www.samajalive.in
Wednesday, December 10, 2025
14.1 C
Bhubaneswar

କୋଭିଡ କଟକଣା ମଧ୍ୟରେ ପାଳିତ ହେବ ସ୍ୱାଧୀନତା ଦିବସ : ଆଠଗଡରେ ପ୍ରସ୍ତୁତି ବୈଠକ

ଆଠଗଡ : ଆଠଗଡ ଉପଖଣ୍ଡସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳିତ ହେବ। ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ସଂପ୍ରତି ସମଗ୍ର ବିଶ୍ୱ ତଥା ଆମ ଦେଶରେ ବୈଶ୍ୱିକ ମହାମାରୀ କୋଭିଡ ୧୯ ତାର କାୟା ବିସ୍ତାର କରି ଚାଲିଥିବାରୁ ଦେଶ ତଥା ରାଜ୍ୟରେ କଟକଣା ମଧ୍ୟରେ ଚଳିତବର୍ଷ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କହିଥିଲେ। ଏହି ବୈଠକରେ ଉପଖଣ୍ଡ ପୁଲିସ ଅଧିକାରୀ ଆଲୋକ କୁମାର ରାୟ, ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ଅତି ସୀମିତ ଲୋକଙ୍କ ଉପସ୍ଥିତିରେ ସ୍ଥାନୀୟ ମହୋତ୍ସବ ପଡିଆରେ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ୟାରେଡରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେବେ ନାହିଁ ଏବଂ କେବଳ ପୁଲିସ ବାହିନୀ ପ୍ୟାରେଡ କରି ଜାତୀୟ ପତାକାକୁ ଅଭିବାଦନ ଜଣାଇବା ପାଇଁ ଏହି ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସ୍ୱାଧୀନତା ଦିବସରେ ଜନସାଧାରଣଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି ପାଇଁ ଭୋର ସାଢେ ୪ଟାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସହରରେ ରାମଧୂନର ପ୍ରସାର ଏବଂ ୭.୩୦ରେ ବିଭିନ୍ନ କାର୍ଯ୍ୟାଳୟରେ ସୀମିତ ସଂଖ୍ୟକ କର୍ମଚାରୀ ଓ ଶିକ୍ଷାନୁଷ୍ଠାରେ କେବଳ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସକାଳ ୮ଟାରେ ସହର, ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ମାଲ୍ୟାର୍ପଣ ପରେ ପୂର୍ବାହ୍ନ ୯.୧୫ମିନିଟରେ ଉପଖଣ୍ଡସ୍ତରୀୟ ଉତ୍ସବ ମହୋତ୍ସବ ପଡିଆଠାରେ ଉପଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବା ସହ ପୁଲିସ ବାହିନୀର ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ। ଏଥି ସହିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ କୋଭିଡ ଯୋଦ୍ଧା ଭାବେ ମନୋନୀତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ, ପୁଲିସ ଓ ପ୍ଲାଜମା ଦାନ କରିଥିବା ମୋଟ ୨୦ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯିବା ସହ ଏମାନଙ୍କ ମନୋନୟନ ଲାଗି ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଚଳିତବର୍ଷ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବକୁ ପୁଲିସ ପ୍ୟାରେଡ ଦଳ, କୋଭିଡ ଯୋଦ୍ଧା, ଗଣମାଧ୍ୟମ ପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କୁ ମିଶାଇ ମୋଟ ୧୦୦ଜଣଙ୍କ ମଧ୍ୟରେ ସୀମିତ ରଖିବା ଓ କୋଭିଡ କଟକଣାକୁ ସଠିକ ଭାବେ ପାଳନ କରିବା ଲାଗି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି ଏହି ପ୍ରସ୍ତୁତି ବୈଠକକୁ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories