ମୋଦୀ ମୋ ସହ ଆଖି ମିଶାଇ ପାରିବେ ନାହିଁ: ରାହୁଲ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବଂ ତାଙ୍କ ସଫଳତାର ଦାବିକୁ ‘ଜୁମ୍‍ଲା ବା ପ୍ରହେଳିକା’ ବୋଲି ଲୋକସଭାରେ ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦର୍ଶାଇଛନ୍ତି। ସେ କହିଛନ୍ତି, ପ୍ରତିବର୍ଷ ୨ କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ପ୍ରତିଶ୍ରୁତି ଜୁମ୍‍ଲା ନମ୍ବର ୧ ଏବଂ ମୋଦୀ ସରକାରର କାର୍ଯ୍ୟକାଳ ମଧ୍ୟରେ ଏଯାବତ୍‍ ମାତ୍ର ୪ ଲକ୍ଷ ଯୁବକ ନିଯୁକ୍ତି ପାଇଥିବା ଘଟଣା ଜୁମ୍‍ଲା ନମ୍ବର ୨। ମୋଦୀଙ୍କ ହୃଦୟରେ ଦରିଦ୍ର ତଥା ମଧ୍ୟବିତ୍ତଙ୍କ ନିମନ୍ତେ କୌଣସି ସ୍ଥାନ ନାହିଁ। ମୋଦୀ ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି।
ରାଫେଲ କାରବାର ପ୍ରସଙ୍ଗ ଉଠାଇ ସେ ଆହୁରି କହିଥିଲେ, ଏ ନେଇ ଏକ ଗୁପ୍ତ ରାଜିନାମା ହୋଇଥିବା ମୋଦୀ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ; ମାତ୍ର ଏଭଳି କୌଣସି ରାଜିନାମା ହୋଇ ନ ଥିବା ଫ୍ରାନ୍ସ ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ତାଙ୍କୁ ଜଣାଇଛନ୍ତି। ସେହିଭଳି ‘ହାଲ୍‍’ଠାରୁ ଚୁକ୍ତି ପ୍ରତ୍ୟାହାର କରିନେଇ କେନ୍ଦ୍ର ସରକାର ଏଭଳି ଜଣେ ବ୍ୟବସାୟୀଙ୍କ ହାତକୁ ଟେକି ଦେଇଛନ୍ତି, ଯେ କି ଗୋଟିଏ ବି ବିମାନ ନିର୍ମାଣ କରିନାହାନ୍ତି। ପ୍ରଧାନମନ୍ତ୍ରୀ ଏହାର ଜବାବ୍‍ ଦେବା ଉଚିତ। ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ପାଇଁ କିଭଳି ପ୍ରଚୁର ଅର୍ଥ ଯାଉଛି ତାହା ସଭିଏଁ ଦେଖିପାରୁଛନ୍ତି। ଉଭୟ ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ଭୀକ ଭାବେ ସମସ୍ତ କାର୍ଯ୍ୟ କରିଛନ୍ତି। ଏପରିକି ମୋଦୀ ତାଙ୍କ ଆଖିରେ ଆଖି ମିଶାଇ ପାରିବେ ନାହିଁ ବୋଲି ରାହୁଲ ଦୃଢୋକ୍ତି ବାଢିଥିଲେ। ବିମୁଦ୍ରାୟନ, ଜିଏସ୍‍ଟି, ପିଟିପିଟି ହତ୍ୟା ଘଟଣା, କୌଣସି କାର୍ଯ୍ୟସୂଚୀ ନ ଥାଇ ମୋଦୀଙ୍କ ଚୀନ୍‍ ଗସ୍ତ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ବିରୋଧରେ ନାନା ଅଭିଯୋଗ ଉଠାଇଥିଲେ। ନିଜ ବକ୍ତବ୍ୟ ବେଳେ ରାହୁଲ କୌଣସି ପ୍ରମାଣ ଉପସ୍ଥାପନ କରି ନ କରି ମୋଦୀ ସରକାରଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିବାରୁ ତାଙ୍କ ବକ୍ତବ୍ୟ ବିରୋଧରେ ବିଜେପି ସାଂସଦମାନେ ବିକ୍ଷୋଭ କରିଥିଲେ। ଫଳରେ ବାଚସ୍ପତି ବାଧ୍ୟ ହୋଇ ଅପରାହ୍ଣ ୧ଟା ୪୫ ମିନିଟ୍‍ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ। ପୁନଃ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ସାଂସଦମାନଙ୍କୁ ଶାନ୍ତ ରହିବା ସହିତ ବକ୍ତବ୍ୟ ବେଳେ ମାର୍ଜିତ ଭାଷା ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ପ୍ରବଳ ହୋହଲ୍ଲା ମଧ୍ୟରେ ରାହୁଲ ତାଙ୍କ ସମାଲୋଚନାମୂଳକ ବକ୍ତବ୍ୟ ଶେଷ କରିଥିଲେ।

Leave A Reply