www.samajalive.in
Tuesday, December 9, 2025
16.1 C
Bhubaneswar

ସାତଶଙ୍ଖ ଦୋକାନ ପୋଡି ମାମଲା; ଦୋକାନ ମାଲିକ ଦୁଇ ଭାଇଙ୍କ ସମେତ ୩ ସହଯୋଗୀ ଗିରଫ

ପିପିଲି: ପିପିଲି ଥାନା ସାତଶଙ୍ଖ ବଜାର ସ୍ଥିତ ସାପ୍ତାହିକ ହାଟ ମଧ୍ୟରେ ଥିବା ଦୁଇଟି ହୋଲସେଲିଂ ଦୋକାନ ସମେତ ଏକ ଗୋଦାମରୁ ଶନିବାର ରାତିରେ ଚୋରି ହେବା ଓ ଗୋଦାମକୁ ନିଆଁ ଲଗାଇ ପୋଡି ଦିଆଯିବା ଘଟଣାର ପର୍ଦ୍ଦାଫାଶ କରିବାରେ ପିପିଲି ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ସଂପୃକ୍ତ ଥିବା ଦୋକାନର ମାଲିକ ଦୁଇଭାଇଙ୍କ ସମେତ ୩ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଇନ୍‍ସୁରାନ୍ସ ଟଙ୍କା ପାଇବା ଲୋଭରେ ନିଜ ଦୋକାନକୁ ନିଜେ ନିଆଁ ଲଗାଇ ପୋଡିଦେବା ସହ ପାଖରେ ଥିବା ଅନ୍ୟ ଏକ ହୋଲସେଲିଂ ସାମଗ୍ରୀ ଦୋକାନରୁ ଚୋରି କରିଥିବା ନେଇ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବଳଙ୍ଗା ଥାନା ଅନ୍ତର୍ଗତ ରଥପୁରୁଷୋତ୍ତମପୁର ଗ୍ରାମର ଅଭିଯୋଗକାରୀ ସନ୍ତୋଷ କୁମାର ସାହୁ(୩୭) ଓ ଦୋକାନର ମାଲିକ ତଥା ତାଙ୍କ ସାନଭାଇ ପ୍ରତାପ କୁମାର ସାହୁ(୨୬), ଆଠବାଟିଆ ନୂଆସାହି ଅଞ୍ଚଳର ମକରା ଓ କୃଷ୍ଣଚନ୍ଦ୍ର ସାହାଣୀ (୨୭), ମୋହନ ଓରଫ ମନୋଜ ସାହାଣୀ (୨୮) ଓ ସୁଲତାନନଗର ନୂଆସାହି ଅଞ୍ଚଳର ବାମ୍ଫ ଓରଫ ଉମେଶ ବଳ(୨୫)।

ସୂଚନା ଅନୁଯାୟୀ, ସାତଶଙ୍ଖ ସାପ୍ତାହିକ ହାଟ ମଧ୍ୟରେ ରଥପୁରୁଷୋତ୍ତମପୁର ଗ୍ରାମର ପ୍ରତାପ କୁମାର ସାହୁଙ୍କ ହୋଲ୍‍ସେଲିଂ ଗ୍ରୋସରୀ ଦୋକାନ ଓ ଗୋଦାମରୁ ଶନିବାର ବିଳମ୍ବିତ ରାତ୍ରିରେ ୨୫ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ସାମଗ୍ରୀ ସମେତ ନଗଦ ଟଙ୍କା ଲୁଟ୍‍ ହୋଇଥିବା ସଂପର୍କରେ ପ୍ରତାପଙ୍କ ଭାଇ ସନ୍ତୋଷ କୁମାର ସାହୁ ପୁଲିସରେ ଅଭିଯୋଗ କରିଥିଲେ। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେବା ସହ ଗୋଦାମଘରକୁ ଦୁର୍ବୁତ୍ତମାନେ ନିଆଁ ଲଗାଇ ପୋଡି ଦେଇଥିବା ବେଳେ ଅଗ୍ନିକାଣ୍ଡରେ ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଏହା ସହିତ ନିକଟରେ ଥିବା ଭଗବାନ ବେହେରାଙ୍କ ଅନ୍ୟ ଏକ ହୋଲସେଲିଂ ଦୋକାନରୁ ଦୁର୍ବୁତ୍ତମାନେ ପ୍ରାୟ ୩ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା ସଂପର୍କରେ ପୁଲିସରେ ଅନ୍ୟ ଏକ ଅଭିଯୋଗ ହୋଇଥିଲା। ଲୁଟ୍‍ ସଂପର୍କରେ ଖବର ପାଇ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ସାତଶଙ୍ଖ ଫାଣ୍ଡି ଅଧିକାରୀ ବଳଦେବ ପ୍ରସାଦ ଦାସ ପ୍ରମୁଖ ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ। ଘଟଣାସ୍ଥଳ ନିକଟରେ ପଡିଥିବା ଏକ ପେଟ୍ରୋଲ୍‍ ଜାରକିନ୍‍କୁ ପୁଲିସ ଜବତ କରିଥିଲା। ଦୋକାନ ମାଲିକ ପ୍ରତାପ ଓ ତାଙ୍କ ଭାଇ ସନ୍ତୋଷଙ୍କ କଥାବାର୍ତ୍ତା ତଥା ବ୍ୟବହାର ଓ ଚାଲିଚଳଣକୁ ନେଇ ଆଇଆଇସି ଶ୍ରୀପୃଷ୍ଟିଙ୍କ ସନ୍ଦେହ ହୋଇଥିଲା। ତେଇସିପୁର ନିକଟରେ ଥିବା ପେଟ୍ରୋଲ ଟାଙ୍କିର ସିସିଟିଭି ଫୁଟେଜ୍‍କୁ ପୁଲିସ ଯାଞ୍ଚ କରିବାରେ ବିଳମ୍ବିତ ରାତିରେ ମକରା ଓରଫ୍‍ କୃଷ୍ଣଚନ୍ଦ୍ର ସାହାଣୀ ଏକ ଜାରକିନ୍‍ରେ ପେଟ୍ରୋଲ କିଣିଥିବା ସୂଚନା ମିଳିଥିଲା। ପୁଲିସ ମକରାକୁ ଧରି ପଚରାଉଚୁରା କରିବାରୁ ଦୋକାନ ପୋଡି ଓ ଲୁଟ୍‍ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ମକରା ଠାରୁ ସୂଚନା ପାଇବା ପରେ ପୁଲିସ ଦୋକାନର ମାଲିକ ପ୍ରତାପ କୁମାର ସାହୁ ସମେତ ତାର ଭାଇ ସନ୍ତୋଷ ଓ ଅନ୍ୟଦୁଇ ସହଯୋଗୀ ମନୋଜ ସାହାଣୀ ଓ ଉମେଶ ବଳ(୨୫)କୁ ଗିରଫ କରିଥିଲା। ଦୋକାନର ଋଣଅର୍ଥ ଫାଙ୍କିବା ତଥା ଇନ୍‍ସୁରାନ୍ସ ଟଙ୍କା ପାଇବା ଲୋଭରେ ନିଜ ଦୋକାନକୁ ପ୍ରତାପ ନିଜେ ନିଆଁ ଲଗାଇ ପୋଡି ଦେଇଥିବା ବେଳେ ଏଥିରେ ତାର ଭାଇ ସମେତ ଅନ୍ୟ ୩ଜଣ ସହଯୋଗ କରିଥିବା ପୁଲିସ ସୂଚନା ଦେଇଛି। ପୁଲିସ ସେମାନଙ୍କ ଠାରୁ ୩୪ଶହ ଟଙ୍କା, ଏକ ବୋଲେରୋ, ଗୋଟିଏ ବାଇକ୍‍ ସମେତ ଭଗବାନ ବେହେରାଙ୍କ ହୋଲ୍‍ସେଲିଂ ଦୋକାନରୁ ଲୁଟ୍‍ ହୋଇଥିବା ସାମଗ୍ରୀ ମଧ୍ୟରୁ ୨୫ହଜାରରୁ ଉର୍ଦ୍ଧ ମୂଲ୍ୟର ସାମଗ୍ରୀ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଆଜି ପିପିଲି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

- Advertisement -

 

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories