ବାସି ମାଛର ଖୁସି

0

ଅଳ୍ପ କେତେକ ସ୍ଥାନକୁ ଛାଡ଼ିଦେଲେ ସହରୀ ଓଡ଼ିଆ ବାସିମାଛ ଖାଇବାକୁ ବାଧ୍ୟ ହୁଅନ୍ତି। ସଜମାଛ ସ୍ଥାନୀୟଭାବେ ନମିଳିବାରୁ ଓଡ଼ିଶାର ଖାଉଟି ଆନ୍ଧ୍ରର ବରଫଦିଆ ମାଛ ଖାଇବାରେ ମୋଟାମୋଟି ଅଭ୍ୟସ୍ତ। ଓଡ଼ିଶାର ବିଡ଼ମ୍ବନା ହେ​‌ଲା ରାଜ୍ୟ​‌େ​‌ର ଯେତେ ସାମୁଦ୍ରିକ ବା ଲୁଣିମାଛ ଉତ୍ପାଦନ ହୁଏ ସେ ସବୁର ବଡ଼ଭାଗ ବାହାରକୁ ଚାଲାଣ ହୁଏ। ଅନେକ ଓଡ଼ିଆ ମଧ୍ୟ ଏଇ ମାଛ ଖାଇବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ମଧୁରଜଳ ମାଛର ଚାହିଦା ଅଧିକ ଥିବାରୁ ସେସବୁ ଆନ୍ଧ୍ରଭଳି ରାଜ୍ୟରୁ ଆସେ।
ମାଛ ଏକ ପଚାଶଢ଼ା ଜିନିଷ ହୋଇଥିବାରୁ ଚାଲାଣବେଳେ ଏଥିରେ ବରଫ ଦିଆଯାଏ। ଏହାଛଡ଼ା ‘ଫର୍ମାଲିନ’ ଭଳି ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର କରାଯାଏ ଯା’ଦ୍ବାରା ମାଛ ସହଜରେ ଶଢ଼ିଯାଏନାହିଁ। ଏହି ଫର୍ମାଲିନ ମଣିଷ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡ଼ିବା ପରେ ରାଜ୍ୟର ମାଛହାଟ ଉପରେ ଚଡ଼କ ପଡ଼ିଥିଲା। ଫର୍ମାଲିନ ଉଚ୍ଚ ତାପମାତ୍ରାରେ ରୋଷେଇବେଳେ ନଷ୍ଟ ହୋଇଯାଉଥିଲେ ମଧ୍ୟ ଲୋକଙ୍କ ମନରେ ଭୟ ରହିବା ସ୍ବାଭାବିକ। ସୁଖରକଥା ଯେ ରାଜ୍ୟର ବିିଭିନ୍ନ ସ୍ଥାନରୁ ସଂଗୃହୀତ ମାଛ ନମୁନାର ପରୀକ୍ଷା ପରେ ଫର୍ମାଲିନ ଉପସ୍ଥିତି ନେଇଥିବା ଭୟ ଦୂର ​‌େ​ହାଇଛି ଏବଂ ପ୍ରାୟତଃ ଏହି ରାସାୟନିକ ମାଛ​ରେ ପ୍ରୟୋଗ କରାଯାଇନଥିବା ଜଣାପଡ଼ିଛି। ଅତଏବ ଆଶା କରିବା ଆମ ଭିଡ଼ ଓ ବ୍ୟସ୍ତବହୁଳ ମାଛବଜାର ପୁଣି ସ୍ବାଭାବିକ ହୋଇଯିବ।
ସାମୟିକ ଭାବେ ମାଛଖିଆ ଲୋକଙ୍କ ମଧ୍ୟରେ ଏହା ଆଶ୍ବସ୍ତି ଆଣିଥିଲେ ହେଁ ବିଭିନ୍ନ କାରଣରୁ ବାସିମାଛ ଯେ ସଜମାଛର ବିକଳ୍ପ ନୁହେଁ, ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। କେବଳ ମାଛ ନୁହେଁ, ବିଭିନ୍ନ ପ୍ରକାର ଫଳ ଓ ପନିପରିବାରେ ବ୍ୟବହୃତ କାର୍ବାଇଡ୍‌, ରାସାୟନିକ ପ୍ରଲେପ, କ୍ଷତିକାରକ ରଙ୍ଗ ପ୍ରତି ମଧ୍ୟ ସତର୍କ ଦୃଷ୍ଟି ଦେବାକୁ ହେବ। ମାଛ, ମାଂସ, ପନିପରିବା ସଜ କି ବାସି ତାହା ଜାଣିବା ଚିହ୍ନରା ଗ୍ରାହକପାଇଁ କଷ୍ଟସାଧ୍ୟ ନୁହେଁ। ଏହା ସତ୍ତ୍ବେ ଆମ ଖାଦ୍ୟର ‘ମାନ’ ନିୟମିତ ଭାବେ ଯାଞ୍ଚ ହେବା ସର୍ବାଦୌ ଗୁରୁତ୍ବପୂର୍ଣ୍ଣ ଏବଂ ସରକାର ଓ ବଜାର ନିରୀକ୍ଷକ ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦେବା ଜରୁରୀ।

Leave A Reply