www.samajalive.in
Sunday, December 14, 2025
16.1 C
Bhubaneswar

ରାସ୍ତା ସମସ୍ୟା: ଦୋଳାରେ ବୁହା ହେଲେ ୨ ଗର୍ଭବତୀ

ପାତ୍ରପୁର: ରାସ୍ତା ସମସ୍ୟା ଯୋଗୁ ୨ଜଣ ଗର୍ଭବତୀଙ୍କୁ ପରିବାର ଲୋକେ ଡୋଳାରେ ଡାକ୍ତରଖାନା ନେଇଛନ୍ତି। ରାସ୍ତା ସମସ୍ୟା କାରଣରୁ ଡାକ୍ତରଖାନାକୁ ଯାଇନପାରି ଦୁଇଜଣ ମହିଳା ଘରେ ପ୍ରସବ କରିବାର ତିନି ସପ୍ତାହ ନପୁରୁଣୁ ପୁଣି ଦୁଇଜଣ ଗର୍ଭବତୀ ଦୋଳାରେ ବୁହାହୋଇ ଡାକ୍ତରଖାନା ଯାଇଛନ୍ତି। ପାତ୍ରପୁର ବ୍ଳକ ଖ।ରିଆଗୁଡ଼ା ପଞ୍ଚାୟତର ମଦୁକାବାଡ ଏବଂ ବଇଁଶୀ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।


ପଦ୍ମପୁର ଗ୍ରାମରୁ ପ୍ରସବ ପାଇଁ ବାପ ଘର ମଦୁକାବାଡ(ସାନଗାଁ) ଆସିଥିବା ଜଗା ଶବରଙ୍କ ପତ୍ନୀ ନମିତା ୭ମାସର ଗର୍ଭବତୀ ଥିଲେ। ପନ୍ଦର ଦିନ ହେଲା ତାଙ୍କର ହାତଗୋଡ ଓ ମୁହଁ ଫୁଲି ଯାଇଥିଲା। ପରେ ପରେ ଗର୍ଭ ଯନ୍ତ୍ରଣା ଭୋଗିଥିଲେ। ବାପା ଜୁର ଶବର ଝିଅର ଏପରି ଅବସ୍ଥା ଦେଖି ଜଗାକୁ ଖବର ଦେଇଥିଲେ। ଜଗା ଗ୍ରାମରେ ପହଞ୍ଚି ପତ୍ନୀଙ୍କୁ ଗୁଣିଗାରେଡି କରାଯାଇଥିବା ସନ୍ଦେହ କରି ବଡ ଭାଇ ରହୁଥିବା ବଇଁଶୀ ଗାଁକୁ ପତ୍ନୀଙ୍କୁ ଦୋଳାରେ ବୋହି ନେଇଥିଲେ। ଗାଁଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଖାରିଆନାଳ ପର୍ୟ୍ୟନ୍ତ ବୋହି ଆଣିଥିଲେ। ଏହି ଖବର ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାଖରେ ପହଞ୍ଚିଥିଲା। ଦୁଇଜଣ କର୍ମୀ ସେମାନଙ୍କୁ ବୁଝାଇ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କରିଥିଲେ। ଗର୍ଭବତୀଙ୍କୁ ଏକ ଅଟୋ ଯୋଗେ ଖାରିଅନାଳ ଗ୍ରାମରୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏହି ଗ୍ରାମ୍ୟ ରାସ୍ତାର ଖାରିଅନାଳ ରେ ଆଠ ମାସ ପୂର୍ବେ ନିର୍ମାଣ ହୋଇଥିବା କଲଭର୍ଟର ଦୁଇ ପାର୍ଶ୍ୱ ସଂଯୋଗ ହୋଇ ନଥିବା ଯୋଗୁ ଲୋକଙ୍କୁ ନାଳ ଭିତର ଦେଇ ଯିବାକୁ ପଡୁଛି। ଗ୍ରାମକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଦୁଇଜଣ ମହିଳା ଗ୍ରାମରେ ପ୍ରସବ କରିଥିଲେ। ସାନଗାଁର କିଛି ପରିବାର ଏବଂ ଆଙ୍କୁଲି ପଞ୍ଚାୟତର ଦୁଇଟି ପରିବାର ମାଦୁକାବାଡ ଠାରେ ଘର କରି ରହୁଛନ୍ତି। ଏହି ଗ୍ରାମକୁ ଯିବାକୁ ରାସ୍ତା ନଥିବାରୁ ବ୍ଲକ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ ସହ ପାନୀୟ ଜଳ ସୁବିଧା କରିଥିଲେ। ତେବେ ଗ୍ରାମକୁ ଯିବା ପଥରେ ଖାରିଆନାଳ କଣ୍ଟା ସାଜିଛି। ଗତ ଫେବ୍ରୁଆରୀ ମାସରେ ଖାରିଆନାଳ ଉପରେ ଏକ କର୍ଲଭଟ ନିର୍ମାଣ ହୋଇଥିଲା। ହେଲେ ଦୁଇ ପାର୍ଶ୍ବ ରାସ୍ତା ସହ ନାଳର ସଂଯୋଗ ନହେବାରୁ କଲଭର୍ଟ ଲୋକଙ୍କ କାମରେ ଲାଗୁନି। ଗ୍ରାମର ରମେଶ ଶବରଙ୍କ ପତ୍ନୀ ତଅପୋଇ ଏବଂ ଶ୍ରୀକର ଶବରଙ୍କ ପତ୍ନୀ ବାଳବତୀ ନାଳ ପାର କରି ଡାକ୍ତରଖାନା ଯାଇନପାରି ଗ୍ରାମରେ ସନ୍ତାନ ପ୍ରସବ କରିଥିଲେ।
ସେହିପରି ପାତ୍ରପୁର ବ୍ଲକରେ ଆଉ ଜଣେ ଗର୍ଭବତୀ ମଧ୍ୟ ଦୋଳାରେ ବୁହା ହୋଇ ଡାକ୍ତରଖାନା ଯାଇଛନ୍ତି। ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବଇଁଶୀଗାଁର ରାମଚନ୍ଦ୍ର ନାୟକଙ୍କ ପତ୍ନୀ ପୁଷ୍ପାଞ୍ଜଳି ଆଜି ଗର୍ଭବେଦନା ଭୋଗିଥିଲେ। ପରିବାର ତରଫରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ତେବେ ବର୍ଷା ପରେ ରାସ୍ତା ଖରାପ ଯୋଗୁଁ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରିବ ନାହିଁ ବୋଲି ଖବର ମିଳିବା ପରେ ପୁଷ୍ପାଙ୍କୁ ଗ୍ରାମଠାରୁ ଦେଢ଼ କିଲୋମିଟର ଦୂର ପୂର୍ତ୍ତ ବିଭଗ ରାସ୍ତା ପର୍ୟ୍ୟନ୍ତ ଦୋଳାରେ ବୋହି ନିଆଯାଇଥିଲା। ସେହିଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଡାକ୍ତର ଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories