ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ବଢ଼ୁଛି କରୋନା ସଂକ୍ରମଣ : ୩୦୬୬ ସଂକ୍ରମିତ ,ଗଲାଣି ୧୪ ମୁଣ୍ଡ
ବ୍ୟାଙ୍କ ସଂଘର ଦାବି: ୫୦% କର୍ମଚାରୀଙ୍କୁ ନେଇ କାର୍ୟ୍ୟ ଅନୁମତି, ତୃତୀୟ ଶନିବାର ବ୍ୟାଙ୍କ ବନ୍ଦ
ଭୁବନେଶ୍ବର : ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏଥିରୁ ବାଦ୍ ଯାଇନାହାନ୍ତି ବ୍ୟାଙ୍କ କର୍ମଚାରୀ। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମାତ୍ରା ବଢ଼ିବାରେ ଲାଗିଛି । ବିଭିନ୍ନ ବ୍ୟାଙ୍କର ୩୦୬୬ କର୍ମଚାରୀ ଏବେ କରୋନା ସଂକ୍ରମିତ। ଏମିତିକି କରୋନାରେ ୧୪ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କରେ କାର୍ଯ୍ୟ ସମ୍ପାଦନ କରାଯାଉଛି । ତେଣୁ ଏଭଳି ପରିସ୍ଥିତିରେ ୫୦%ରୁ ୭୫% କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାମ କରିବାକୁ ଅନୁମତି ଦେବାକୁ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ବିସି) ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ଏହାଫଳରେ ସଂକ୍ରମଣର ଚେନ୍କୁ ରୋକା ଯାଇପାରିବ ବୋଲି କୁହାଯାଇଛି । ସେହିଭଳି ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଛି । ଇତିମଧ୍ୟରେ ପ୍ରଥମ ଶନିବାର ଶେଷ ହୋଇଯାଇଛି । ତେଣୁ ଚଳିତମାସର ତୃତୀୟ ଶନିବାରକୁ ବ୍ୟାଙ୍କ ବନ୍ଦ ଘୋଷଣା କରିବାକୁ ମଧ୍ୟ ଏସ୍ଏଲ୍ବିସି ଦାବି ଉପସ୍ଥାପନ କରିଛି । ତେବେ ବର୍ତ୍ତମାନ ସ୍ଥିତିରେ ବ୍ୟାଙ୍କ କାର୍ଯ୍ୟ ନିର୍ଘଣ୍ଟ ସମୟକୁ ସକାଳ ୧୦ଟାରୁ ଦିନ ୨ଟା କରିବାକୁ ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘର ଓଡ଼ିଶା ଶାଖା ସଭାପତି ଦାମୋଦର ନନ୍ଦ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
Comments are closed.