କୋଭିଡ୍-୧୯ ମହାମାରୀ ସମୟରେ ଅନେକ ବ୍ୟତିକ୍ରମ, ଅଭାବନୀୟ ଓ ଆଶ୍ଚର୍ଯ୍ୟଜନକ ଘଟଣା, ଜଳବାୟୁ ଓ ଜନମାନସିକତାରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜୀବନ ଓ ଜୀବିକା ସୂତା ଖିଅରେ ଝୁଲୁଛି। ଏହା ସତ୍ତ୍ୱେ ଯେଉଁ ଗୋଟିଏ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଘଟିନାହିଁ ବା କୋଭିଡ୍-୧୯ ମହାମାରୀ ଜନମାନସିକତାକୁ ଆଦୌ ପ୍ରଭାବିତ କରିନାହିଁ ତାହା ହେଉଛି ମଦ ବା ନିଶାପାନୀୟ। ଲକଡାଉନ୍ ସମୟରେ ରୋଜଗାର ହରାଇଥିବା ନିଶାଡ଼ିମାନେ ତିନିଗୁଣା ଅଧିକ ଦରରେ କଳାବଜାରରୁ ମଦ ଖରିଦ କରିବା ହେଉ କିମ୍ବା ଲକଡାଉନ୍ ପରବର୍ତ୍ତୀ ସମୟରେ ଖୋଲିଥିବା ମଦ ଦୋକାନ ସାମ୍ନାରେ କ୍ରେତାମାନଙ୍କର ଲମ୍ବିଥିବା ଲମ୍ବା ଧାଡ଼ି ଏବଂ ମଦ କିଣିବା ପାଇଁ ପ୍ରତିଯୋଗିତା ହେଉ ଏ ସବୁ ଦେଖିଲେ ମଣିଷ ଉପରେ ମଦ ରାକ୍ଷସର ପ୍ରଭାବ କେତେ ତାହା ଅନୁମେୟ। ଏହି ମାନସିକତା ଏବେ ମଧ୍ୟ ବଜାୟ ରହିଛି। ମଦ କିଣିବା ପାଇଁ ଲୋକଙ୍କ ଆତୁରତାକୁ ଦେଖିଲେ ଜଣାପଡ଼ୁଛି ସତେଯେପରି କୌଣସି ଯୁଦ୍ଧବିଧ୍ୱସ୍ତ କିମ୍ବା ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ବୁଭୁକ୍ଷୁ ଜନତାଙ୍କ ମଧ୍ୟରେ ଖାଦ୍ୟ ପାଇଁ ବଳ କଷାକଷି ଚାଲିଛି।
ସବୁଠାରୁ ବଡ଼ ବ୍ୟତିକ୍ରମ ହେଲା କରୋନା ସଂକ୍ରମଣ ରୋକିବା ପାଇଁ ଦୁଇ ମିଟର ଦୂରତା ଅପରିହାର୍ଯ୍ୟ ଥିବା ବେଳେ େରସନ୍ ଦୋକାନ ସାମ୍ନା ଓ ପରିବା ହାଟରେ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି। ଅଥଚ ଯଦି କେହି ମଦ ଦୋକାନ ଦିଗରେ ଥରେ ଦୃଷ୍ଟି ବୁଲାଇ ଆଣନ୍ତି ତେବେ ଗ୍ରାହକମାନେ କେତେ ଶୃଙ୍ଖଳିତ ଭାବରେ ସାମାଜିକ ଦୂରତ୍ୱ ରକ୍ଷା କରି ମଦ କିଣିବା ପାଇଁ ଧାଡ଼ି ବାନ୍ଧି ଠିଆହୋଇ ରହିଛନ୍ତି ତାହା ଦେଖି ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। କୁହାଯାଏ ଅସାମାଜିକତା, ଅପରାଧ, ବିଶୃଙ୍ଖଳା ଓ ଅଶାନ୍ତି ପାଇଁ ମୁଖ୍ୟତଃ ନିଶା ଓ ନିଶାଡ଼ିମାନେ ଦାୟୀ; କିନ୍ତୁ ମଦ ଦୋକାନ ଆଗରେ ଲମ୍ବିଥିବା ଶୃଙ୍ଖଳିତ ଧାଡ଼ି ଓ ଗ୍ରାହକମାନଙ୍କର ଅସୀମ ଧୈର୍ଯ୍ୟକୁ ଏକ ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣରୁ ବିଚାରକଲେ ଏହି ଧାରଣା ଦୂର ହେବ ଏବଂ ନିଶାଡ଼ିମାନେ ଯେ ଆଦୌ ବିଶୃଙ୍ଖଳିତ ନୁହନ୍ତି ସେହି ଭ୍ରମ ସୃଷ୍ଟି ହେବ। ଭାରତରେ ନିଶା ପାନ ଯୋଗୁଁ ଘଟୁଥିବା ସ୍ୱାସ୍ଥ୍ୟହାନି, ହିଂସା ଓ ସଡ଼କ ଦୁର୍ଘଟଣାରେ ଯେତିକି ପ୍ରାଣହାନି ଘଟୁଛି ତାହା ତୁଳନାତ୍ମକ କେତେ ଉଦ୍ବେଗଜନକ ତାହା ସର୍ବଜନବିତିତ। ଏହା ଜାଣି ମଧ୍ୟ ନିଶାଡ଼ିମାନେ ନିଶା ତ୍ୟାଗ କରିପାରୁନାହାନ୍ତି। ବିଶୃଙ୍ଖଳା ଯୋଗୁଁ ଯଦି ମଦ ଦୋକାନ ପୁଣି ଥରେ ବନ୍ଦ ହୋଇଯାଏ ତେବେ କ’ଣ ହେବ? – ଏହି ଭୟରେ ମଦ ଦୋକାନ ଆଗରେ ଗ୍ରାହକମାନେ ଯଥୋଚିତ ଓ ଯଥାସମ୍ଭବ ଶୃଙ୍ଖଳା ପ୍ରଦର୍ଶନ କରୁଛନ୍ତି। ଅଥଚ ଜୀବନଧାରଣ ପାଇଁ ଅତ୍ୟାବଶ୍ୟକ େରସନ କିମ୍ବା ପରିବା କିଣିବା ବେଳେ ସେମାନେ ହିଁ ସଂକ୍ରମଣକୁ ବେଖାତିର କରି ଧୈର୍ଯ୍ୟହୀନତା ଓ ବିଶୃଙ୍ଖଳର ପରିଚୟ ଦେଉଛନ୍ତି। ମୃତ୍ୟୁକୁ ଆମନ୍ତ୍ରଣ କରିବାର ଏହି ଅସୀମ ଧୈର୍ଯ୍ୟ ଓ ଶୃଙ୍ଖଳା ସତରେ ବିରଳ ପଦବାଚ୍ୟ।
ନିକଟରେ ଏକ ନିର୍ବାଚନୀ ସଭାରେ ମହିଳାମାନେ ଭୋଟ ଦେବାକୁ ନିଶାବିରୋଧୀ ନୀତି ପ୍ରଣୟନ ପାଇଁ ସର୍ତ୍ତ ରଖିଛନ୍ତି। ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମହିଳାମାନେ ସଂଘବଦ୍ଧ ହୋଇ ମଦ ଦୋକାନ ଭାଙ୍ଗିବା, ମଦ ଭାଟି ପୋଡ଼ିବା ଭଳି ଘଟଣା ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି। ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ନିଶା ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ତଥାପି ରାଜସ୍ୱ ହାନି ଏବଂ ଅପମିଶ୍ରିତ ବିଷାକ୍ତ ମଦ ପାନ ଜନିତ ମୃତ୍ୟୁ ଆଶଙ୍କା ଯୋଗୁଁ ସରକାର ସମ୍ପୂର୍ଣ୍ଣ ନିଶା ମୁକ୍ତ ନୀତି ପ୍ରଣୟନ କରିପାରୁନାହାନ୍ତି। ନିଷ୍ଠା, ଆନ୍ତରିକତା ଓ କଠୋର କଟକଣା ଜରିଆରେ ଭେଜାଲ ମଦର ଚୋରା କାରବାର ରୋକା ଯାଇପାରନ୍ତା। ତେଣୁ ରାଜସ୍ୱ ହାନି ଭୟରେ ଜୀବନ ମୂଲ୍ୟକୁ ବାଜି ଲଗାଇବା ଉଚିତ ମନେ ହୁଏ ନାହିଁ। ଏହି ଦୁଇ ଦିଗକୁ ତୁଳନା କରି ସାମଗ୍ରିକ ମାନବକଲ୍ୟାଣ ଦିଗରେ ଯଥାସମ୍ଭବ ବିହିତ ନୀତି ଘୋଷଣା କରିବା ଆବଶ୍ୟକ।



