ଆସ୍ଥା-ଅନାସ୍ଥାର ତିନି ନାୟକ

0

ଲୋକସଭାରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ତିନି ଜଣ ପ୍ରମୁଖ ବ୍ୟକ୍ତିଙ୍କ ଉପରେ ସଭିଙ୍କ ଦୃଷ୍ଟି ନିବଦ୍ଧ ଥିଲା। ଏମାନେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‍. ଚନ୍ଦ୍ରବାବୁ ନାଇଡୁ।
ଅନାସ୍ଥା ପ୍ରସ୍ତାବ ପଛର ମୁଖ୍ୟ ନାୟକ ହେଉଛନ୍ତି ଚନ୍ଦ୍ରବାବୁ ନାଇଡୁ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପ୍ରଦାନ କରିବାରେ ବିଫଳ ହେବା ପରିପ୍ରେକ୍ଷୀରେ ତାଙ୍କ ଦଳ ଟିଡିପି ପକ୍ଷରୁ ଲୋକସଭାରେ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଏବେ କେନ୍ଦ୍ରୀୟ ରାଜନୀତିରେ ଆନ୍ଧ୍ରପ୍ରଦେଶର ଭୂମିକା ଉପରେ ଚର୍ଚ୍ଚା ଚାଲିଛି। ୨୦୦୪ ଲୋକସଭା ନିର୍ବାଚନରେ ଆନ୍ଧ୍ରରେ କଂଗ୍ରେସର ଚମତ୍କାର ପ୍ରଦର୍ଶନ କାରଣରୁ ହିଁ ଦଳ କେନ୍ଦ୍ରରେ ସରକାର ଗଠନ କରିପାରିଥିଲା। ୨୦୦୯ରେ ମଧ୍ୟ ରାଜ୍ୟରେ ଉନ୍ନତ ପ୍ରଦର୍ଶନ ଯୋଗୁ ଦଳ ଦିଲ୍ଲୀରେ କ୍ଷମତା କାଏମ ରଖିଥିଲା। ୨୦୧୪ରେ ଆନ୍ଧ୍ରପ୍ରଦେଶରେ ପରିଚାଳନାଗତ ତ୍ରୁଟି ରାଜ୍ୟ ବିଭାଜନ ନିଷ୍ପତ୍ତି କାରଣରୁ କଂଗ୍ରେସ ନିର୍ବାଚନ ହାରିଥିଲା। ବିଜେପି ଏହାର ଫାଇଦା ଉଠାଇ ନାଇଡୁଙ୍କ ସହ ମେଣ୍ଟ କରି ଉଭୟ ବିଧାନସଭା ଓ ଲୋକସଭାରେ ବିଜୟଲାଭ କରିଥିଲା। ମାତ୍ର ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା ନିତାନ୍ତ ଆବଶ୍ୟକ ହୋଇପଡିଥିବା ବେଳେ କେନ୍ଦ୍ର ଏଥିପ୍ରତି ଅବହେଳା ମନୋଭାବ ପୋଷଣ କରିବାରୁ ଟିଡିପି ଏନ୍‍ଡିଏରୁ ଓହରି ଯାଇଥିଲା। ଟିଡିପିର ଏହି ପଦକ୍ଷେପର ସୁଯୋଗ ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି ତଥା ଅନାସ୍ଥା ପ୍ରସ୍ତାବକୁ ଦଳ ସମର୍ଥନ କରିଛି। ରାଜ୍ୟ ବିଭାଜନ ପାଇଁ ଆନ୍ଧ୍ରବାସୀ କଂଗ୍ରେସକୁ ଦାୟୀ କରୁଥିବାରୁ ଏହି ପ୍ରସଙ୍ଗକୁ ଆଧାର କରି ଦଳ ନିଜର ଭାବମୂର୍ତ୍ତି ସୁଧାରିବା ପ୍ରୟାସ ଚଳାଇଛି। ଏହି କ୍ରମରେ ରାହୁଲଙ୍କ ଶୁକ୍ରବାର ବକ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ସମସ୍ତଙ୍କ ଦୃଷ୍ଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ନିବଦ୍ଧ ଥିଲା। ମୋଦୀ ୨୦୧୭ରେ ଉତ୍ତପ୍ରଦେଶ ନିର୍ବାଚନବେଳେ କହିଥିଲେ, ନିର୍ବାଚନ ଏକ ଯୁଦ୍ଧ ଏବଂ ସେ ତାହାର ସେନାପତି। ସମସ୍ତ ଚ୍ୟାଲେଞ୍ଜକୁ ସମାନ ଢଙ୍ଗରେ ଗ୍ରହଣ କରୁଥିବା ମୋଦୀ ବିରୋଧୀମାନଙ୍କ ମୁହଁ ଚୁପ୍‍ କରିବାର କୌଣସି ସୁଯୋଗ ଯେ ହାତଛଡା କରନ୍ତି ନାହିଁ ତାହା ପୁନଃ ପ୍ରତିପାଦିତ ହୋଇଛି।

Leave A Reply