www.samajalive.in
Friday, December 12, 2025
15.1 C
Bhubaneswar

ୱାଙ୍ଖେଡ଼େରେ ଏକ ଆସନ ଧୋନିଙ୍କ ନାମରେ ନାମିତ ହେବ

ମୁମ୍ବଇ: ୨୦୧୧ ବିଶ୍ୱକପ୍‍ ଫାଇନାଲରେ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ଶ୍ରୀଲଙ୍କା ବିପକ୍ଷରେ ମହେନ୍ଦ୍ର ସିଂହ ଧୋନି ବିଜୟସୂଚକ ଛକା ମାରିବାର ଦୃଶ୍ୟ କୌଣସି କ୍ରିକେଟପ୍ରେମୀ ଭୁଲିପାରିବେ ନାହିଁ। ଗତ ଶନିବାର ଧୋନି ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ନେଇଥିବା ବେଳେ ଏହି ମହାନ୍‍ କ୍ରିକେଟରଙ୍କୁ ସମ୍ମାନ ଜଣାଇବା ଲାଗି ବିଚାର କରୁଛି ମୁମ୍ବଇ କ୍ରିକେଟ୍‍ ଆସୋସିଏସନ୍‍ (ଏମ୍‍ସିଏ)। ଧୋନିଙ୍କ ଉକ୍ତ ଛକା ଗାଲେରୀରେ ଯେଉଁ ଆସନରେ ପଡ଼ିଥିଲା; ସେହି ଆସନ ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ନାମିତ କରିବା ପାଇଁ ଏମ୍‍ସିଏ ବିଚାର କରୁଛି ବୋଲି ଆସୋସିଏସନ୍‍ ସୂତ୍ରରୁ ପ୍ରକାଶ।

ଏମ୍‍ସିଏର ଆପେକ୍ସ କାଉନ୍‍ସିଲ ସଦସ୍ୟ ଅଜିଙ୍କ୍ୟ ନାଏକ ଆସୋସିଏସନ୍‍କୁ ଏକ ପତ୍ର ଲେଖି ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଅଜିଙ୍କ୍ୟ ଲେଖିଛନ୍ତି, ଭାରତୀୟ କ୍ରିକେଟ୍‍ ପ୍ରତି ମହେନ୍ଦ୍ର ସିଂହ ଧୋନିଙ୍କ ଅବଦାନ ଅବର୍ଣ୍ଣନୀୟ। ତେଣୁ ଏଥିପାଇଁ ଧୋନିଙ୍କୁ କୃତଜ୍ଞତା ଜଣାଇବା ଏବଂ ତାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏମ୍‍ସିଏ କିଛି କରିବା ଉଚିତ। ବିଶ୍ୱକପ୍‍ ଫାଇନାଲରେ ଧୋନିଙ୍କ ଛକା ଯେଉଁ ଆସନରେ ପଡ଼ିଥିଲା; ସବୁଦିନ ପାଇଁ ସେହି ଆସନକୁ ଧୋନିଙ୍କ ନାମରେ ନାମିତ କରିବା ଉଚିତ। ଆମେ ଉକ୍ତ ଛକାର ଭିଡିଓ ରେକର୍ଡିଂ ଦେଖି ଏହା କେଉଁ ଆସନରେ ପଡ଼ିଥିଲା କିମ୍ବା କେଉଁ ଆସନରେ ପଡ଼ିବାକୁ ଯାଉଥିଲା; ତାହା ପ୍ରଥମେ ନିର୍ଦ୍ଧାରଣ କରିବାକୁ ପଡ଼ିବ। ଗ୍ୟାଲେରୀର ଅନ୍ୟ ଆସନଠାରୁ ଧୋନିଙ୍କ ଆସନର ରଙ୍ଗ ପୃଥକ୍‍ ହେବ ଏବଂ ଏଥିରେ ସମ୍ପୂର୍ଣ୍ଣ ବିବରଣୀ ରହିବ। ଯଦି ଏମ୍‍ସିଏ ଧୋନିଙ୍କ ନାମରେ ସବୁଦିନ ପାଇଁ ଆସନକୁ ନାମିତ କରେ; ତେବେ ଭାରତୀୟ କ୍ରିକେଟ୍‍ ଇତିହାସରେ ଏହା ପ୍ରଥମ ଘଟଣା ହେବ। ତେବେ ଆନ୍ତର୍ଜାତିକ କ୍ରିକେଟ୍‍ରେ ଏପରି ୩ଟି ନଜର ରହିଛି। ୧୯୯୩ରେ ଅଷ୍ଟ୍ରେଲିଆରେ ନ୍ୟୁ ସାଉଥ୍‍ ୱେଲ୍‍ସ ବିପକ୍ଷରେ ଭିକ୍ଟୋରିଆର ସାଇମନ୍‍ ଓ’ଡୋନେଲ ଏକ ୧୨୨ ମିଟରର ଛକା ମାରିଥିଲେ। ମେଲ୍‍ବୋର୍ଣ୍ଣ କ୍ରିକେଟ୍‍ ଗ୍ରାଉଣ୍ଡରେ ଉକ୍ତ ଛକା ପଡ଼ିଥିବା ଆସନକୁ ସବୁଦିନ ପାଇଁ ଓ’ଡୋନେଲଙ୍କ ନାମରେ ନାମିତ କରାଯାଇଛି। ପରେ ମେଲ୍‍ବୋର୍ଣ୍ଣରେ ୨୦୧୮ରେ ବ୍ରାଡ୍‍ ହଜ୍‍ ମାରିଥିବା ୯୬ ମିଟର ପଡ଼ିଥିବା ଆସନକୁ ସବୁଦିନ ପାଇଁ ହଜ୍‍ଙ୍କ ନାମରେ ନାମିତ କରାଯାଇଛି। ୨୦୧୫ ବିଶ୍ୱକପ୍‍ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେଲ୍‍ ଷ୍ଟେନ୍‍ ବୋଲିଂ କରିଥିବା ଶେଷ ଓଭରରେ ଘରୋଇ ନ୍ୟୁଜିଲାଣ୍ଡର ଗ୍ରାଣ୍ଟ ଏଲିଅଟ୍‍ ଛକାମାରି ଦଳକୁ ଫାଇନାଲରେ ପହଞ୍ଚାଇଥିଲେ। ଉକ୍ତ ଛକା ପଡ଼ିଥିବା ଆସନକୁ ସବୁଦିନ ପାଇଁ ଏଲିଅଟ୍‍ଙ୍କ ନାମରେ ନାମିତ କରାଯାଇଛି। ଗ୍ୟାଲେରୀର ସମସ୍ତ ଆସନ ପାଉଁଶିଆ ରଙ୍ଗ ହୋଇଥିବାବେଳେ ଏଲିଅଟ୍‍ଙ୍କ ନାମରେ ନାମିତ ଆସନର ରଙ୍ଗ ସବୁଜ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories