୧୬ ବର୍ଷରୁ କମ ଜୁନିୟର ଫୁଟବଲ
ବେଜିଂ : ଚୀନର ୱି ନାନ୍ ସିଟିରେ ଚାଲିଥିବା ୧୬ ବର୍ଷରୁ କମ ଚତୁଃରାଷ୍ଟ୍ରୀୟ ଜୁନିୟର ବାଳକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚରେ ଚୀନ ନିକଟରୁ ହାରିଥିବା ଭାରତ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଥାଇଲାଣ୍ଡ ନିକଟରୁ ୧-୩ ଗୋଲରେ ପରାଜୟ ବରଣ କରିଛି। ଭାରତ ଏହି ମ୍ୟାଚ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା। ପ୍ରଥମାର୍ଦ୍ଧର ୯ ଓ ୧୨ ମିନିଟରେ ଦୁଇ ଭାରତୀୟ ଖେଳାଳି ବିକ୍ରମ ପ୍ରତାପ ଓ ରୋହିତ ଦାନୁ ଗୋଲ ଦେବାର ସୁବର୍ଣ୍ଣ ସୁଯୋଗ ହରାଇଥିଲେ। ୪୧ ମିନିଟରେ ଥାଇଲାଣ୍ଡ ଗୋଲ ସ୍କୋର କରି ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧର ୪୮ ମିନିଟରେ ଭାରତ ପକ୍ଷରୁ ବିକ୍ରମ ପ୍ରତାପ ଗୋଲ ପରିଶୋଧ କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ। ୭୦ ଓ ୮୮ ମିନିଟରେ ଆଉ ଦୁଇଟି ଗୋଲ ସ୍କୋର କରି ଥାଇଲାଣ୍ଡ ୩-୧ରେ ବିଜୟୀ ହୋଇଥିଲା। ଶନିବାର ଭାରତ ତାହାର ଅନ୍ତିମ ମ୍ୟାଚରେ ଉତ୍ତର କୋରିଆକୁ ଭେଟିବ।