www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ଆଳରେ ବେଜିଂର ନୂଆ ପଦକ୍ଷେପ : ଭାରତୀୟଙ୍କ ପ୍ରବେଶ, ସ୍ବତନ୍ତ୍ର ବିମାନ ନିଷିଦ୍ଧ

ବେଜିଂ : ଭାରତୀୟ ନାଗରିକଙ୍କୁ ଚୀନରେ ପ୍ରବେଶ ନିଷିଦ୍ଧ କରାଯାଇଛି। ଚୀନ ପ୍ରଶାସନ ଏଥିପାଇଁ କରୋନା ସଂକ୍ରମଣକୁ ଆଳ କରିଛନ୍ତି; ତେବେ ଏହା ସାମୟିକ ବୋଲି ନିର୍ଦେଶନାମାରେ ଦର୍ଶାଯାଇଛି। ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସ ପକ୍ଷରୁ ଗୁରୁବାର ଏ ନେଇ ଭାରତୀୟ ପ୍ରତିପକ୍ଷଙ୍କୁ ଅବଗତ କରାଯିବା ସହ କୂଟନୈତିକ, ସେବା ବା ଚାକିରି, ସି ଭିସା, ମାନବୀୟ ଦୃଷ୍ଟିକୋଣ ତଥା ଜରୁରୀକାଳୀନ ଆବଶ୍ୟକତା କ୍ଷେତ୍ରରେ ଏହି ନିଷେଧାଦେଶ କାର୍ଯ୍ୟକାରୀ ହେବ ନାହିଁ। ମାନବିକତା ଓ ଜରୁରୀକାଳୀନ କାର୍ଯ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ଆବେଦନକ୍ରମେ ସ୍ବତନ୍ତ୍ର ଭିସା ମିଳିବ ଓ ଏହା ବଳରେ ଭାରତୀୟ ନାଗରିକ ଚୀନରେ ପ୍ରବେଶ କରିପାରିବେ।

ଏତଦ୍‌ ବ୍ୟତୀତ ନଭେମ୍ବର ୩ ପରେ ପ୍ରଦତ୍ତ ଭିସା କ୍ଷେତ୍ରରେ ଏହି ନିଷେଧାଦେଶ କାର୍ଯ୍ୟକାରୀ ହେବ ନାହିଁ ବୋଲି କୁହାଯାଇଛି। ସ୍ବତନ୍ତ୍ର ସ୍ବାସ୍ଥ୍ୟ ସମ୍ପର୍କିତ ଘୋଷଣାପତ୍ର ଫର୍ମରେ ଭାରତରେ ଅବସ୍ଥିତ ଚୀନ କର୍ତ୍ତୃପକ୍ଷ ଦସ୍ତଖତ କରିବେ ନାହିଁ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି। କରୋନା ସ୍ଥିତିରେ ସୁଧାର ଆସିବା ପରେ ଚୀନ ସରକାର ବିଦେଶୀ ନାଗରିକଙ୍କର ଦେଶରେ ପ୍ରବେଶ ସମ୍ପର୍କରେ ପୁନର୍ବିଚାର କରି ନିଷ୍ପତ୍ତି ଘୋଷଣା କରିବେ ବୋଲି ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି।

- Advertisement -

ଏଥିସହିତ ଭାରତରୁ ‘ବନ୍ଦେ ଭାରତ ଅଭିଯାନ’ ଅନ୍ତର୍ଗତ ସ୍ବତନ୍ତ୍ର ବିମାନ ଚଳାଚଳକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଚୀନ ସମସ୍ତ ବିଦେଶୀ ବିମାନ ଚଳାଚଳକୁ ଅନୁମତି ଦେଇଥିବାବେଳେ ଭାରତୀୟ ବିମାନ ଉଡ଼ାଣକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। କରୋନା ସଂକ୍ରମଣ ଯୋଗୁଁ ଦୁଇ ଦେଶ ମଧ୍ୟରେ ଯାତ୍ରୀବାହୀ ଓ ବାଣିଜ୍ୟିକ ବିମାନ ଉଡ଼ାଣ ଦୀର୍ଘ ଛ’ମାସ ଧରି ବନ୍ଦ ରହିଛି। ଚୀନରେ ଥିବା ୧୫୦୦ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ନଭେମ୍ବର ୧୩ରୁ ଚୀନକୁ ୪ ସ୍ବତନ୍ତ୍ର ବିମାନ ଉଡ଼ାଣର କାର୍ଯ୍ୟକ୍ରମ ଥିଲା। ବିମାନ ବାତିଲ ହେବା ଦ୍ବାରା ସେମାନଙ୍କ ଫେରିବା ଅନିଶ୍ଚିତ ହୋଇଛି।

କେବଳ ଭାରତ ନୁହେଁ; ନିଜ ଦେଶକୁ ଅନ୍ୟ କିଛି ଦେଶର ନାଗରିକ(ଅଣ-ଚୀନ)ଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ବିଶେଷ କରି ବ୍ରିଟେନ, ବେଲ୍‌ଜିୟମ, ଫିଲିପାଇନ୍ସ, ଆମେରିକା, ଫ୍ରାନ୍ସ ଓ ଜର୍ମାନୀ ପର୍ଯ୍ୟଟକଙ୍କ ପ୍ରତି ସମାନ କଟକଣା ଲାଗୁ କରାଯାଇଛି। ଭିସା କିମ୍ବା ଆବାସିକ ଅନୁମତି ଥିବା ବ୍ରିଟେନ୍‌ ନାଗରିକ ମଧ୍ୟ ଚୀନରେ ପ୍ରବେଶ କରିପାରିବେ ନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ଭୂତାଣୁ ସଂକ୍ରମଣ ଆଳରେ ଗତ ମାର୍ଚ୍ଚରେ ଚୀନ ନିଜ ଦେଶକୁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା। ପରେ ସେପ୍ଟେମ୍ବର ଶେଷ ଭାଗରେ ଏହାକୁ କୋହଳ କରାଯାଇଥିଲା; ତେବେ ଏଥିପାଇଁ ବିଦେଶୀ ନାଗରିକଙ୍କୁ କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories