଗର ଉନ୍ନୟନ ବିଭାଗ ମହାନଗର ସୀମା ପୁନଃନିର୍ଧାରଣ ଓ ‌​‌ୱାର୍ଡ ସଂରକ୍ଷଣ ପାଇଁ ବିଜ୍ଞପ୍ତି ଜାରି କରି ନିର୍ବାଚନୀ ସ​‌େଙ୍କତ ଦେଇଥିଲେ। ଏହା କାର୍ୟ୍ୟକାରୀ ହୋଇଥିଲେ ସମ୍ବଲପୁର ପ୍ରଥମ ମହାନଗର ନିର୍ବାଚନ ଦେଖିଥାନ୍ତା। କିନ୍ତୁ ‌ୱାର୍ଡ ସଂରକ୍ଷଣରେ ତ୍ରୁଟି ଓ ପକ୍ଷପାତ ନେଇ ହାଇକୋର୍ଟରେ ଅଭିଯୋଗ ହେବାରୁ ମହାନଗର ନିର୍ବାଚନ ମାଲିମକଦ୍ଦମାର ଅଗମ୍ୟ ଗଳିରେ ଏଭଳି ଫସିଯାଇଛି ଯେ ଆଜି ପର୍ୟ୍ୟନ୍ତ ​ସେଥିରୁ ମୁକୁଳି ପାରିନାହିଁ। ବୁର୍ଲାରେ ରହୁଥିବା କେନ୍ଦ୍ର ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଅଜିତ କୁମାର ମହାନ୍ତି ୱାର୍ଡ ସଂରକ୍ଷଣକୁ ଚାଲେଞ୍ଜ କରି ହାଇକୋର୍ଟରେ ଆପତ୍ତି କରିଥିଲେ। ସେ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଥିଲେ ଯେ ବୁର୍ଲାରେ ସାଧାରଣ ବର୍ଗର ଜନସାଧାରଣଙ୍କ ସଂଖ୍ୟା ସର୍ବାଧିକ; କିନ୍ତୁ ଏହାର ସବୁଯାକ ୱାର୍ଡ ଏସସି, ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ। ଏ ପ୍ରକାର ପକ୍ଷପାତପୂର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥା କାର୍ୟ୍ୟକାରୀ ହେଲେ ବୁର୍ଲାର ସାଧାରଣ ବର୍ଗ ଶାସନ ବ୍ୟବସ୍ଥାରେ ପ୍ରତିନିଧିତ୍ବରୁ ବଞ୍ଚିତ କରାଯାଇଛି। ୱାର୍ଡ ସଂରକ୍ଷଣ କ୍ଷେତ୍ରରେ ଏହି ଗୁରୁତର ତ୍ରୁଟି ସଂଶୋଧନ କରାନଯିବା ପର୍ୟ୍ୟନ୍ତ ନିର୍ବାଚନ ନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ଶ୍ରୀ ମହାନ୍ତି ଉଚ୍ଚ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ। ଜଷ୍ଟିସ ବିଶ୍ବନାଥ ରଥ ଏହି ମାମଲାର ଶୁଣାଣି କରି ପରବର୍ତ୍ତୀ ଆଦେଶ ଯାଏ ସମ୍ବଲପୁର ମହାନଗର ନିର୍ବାଚନ ନ କରାଇବାକୁ ୨୦୧୫ ମସିହା ଏପ୍ରିଲରେ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।
ୱାର୍ଡ ସଂରକ୍ଷଣରେ ତ୍ରୁଟି ଅଭିଯୋଗରୁ ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି ​‌େ​‌ହବା ପରଠାରୁ ସୃଷ୍ଟି ହୋଇଥିବା ଜଟିଳତା ଆଜି ପର୍ୟ୍ୟନ୍ତ ଦୂର ହୋଇ ପାରିନାହିଁ କି ନିର୍ବାଚନ ପାଇଁ ବାଟ ଫିଟୁନାହିଁ। ତେବେ ପୌରାଞ୍ଚଳର ସୀମା ପୁନଃନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ନିୟମ ୧୯୯୪ରେ ସଂଶୋଧନ କରି ଆସନ୍ତା ୬ ମାସ ମଧ୍ୟରେ ପୌର ନିର୍ବାଚନ କରାଇବାକୁ ସରକାରୀ ସ୍ତରରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେ ଦୃଷ୍ଟିରୁ ସମ୍ବଲପୁର ମହାନଗର ନିର୍ବାଚନ କ୍ଷେତ୍ରରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଅଚଳାବସ୍ଥାର ଶୀଘ୍ର ଅବସାନ ଘଟିବ ବୋଲି ଆଶା କରାଯାଉଛି। ଏ ଦିଗରେ ନିଗମ କମିଶନର ଅନିରୁଦ୍ଧ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ କହିଛନ୍ତି, ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ କୌଣସି ସୂଚନା ବା ନିର୍ଦେଶ ଏ ପର୍ୟ୍ୟନ୍ତ ମିଳିନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories