www.samajalive.in
Sunday, December 14, 2025
18.1 C
Bhubaneswar

ସରକାରଙ୍କୁ ବିଜେପିର ଆହ୍ବାନ: ମହିଳାଙ୍କୁ ସୁରକ୍ଷା ନ ଦେଇପାରିଲେ ଗାଦି ଛାଡ

ଭୁବନେଶ୍ୱର: ରାଜ୍ୟରେ ନାବାଳିକା ଓ ମହିଳାମାନେ ସଂପୂର୍ଣ୍ଣଭାବେ ଅସୁରକ୍ଷିତ। ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ,ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି। ମହିଳାଙ୍କୁ ଅଶାଳୀନ ବ୍ୟବହାର ବଳି ଅପରାଧରେ ଦେଶରେ ଓଡିଶା ଏକ ନମ୍ବର ବୋଲି ଏନସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି। ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମହିଳାଙ୍କ ସହ ଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି। ଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଂଚଳର ଏକ ନବାଳିକାକୁ କଟକର ଚାଉଳିଆଗଂଜ ଥାନା ଅନ୍ତର୍ଗତ ଗତିରାଉତପାଟଣାଠାରେ କିଛି ଦୃବୁର୍ତ ୨୨ ଦିନ ଧରି ଦୁଷ୍କର୍ମ କରିବା ଘଟଣା ରାଜ୍ୟସରକାର ଓ ପୋଲିସ ପ୍ରଶାସନର ମୁଖା ଖୋଲିଦେଇଛି। କମିଶନରେଟ ଅଧୀନରେ ଥିବା କଟକ ସହରରେ ୩ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଏକ ନାବାଳିକା ସହ ଦୁଷ୍କର୍ମ ହେଉଥିବାବେଳେ ପୋଲିସ ଓ ପ୍ରଶାସନ କିପରି ଏ ସମ୍ବନ୍ଧରେ କିଛି ଜାଣିପାରିଲେ ନାହିଁ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହିଳାଙ୍କ ସୁରକ୍ଷା ଦିଗରେ କୌଣସି କଠୋର ଆଇନ ରାଜ୍ୟରେ ଲାଗୁ ହୋଇନଥିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ବିଜେପି ପକ୍ଷରୁ ୧୫୦ରୁ ଊର୍ଦ୍ଧ୍ବ ଦୁଷ୍କର୍ମ ଘଟଣା ସଂପର୍କରେ ରାଜ୍ୟସରକାରଙ୍କୁ ଅବଗତ କରାଇବା ପରେ ବି ମୁଖ୍ୟମନ୍ତ୍ରୀ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟରେ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର, ଦୁଷ୍କର୍ମ ବୃଦ୍ଧି ପାଉଥୁଲେ ମଧ୍ୟ ରାଜ୍ୟସରକାର ସଂପୂର୍ଣ୍ଣଭାବେ ନୀରବ ରହିଛନ୍ତି। କେବଳ ଏହି ଘଟଣା ନୁହେଁ ମାଲକାନଗିରି ପୋଲିସ କ୍ୟାଟିଂନରେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା, ବୀରମିତ୍ରପୁର ପୋଲିସ ଥାନା ଭିତରେ ଥାନା ଅଧିକାରୀ ଏକ ନାବାଳିକା ଆଦିବାସୀ ଝିଅକୁ ୪ ମାସ ଧରି ଦୁଷ୍କର୍ମ କରିବା ଘଟଣା ସମେତ ଅନେକ ଘଟଣା ବିରୁଦ୍ଧରେ ରାଜ୍ୟସରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ଅନ୍ୟପଟେ ତିର୍ତୋଲରେ ଉପନିର୍ବାଚନରେ ରାଜ୍ୟସରକାର, ପୋଲିସ ଓ ପ୍ରଶସାନ ନିର୍ବାଚନ କିପରି ଶାସକ ଦଳ ଜିତିବ ସେନେଇ କାର୍ଯ୍ୟ କରୁଛନ୍ତି। ଶାସକ ଦଳ ନାରୀ ଓ ନାବାଳିକାଙ୍କୁ ସୁରକ୍ଷା ଦେଇପାରୁ ନଥିବାରୁ ତାଙ୍କୁ ଶାସନ ଦାୟୀତ୍ୱରେ ରହିବାର କୌଣସି ଅଧିକାର ନାହିଁ। ମହିଳା ଅପରାଧ ଘଟଣା ଗୁଡିକରେ ରାଜ୍ୟ ମହିଳା କମିଶନ ରାଜନୈତିକ ଅଭିସନ୍ଧି ଦେଖିକରି ମୁହଁ ଖୋଲନ୍ତି। ୫ ବର୍ଷ ପରେ ଏବେ ୧୫ ଦିନ ତଳେ ମହିଳା କମିଶନ ମୁହଁ ଖୋଲିଥିଲେ। ମହିଳା ଶିଶୁ ବିକାଶ ମନ୍ତ୍ରୀ, ଗୃହମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷା ଦିଗରେ ସବୁବେଳେ ନୀରବ ରହିବା ଅତ୍ୟନ୍ତ ନିନ୍ଦନୀୟ। ମହିଳା ସମ୍ମାନର କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କର ଗତ ୭ ମାସ ହେଲା ଦର୍ଶନ ମିଳୁନି। ମାସ ମାସ ଧରି ଅଜ୍ଞାତବାସରେ ରହିଥିବା ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳାମାନଙ୍କୁ କେବେ ବି ନ୍ୟାୟ ଦେଇପାରିବେ ନାହିଁ। ତିର୍ତୋଲ ଉପନିର୍ବାଚନ ବିଜେଡି ଡିତିବା ନେଇ ଶାସକ ଦଳ ନେତା ଡିଣ୍ଡିମ ପିଟୁଥିବାବେଳେ ସେହି ଅଂଚଳର ଏକ ନାବାଳିକା ସହ ଦୁଷ୍କର୍ମ ଘଟଣାରେ ଏବେ ସେମାନେ ନୀରବଦ୍ରଷ୍ଟା ସାଜିଛନ୍ତି। ୫୦ ଭାଗ ମହିଳା ଭୋଟରଙ୍କ ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‍ ରହୁଛନ୍ତି ? ଯେଉଁମାନେ ମହିଳାଙ୍କୁ ସୁରକ୍ଷା ଦେଇପାରିବେ ସେ ରାଜନୈତିକ ଦଳ ନିଜ ଗାଦି ଛାଡନ୍ତୁ ବୋଲି ଡ. ସାମନ୍ତସିଂହାର କହିଛନ୍ତି।
ଆମ୍ବୁଲାନ୍ସ ନମିଳିବା ଯୋଗୁଁ ଟ୍ରଲିରେ ଏକ ମହିଳା ରୋଗୀଙ୍କୁ ୯୦ କିମି ପର୍ଯ୍ୟନ୍ତ ନେଇ ଶେଷରେ ମେଡିକାଲରେ ତାଙ୍କର ମୃତ୍ୟୁ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଲେ ନାହିଁ। ଦିନ ଦ୍ୱିପ୍ରହରରେ ମା ଭଉଣୀଙ୍କ ଇଜ୍ଜତ ଲୁଟ୍‍ ହେବ ଏବଂ ସରକାର ପୋଲିସ ଚୁପ୍‍ ରହିବେ, ଏଭଳି ସରକାର ଶାସନରେ ରହିବାର କୌଣସି ନୈତିକ ଅଧିକାର ନାହିଁ। ତୁରନ୍ତ ରାଜ୍ୟସରକାର ମହିଳାଙ୍କ ସୁରକ୍ଷାରେ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ପୋକସୋ ଆକ୍ଟ ଲଗାଇ ଫାଶୀ ଦେବାର ବ୍ୟବସ୍ଥା କରନ୍ତୁ। ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀ ନୀରବ ନ ରହି କେବେ ମହିଳାଙ୍କ ପ୍ରତି ଜିରୋ ଟଲେରାନ୍ସ ଆଇନ ଆଣିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଓ କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories