କୁକୁରର ବିଶ୍ବସନୀୟତାର ସଂଖ୍ୟାଧିକ ଖବର ବାବଦରେ ଅଧିକାଂଶ ଅବଗତ ଥିବେ। ହେଲେ ଏକ ପୋଷା ଶୁଆ ମାଲିକର ଜୀବନ ରକ୍ଷା କରିବା ଘଟଣା ପ୍ରଥମଥର ଚର୍ଚ୍ଚାକୁ ଆସିଛି। ଅଷ୍ଟ୍ରେଲିଆର ବ୍ରିସବେନ୍ ନିବାସୀ ହେଉଛନ୍ତି ଆଣ୍ଟନ୍ ଏନ୍ଗୁଏନ୍। ଗତ ମଙ୍ଗଳବାରର ଘଟଣା। ୱାର୍କ ଫ୍ରମ୍ ହୋମ୍ ଜରିଆରେ କାମ କରି ସେଦିନ ଆଣ୍ଟନ୍ ଖୁବ୍ ଥକିପଡ଼ିଥିଲେ। ଘରେ ସେ ଓ ତାଙ୍କ ପୋଷା ଶୁଆ ଏରିକ୍ ରୁହନ୍ତି। କାମର ଚାପ କାରଣରୁ ଶୀଘ୍ର ଶୋଇପଡ଼ିଲେ। ବିଳମ୍ବିତ ରାତ୍ରିରେ କାହାର ଡାକରେ ତାଙ୍କ ନିଦ ଭାଙ୍ଗିଲା। ନିଦ ଭାଙ୍ଗିଥିଲା ତାଙ୍କ ଶୁଆ। କଥାକୁହା ଏଇ ଶୁଆଟି ଜୋର୍ରେ ଆଣ୍ଟନ୍ଙ୍କ ନାମ ଡାକୁଥାଏ। ନିଦ ଭାଙ୍ଗିବା ପରେ ସେ ପୋଡ଼ା ଗନ୍ଧର ବାସ୍ନା ଭଲଭାବେ ଜାଣିପାରିଲେ। ଆଉ ବିଳମ୍ବ ନ କରି ସେ ଶୁଆକୁ ଧରି ତୁରନ୍ତ ଘର ବାହାରକୁ ଆସିଲେ ଓ ଦମକଳବାହିନୀ ସହ ଯୋଗାଯୋଗ କଲେ। ଘରର ଉପର ମହଲାର ଅର୍ଦ୍ଧାଧିକ ଭାଗ ଭସ୍ମୀଭୂତ, ପୋଷା ଶୁଆର ଏଇ ବୁଦ୍ଧିମତ୍ତାକୁ ଆଣ୍ଟନ୍ ଧନ୍ୟବାଦ ଜଣାଇ ପ୍ରଶଂସା କରିଛନ୍ତି। ଘରେ ସଟ୍ସର୍କିଟ୍ କାରଣରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି।
Popular Categories



