ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ସମ୍ବିଧାନ ବିରୋଧୀ : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : କେରଳର ଐତିହାସିକ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ନିନ୍ଦା କରିଛନ୍ତି। ବୁଧବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଆରଏଫ ନରିମାନ, ଜଷ୍ଟିସ୍‍ ଏ.କେ ଖାନୱିଲର, ଜଷ୍ଟିସ୍‍ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‍ ଇନ୍ଦୁ ମାଲହୋତ୍ରାଙ୍କ ଖଣ୍ଡପୀଠ କହିଛନ୍ତି ଯେ ମନ୍ଦିର ଏକ ସାର୍ବଜନୀନ ଧାର୍ମିକ ସ୍ଥଳ ଅଟେ। ଭାରତରେ ଘରୋଇ ମନ୍ଦିରର ସିଦ୍ଧାନ୍ତ ନାହିଁ। ମନ୍ଦିର କାହାର ଘରୋଇ ସମ୍ପତ୍ତି ନୁହେଁ। ତେଣୁ ମନ୍ଦିର ମଧ୍ୟକୁ ପୁରୁଷଙ୍କ ଭଳି ମହିଳାଙ୍କ ପ୍ରବେଶର ସମାନ ଅଧିକାର ରହିଛି। ପୁରୁଷଙ୍କ ଭଳି ମହିଳାଙ୍କର ମଧ୍ୟ ଠାକୁରଙ୍କୁ ପୂଜା କରିବାର ସମାନ ଅଧିକାର ରହିଛି। ମନ୍ଦିର ମଧ୍ୟକୁ କାହାର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବା ସମ୍ବିଧାନ ବିରୋଧୀ ଅଟେ। ଏଥିପାଇଁ ଆଇନ ଉପରେ ନିର୍ଭରଶୀଳ ହେବା ଉଚିତ୍‍ ନୁହେଁ। ଜଷ୍ଟିସ୍‍ ଡି.ୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ ସମ୍ବିଧାନ ଧାରା ୨୫ ଅନୁସାରେ ଭାରତର ନାଗରିକମାନେ ସ୍ୱାଧୀନ ଭାବେ କୌଣସି ଧର୍ମକୁ ଆପଣାଇ ପାଳନ କରିପାରିବେ। ମଙ୍ଗଳବାରଠାରୁ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି। ସମସ୍ତ ପକ୍ଷ ସମୟ ମଧ୍ୟରେ ନିଜ ଯୁକ୍ତି ଉପସ୍ଥାପନ କରିବାକୁ ଖଣ୍ଡପୀଠ କହିଥିଲେ। କେରଳ ସରକାରଙ୍କ ପକ୍ଷ ରଖି ରାଜ୍ୟ ମନ୍ତ୍ରୀ କେ ସୁରେନ୍ଦ୍ରନ୍‍ କହିଥିଲେ ଯେ ମନ୍ଦିର ମଧ୍ୟକୁ ମହିଳାଙ୍କ ପ୍ରବେଶକୁ ସରକାର ସମର୍ଥନ ଜଣାଉଛନ୍ତି। କେରଳ ସରକାର ମହିଳାଙ୍କ ସପକ୍ଷରେ ଅଛନ୍ତି। କେରଳ ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଜ ପକ୍ଷ ରଖିଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯାହା ରାୟ ଦେବେ ତାକୁ ଆମେ ପାଳନ କରିବୁ।
ଉଲ୍ଲେଖ ଯେ କେରଳର ସାବରିମାଳା ମନ୍ଦିରରେ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି। ୨୦୦୭ରେ କେରଳ ସରକାର ମନ୍ଦିର କମିଟି ସପକ୍ଷରେ ମତ ରଖିଥିଲେ ଓ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକକୁ ଯଥାର୍ଥ କହିଥିଲେ। ଫଳରେ କିଛି ସାମାଜିକ କର୍ମୀ ଓ କେତେକ ସଂଗଠନ ଏହାର ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ କେରଳ ସରକାର ନିଜ ମତ ପରିବର୍ତ୍ତନ କରି ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ସମର୍ଥନ ଜଣାଇଛନ୍ତି।

Leave A Reply