ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ର ଲଇଡା ହ୍ରାମର ଗୌଡପଡାର ବାସିନ୍ଦା ଯମୁନା ଖିଚିରି। ସ୍ୱାମୀ ସୁରେଶ ଖିଚିରି ୨୦୧୭ ମସିହା ମାର୍ଚ୍ଚ ୩୧ ତାରିଖ ଦିନ ୫ଝିଅ ଏବଂ ଗୋଟିଏ ପୁଅ କ ଯମୁନାଙ୍କ ପାଖରେ ଛାଡି ମୃତ୍ୟୁ ବରଣ କଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଦାରିଦ୍ର୍ୟ ସହିତ ୬ଟି ସନ୍ତାନର ଭରଣ ପୋଷଣ କରିବା ଯମୁନାଙ୍କ ପାଇଁ ବହୁତ କଷ୍ଟ ସାଧ୍ୟ ହେଉଛି। ସରକାର ଅସହାୟ ବିଧବା ମାନଙ୍କୁ ଭତ୍ତା ଯୋଗାଇ ଦେବା ପାଇଁ ନିୟମ କରିଛନ୍ତି। କିନ୍ତୁ ପରିତାପର ବିଷୟ ଯେ ଯମୁନା ଖିଚିରି ସ୍ୱାମୀଙ୍କ ମୃତ୍ୟୁ ପରେ ୩ଥର ବିଧବା ଭତ୍ତା ପାଇଁ ଆବେଦନ କରି ଥିଲେ ହେଁ ବିଧବା ଭତ୍ତା ତାଙ୍କ ପାଇଁ ସାତ ସପନ ହୋଇପଡ଼ିଛି। ଭତ୍ତା ପାଇଁ ବାରମ୍ବାର ଧାଁ ଦଉଡ କରିଥିଲେ ବି କୌଣସି ସୁଫଳ ମିଳୁନାହିଁ ବୋଲି ଯମୁନା କ୍ଷୋଭ ପ୍ରକାଶ କରିଛନ୍ତି। ୩ଥର ଆବେଦନ କରି ସାରିଥିଲେ ମଧ୍ୟ ମୋତେ କାହିଁକି ଭତ୍ତା ମିଳୁନାହି ମୁଁ ବୁଝି ପାରୁନାହିଁ ବୋଲି ବହୁତ କଷ୍ଟରେ ଚଳୁଥିବା ଯମୁନା ଦୁଃଖ ପ୍ରକାଶ କରି ମୋତେ ଭବିଷ୍ୟତରେ ଭତ୍ତା ମିଳିବ ତ ବୋଲି ପ୍ରଶ୍ନ କରିଛନ୍ତି।
ଏ ସଂକ୍ରାନ୍ତରେ ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ଙ୍କୁ ପଚରା ଯିବାରୁ ଯମୁନା ଖିଚିରି ଅଫ୍ ଲାଇନରେ ଆବେଦନ କରିଥିବାରୁ ଭତ୍ତା ମଞ୍ଜୁର ସମସ୍ୟା ହୋଇଥିଲା। ତାଙ୍କର ଆବେଦନ ଅନଲାଇନରେ କରାଯିବାର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯମୁନା ଖୁବ୍ ଶୀଘ୍ର ଭତ୍ତା ପାଇବେ ବୋଲି ବିଡିଓ ଶ୍ରୀ ସାହୁ କହିଛନ୍ତି।



