ଶ୍ରମିକ ପ୍ରତ୍ୟାଗମନ, ସେମାନଙ୍କ ଭଲମନ୍ଦ ଉପରେ ନଜର ରହୁ
କରୋନା ମହାମାରୀ ବ୍ୟାପିବା ଫଳରେ ଓଡ଼ିଶାର ଯେଉଁସବୁ ପ୍ରବାସୀ ଶ୍ରମିକ ଭିଟାମାଟିକୁ ଫେରିଥିଲେ ସେମାନଙ୍କ ମଧ୍ୟରୁ ଏବେ କିଛି ପୁଣି ନିଜର ପୁରୁଣା କର୍ମକ୍ଷେତ୍ରକୁ ବାହୁଡ଼ିବାକୁ ଆରମ୍ଭ କଲେଣି। କରୋନା ସଂକ୍ରମଣ ଭୟ କମିନାହିଁ। ଲକ୍ଡାଉନ୍ ପ୍ରତ୍ୟାହାର ହେବାପରେ ସେମାନେ ପୁନର୍ବାର କର୍ମକ୍ଷେତ୍ରକୁ ଫେରିବା ଅର୍ଥ ସେମାନେ କିଛି ବିପଦ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି। ଆଠଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ କରୋନା ଯୋଗୁଁ ରାଜ୍ୟକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ଅଛନ୍ତି। ରୋଜଗାରର ସୁଯୋଗ ନଥିବାରୁ ସେମାନେ ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। କେତେକ ସ୍ଥାନରେ ନିଯୁକ୍ତିଦାତାମାନେ ଏସବୁ କୁଶଳୀ ଶ୍ରମିକଙ୍କୁ ଗାଡ଼ି ପଠାଇ ବା ସ୍ବତନ୍ତ୍ର ବ୍ୟବସ୍ଥାରେ ଫେରାଇନେବାକୁ ବ୍ୟବସ୍ଥା କରୁଛନ୍ତି। ସମୟ ଏପରି ହୋଇଛି ଯେଉଁଠି ଶ୍ରମିକ-ମାଲିକ ପୁନର୍ବାର ପରସ୍ପରକୁ ଲୋଡ଼ିଛନ୍ତି। ଏଥିରେ ଉଭୟଙ୍କର ଗରଜ ରହିଛି। ଏହି ସୁଯୋଗ ହାତଛଡ଼ା କଲେ ସମ୍ପୃକ୍ତ ଶ୍ରମିକଙ୍କୁ ନିଯୁକ୍ତି ସୁଯୋଗ ହରାଇବାକୁ ପଡ଼ିପାରେ। ତେଣୁ ଇଚ୍ଛା ଥାଉ ବା ନ’ଥାଉ ପରିସ୍ଥିତିର ତାଡ଼ନାରେ ସେମାନଙ୍କୁ ପୁଣି ଯିବାକୁ ପଡ଼ିବ। ତେଣୁ ଆଗକୁ ଏହି ଶ୍ରମିକଙ୍କ ପ୍ରତ୍ୟାଗମନ କାର୍ଯ୍ୟ ଅଧିକ ବ୍ୟାପକ ହେବ।
ଏସବୁ ଶ୍ରମିକଙ୍କୁ ରାଜ୍ୟ ସରକାର ସ୍ଥାନୀୟ ଭାବେ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ଦଶବାର ଲକ୍ଷ ଶ୍ରମିକଙ୍କ ପାଇଁ ରାଜ୍ୟ ଭିତରେ ସେମାନଙ୍କ ଘର ପାଖରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପିଲାଖେଳ ନୁହେଁ। ଆହୁରି ମଧ୍ୟ ଏସବୁ ନିଯୁକ୍ତିରେ ମଜୁରି ମଧ୍ୟ ସବୁ ଶ୍ରମିକଙ୍କୁ ପୋଷେଇବା ସମ୍ଭବ ନୁହେଁ। କୁଶଳୀ ଓ ଅତିକୁଶଳୀ ଶ୍ରମିକମାନେ ନିଶ୍ଚିତ ଅଧିକ ରୋଜଗାର କରିବାକୁ ଆଗ୍ରହୀ ହେବେ ଏବଂ ସ୍ଥାୟୀ ରୋଜଗାର ଲୋଡ଼ିବେ। ତେଣୁ ସେମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ସେମାନେ ଫେରିଯିବା ଉଚିତ ମନେହୁଏ। ତେବେ ଯେଉଁମାନେ ଫେରୁଛନ୍ତି ରାଜ୍ୟ ସରକାର ଜିଲା ଶ୍ରମ ବିଭାଗ ସହାୟତାରେ ଏସବୁ ଶ୍ରମିକଙ୍କ ତଥ୍ୟାବଳୀ ଓ କଣ୍ଟାକ୍ଟ ନମ୍ବର ଆଦି ରଖିବା ଆବଶ୍ୟକ। ତା’ଦ୍ବାରା ଭବିଷ୍ୟତରେ ଜରୁରୀ ସ୍ଥିତିରେ ସେମାନଙ୍କ ସହ ସମ୍ପର୍କ ରକ୍ଷା କରିହେବ। ଯେଉଁସବୁ ଶ୍ରମିକ ପୁନର୍ବାର କର୍ମକ୍ଷେତ୍ରକୁ ଯାଉଛନ୍ତି ସେମାନଙ୍କ ନିରାପତ୍ତା ଓ ସ୍ବାସ୍ଥ୍ୟସେବା ଆଦି ସମ୍ପର୍କରେ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହ ଓଡ଼ିଶା ସରକାର କଥାବାର୍ତ୍ତା କରିବା ଜରୁରୀ।
କେବଳ ଓଡ଼ିଶା ନୁହେଁ; ଅଧିକାଂଶ ଶ୍ରମିକବହୁଳ ରାଜ୍ୟରେ ଏହି ପ୍ରତ୍ୟାଗମନ କାର୍ଯ୍ୟ ଆରମ୍ଭ ହେଲାଣି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ ଅନାଇ ବସିବା ଉଚିତ ହେବନାହିଁ। ରାଜ୍ୟ ସରକାରମାନଙ୍କର ସମ୍ବଳ ଓ ସାଧନ ସୀମିତ। ତେଣୁ ସରକାରଙ୍କୁ ଆପ୍ସା ନ’ମାରି ନିଜନିଜର ରୋଜଗାର ପନ୍ଥା ବାଛିନେବା ବୁଦ୍ଧିମାନର କାମ। ଏଥିରେ ଭାବପ୍ରବଣତା ନ’ରହୁ; ବରଂ ସ୍ବାସ୍ଥ୍ୟ ସଚେତନତା ଓ ସତର୍କତା ରହୁ। ତେବେ ଯାଇ ବାହାରେ ଆମ ଶ୍ରମିକମାନେ ନିରାପଦରେ ପୁନର୍ବାର କାମ ଆରମ୍ଭ କରିପାରିବେ।
Comments are closed.