ଗୁଗଲ ଉପରେ ୩୪ ହଜାର କୋଟି ଟଙ୍କାର ଜୋରିମାନା

0

ବ୍ରୁସେଲ୍ସ : ଗୁଗଲ ଉପରେ ୟୁରୋପୀୟ ସଂଘ (ଇୟୁ) ବୁଧବାର ୫୦୦ କୋଟି ଡଲାର (ପ୍ରାୟ ୩୪,୦୦୦ କୋଟି ଟଙ୍କା) ଜୋରିମାନା ଲଗାଇଛି। ତିନି ବର୍ଷର ତଦନ୍ତ ପରେ ପ୍ରତିଦ୍ୱନ୍ଦ୍ୱିତା ନିୟମ ଉଲ୍ଲଙ୍ଘନ ମାମଲାରେ ଗୁଗଲ ଦୋଷୀ ସାବ୍ୟସ୍ତ ହୋଇଛି। ଫଳରେ ୟୁରୋପୀୟ ସଂଘ ଗୁଗଲ ଉପରେ ଏତେ ପରିମାଣର ଜୋରିମାନା ଲଗାଇଛି। ୩ ମାସ ଅର୍ଥାତ ୯୦ ଦିନ ମଧ୍ୟରେ ନିଜ ବ୍ୟାପାର ଶୈଳୀ ବା ନୀତିରେ ପରିବର୍ତ୍ତନ କରିବାକୁ ଗୁଗଲକୁ ନିର୍ଦେଶ ଦିଆଯାଇଛି। ନଚେତ୍‍ ଜୋରିମାନା ରାଶିକୁ ବଢାଯିବ ବୋଲି ୟୁରୋପୀୟ ସଂଘ ଚେତାବନୀ ଦେଇଛି। ଉଲ୍ଲେଖ ଯେ ୨୦୧୭ରେ ଗୁଗଲ ଉପରେ ୧୯ ହଜାର କୋଟି ଟଙ୍କାର ଜୋରିମାନା ଲଗାଯାଇଥିଲା। ସୋପିଂ କମ୍ପାରିଜନ ସର୍ଭିସ (କାରବାର ତୁଳନା ସେବା) ପାଇଁ ଗୁଗଲ ଉପରେ ଆର୍ଥିକ ଜୋରିମାନା ଲଗାଯାଇଥିଲା। ଇୟୁର ପ୍ରତିଦ୍ୱନ୍ଦ୍ୱିତା କମିଶନର ୱେଷ୍ଟେଗର ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ମଙ୍ଗଳବାର ରାତିରେ ଫୋନ୍‍ କରି ଏହି ନିଷ୍ପତ୍ତି ଉପରେ ସୂଚନା ଦେଇଥିଲେ। ଗୁଗଲ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିବ ବୋଲି କହିଛି। ୟୁରୋପୀୟ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଗୁଗଲ ବିଭିନ୍ନ ମୋବାଇଲ କମ୍ପାନୀଙ୍କୁ ଗୁଗଲ କ୍ରୋମ ଏବଂ ଅନ୍ୟାନ୍ୟ ଗୁଗଲ ସେବା ଇନଷ୍ଟାଲ କରିବାକୁ ଅର୍ଥ ପ୍ରଦାନ କରୁଛି। ଆଣ୍ଡୋଏଡ଼ ମୋବାଇଲ ଅପରେଟିଂ ସିଷ୍ଟମରେ ପ୍ରଥମରୁ ଗୁଗଲ ସର୍ଚ୍ଚ ଇଞ୍ଜିନ୍‍ ଏବଂ ଗୁଗଲ ପ୍ଲେଷ୍ଟୋର ଇନଷ୍ଟାଲ ରହୁଛି। କେତେକ ଆପ ଡାଉନଲୋଡ଼ କରିବା ପାଇଁ ମଧ୍ୟ ଗୁଗଲ ସର୍ଚ୍ଚ ଇଞ୍ଜିନ୍‍କୁ ପ୍ରଥମେ ଡାଉନଲୋଡ଼ କରିବାକୁ ପଡୁଛି। ଫଳରେ ଅନ୍ୟ କମ୍ପାନୀକୁ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ମିଳୁନାହିଁ। ଏ ସବୁ ଅଭିଯୋଗରେ ଗୁଗଲ ଦୋଷୀ ସାବ୍ୟସ୍ତ ହୋଇଛି।

Leave A Reply