କଠୁଆ ମାମଲାର ମୁଖ୍ୟ ଅଭିଯୁକ୍ତର ଓକିଲ ଅତିରିକ୍ତ ଆଡଭୋକେଟ୍‍ ଜେନେରାଲ ନିଯୁକ୍ତ

0

ଶ୍ରୀନଗର : କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତର ଓକିଲ ଅସୀମ ସାହାଣୀଙ୍କୁ ଜାମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଅତିରିକ୍ତ ଆଡଭୋକେଟ୍‍ ଜେନେରାଲ ପଦବୀରେ ନିଯୁକ୍ତ କରାଯାଇଛି। ପ୍ରମୁଖ ଇଂଲିଶ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୪ ଜଣ ବରିଷ୍ଠ ଅତିରିକ୍ତ ଆଡଭୋକେଟ୍‍ ଜେନେରାଲ, ୩ ଜଣ ଆଡଭୋକେଟ୍‍ ଜେନେରାଲ, ୪ ଜଣ ଉପ-ଆଡଭୋକେଟ୍‍ ଜେନେରାଲ ଏବଂ ୪ ଜଣ ସରକାରୀ ଓକିଲଙ୍କ ତାଲିକାରେ ସାହାଣୀଙ୍କ ନାମ ସପ୍ତମ ସ୍ଥାନରେ ରହିଛି। ଆଇନ ବିଭାଗ ପକ୍ଷରୁ ରାଜ୍ୟ ହାଇକୋର୍ଟର ଜାମ୍ମୁ ଶାଖା ନିମନ୍ତେ ଏହି ତାଲିକା ଜାରି କରାଯାଇଛି। ସାହାଣୀଙ୍କ ଏହି ନିଯୁକ୍ତିକୁ ନେଇ ରାଜ୍ୟପାଳ ଏନ୍‍. ଏନ୍‍. ଭୋରାଙ୍କ ଶାସନାଧୀନ ଜାମ୍ମୁ-କାଶ୍ମୀରରେ ବିବାଦ ଉପୁଜିଛି; କିନ୍ତୁ ଜୁଲାଇ ୨ ତାରିଖରୁ ସେ ଏହି ମାମଲାର ଶୁଣାଣିରେ ସାମିଲ ହୋଇନାହାନ୍ତି ବୋଲି ସାହାଣୀ କହିଛନ୍ତି। ୫୧ ଜଣ ଓକିଲ ଏହି ମାମଲାରେ ଅଭିଯୁକ୍ତମାନଙ୍କ ପକ୍ଷ ରଖୁଥିବା ବେଳେ ସେ ଏଥିରୁ ଓହରି ଯାଇଛନ୍ତି। ଏପରିକି ମାମଲା ପରିଚାଳନା ନିମନ୍ତେ ଦାଖଲ ଓକିଲାତିନାମାକୁ ସେ ପ୍ରତ୍ୟାହାର କରିଆଣିଛନ୍ତି। ଆଗାମୀ ଦିନରେ ସେ ରାଜ୍ୟ ସରକାରଙ୍କ ବିରୋଧରେ କୌଣସି ମାମଲା ଲଢିବେ ନାହିଁ ବୋଲି ସାହାଣୀ କହିଛନ୍ତି। ମାମଲା ଲଢିବା ଓକିଲଙ୍କ ପେଷା। ତେବେ ଜଣେ ଆତଙ୍କବାଦୀ ପାଇଁ ମାମଲା ଲଢିବାକୁ ଜଣେ ଓକିଲ କ’ଣ ମନା କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। କଠୁଆର ରାସନା ଗ୍ରାମସ୍ଥିତ ଏକ ମନ୍ଦିରରେ ୮ ଜଣ ଲୋକ ୮ ବର୍ଷ ବୟସ୍କ ଜଣେ ନାବାଳିକାକୁ ଗଣବଳାତ୍କାର ପରେ ହତ୍ୟା କରିଥିଲେ। ସାହାଣୀଙ୍କ ନିଯୁକ୍ତି ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ଅନୁଚିତ ହେବ ବୋଲି ପୀଡ଼ିତାଙ୍କ ପରିବାରର ଓକିଲ ଦୀପିକା ସିଂହ ରାଜାୱତ କହିଛନ୍ତି। ଅନ୍ୟପଟେ ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତିଙ୍କ ଆଭିମୁଖ୍ୟକୁ ଭିତ୍ତି କରି ବିଜେପି ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା କୁହାଯାଉଛି। ଉଲ୍ଲେଖ ଯେ, କଠୁଆ ମାମଲାର ଅଭିଯୁକ୍ତଙ୍କ ସପକ୍ଷରେ ଅନୁଷ୍ଠିତ ଽାଲିରେ ଯୋଗ ଦେଇ ବିଜେପିର ଦୁଇ ବିଧାୟକ ଚୌଧୁରୀ ଲାଲ୍‍ ସିଂହ ଏବଂ ଚନ୍ଦର ପ୍ରକାଶ ଗଙ୍ଗାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିଥିଲା।

Leave A Reply