ପାଟଣା : ଆଜି ପାଟଣା ପଞ୍ଚାୟତ ସମିତିର ବୈଠକ ବ୍ଳକ ଅଧ୍ୟକ୍ଷ ବିଶ୍ବନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ବୈଠକରେ ଉପସ୍ଥିତ ଥିଲେ ମଧ୍ୟ ବ୍ଲକ ଅଞ୍ଚଳରେ ବୃଦ୍ଧ, ବୃଦ୍ଧା ଅସହାୟ, ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା ପ୍ରଦାନ କ୍ଷେତ୍ରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣୀ ଶାନ୍ତୁନା ଦାସ ସଠିକ ସରକାରୀ ନିୟମରେ କାର୍ଯ୍ୟ କରୁନଥିବା ଅଭିଯୋଗ ଆଣି ସମିତି ସଭ୍ୟ ଓ ସରପଞ୍ଚ ମାନେ ବୈଠକରେ ହଙ୍ଗାମା ସୃଷ୍ଟି କରିଥିଲେ । ବିଧାୟକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସେହିପରି ଉନ୍ନୟନ କାର୍ଯ୍ୟକ୍ରମ ପ୍ରଶ୍ନରେ ଏପିଓ ମଧୁସୂଦନ ପ୍ରଧାନଙ୍କ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୪୭ କୋଟି ଟଙ୍କା ମନରେଗା ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ବେଳେ ଅଦ୍ୟାବଧି ୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଓ ୮ ଲକ୍ଷ ୪୨ ହଜାର ଶ୍ରମଦିବସ ସୃଷ୍ଟି କରାଯାଇଛି ବୋଲି କହିଥିଲେ । ପାଟଣା ବନାଞ୍ଚଳରେ ବନବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଲୋକ ପ୍ରତିନିଧିମାନଙ୍କୁ ଅନ୍ଧାରରେ ରଖାଯାଇଛି । ପଞ୍ଚାୟତ ସମିତି ବୈଠକ ବନବିଭାଗର ଅଧିକାରୀ ଆସୁନଥିବାରୁ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉଦବେଗ ପ୍ରକାଶ କରିବା ଘଟଣାକୁ ପାଟଣା ବିଧାୟକ ଜଗନ୍ନାଥ ନାଏକ ଗୁରୁତର ଭାବେ ନେବା ସହ ପାଟଣା ବନବିଭାଗର ଲୋକ ପ୍ରତିନିଧି ମାନଙ୍କ ପ୍ରତି ହେୟ ମନୋଭାବର ସମାଲୋଚନା କରିବା ସହ ଭବିଷ୍ୟତରେ ଏମିତି କଲେ ବନବିଭାଗକୁ କୈଫିୟତ ମାଗିବାକୁ ପଞ୍ଚାୟତ ସମିତି ବାଧ୍ୟ ହେବ ବୋଲି ସୂଚନା ଦେଇଥିଲେ ।
Popular Categories



