ପିପିଲି ପୂର୍ବତନ ବିଧାୟକଙ୍କୁ ମିଳିଲା ଜାମିନ

0

କଟକ: ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓରଫ କେଦାର ଓ ତାଙ୍କ ପୁତ୍ର ପ୍ରିୟବ୍ରତ ସାମନ୍ତରାୟଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ପ୍ରକାଶ କରି ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ପ୍ରତ୍ୟେକଙ୍କୁ ୨୫ହଜାର ଲେଖାଏଁ ଦୁଇ ଜାମିନଦାରଙ୍କ ବଦଳରେ ଜାମିନରେ ଯାଇପାରିବେ ବୋଲି ଆଦେଶନାମାରେ ସ୍ପଷ୍ଟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭାରତୀ ଦାଶ ମାମଲା ପରିଚାଳନା କରୁଥିଲେ। ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିବା ଯୁଧିଷ୍ଠିର ଓ ତାଙ୍କ ପୁତ୍ର ପ୍ରିୟବ୍ରତଙ୍କ ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। କୁନ୍ଦୁଲି ଘଟଣାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଜାନୁଆରୀ ୨୪ତାରିଖରେ ବନ୍ଦ ଡାକରା ଓ ୧୨ଘଣ୍ଟିଆ ହରତାଳ ଚାଲିଥିବାବେଳେ ପିପିଲି ଅଞ୍ଚଳରେ ଏ ନେଇ ଉଭୟଙ୍କ ରାଲି ବାହାରିଥିଲା। ଏହି ସମୟରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ଏହାପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ବିଜେପି କର୍ମୀଙ୍କୁ ଆକ୍ରମଣ କରିବା ନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ତାଙ୍କ ପୁତ୍ର ପ୍ରିୟବ୍ରତ ସାମନ୍ତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Leave A Reply