ମୋସୁଲ ସହର ଅଟ୍ଟାଳିକା ଭଗ୍ନାଂବଶେଷ ତଳୁ ୫,୨୨୮ ମୃତଦେହ ଉଦ୍ଧାର
ମୋସୁଲ : ଇରାକର ମୋସୁଲ ସହରର ଏକ ଧ୍ୱସ୍ତ ବିଲ୍ଡିଂଗୁଡ଼ିକର ଭଗ୍ନାଂବଶେଷ ତଳୁ ମାସକ ମଧ୍ୟରେ ୫,୨୨୮ ମୃତଦେହ ଉଦ୍ଧାର କରାଯାଇଛି। ଏହା ମଧ୍ୟରେ ୨,୬୫୮ ସାଧାରଣ ନାଗରିକ ଏବଂ ୨,୫୭୦ଟି ଆଇଏସ୍ ଆତଙ୍କବାଦୀଙ୍କ ମୃତଦେହ ରହିଛି ବୋଲି ମୋସୁଲ ପୌର ପରିଷଦ ଅଧିକାରୀ ଲାୟାଥ ଜିଆନି ପ୍ରକାଶ କରିଛନ୍ତି। ଗୁରୁବାର ବିଲ୍ଡିଂଗୁଡ଼କର ଭଗ୍ନାଂବଶେଷ ତଳୁ ୬ଟି ମୃତଦେହ ମିଳିଥିଲା। ବିଲ୍ଡି ଭଗ୍ନାଂବଶେଷ ତଳେ ଆଉ ୫୦୦ରୁ ୭୦୦ ମୃତଦେହ ଥିବା ଆଶା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଚିହ୍ନଟ ହେବା ପରେ ମୃତ ସାଧାରଣ ନାଗରିକ ଏବଂ ଇସଲାମିକ ଷ୍ଟେଟ୍ ଆତଙ୍କବାଦୀଙ୍କ ମୃତଦେହ ପୃଥକ ପୃଥକ ଭାବେ ପୋତାଯିବ। ଭଗ୍ନାଂବଶେଷକୁ ତାଡ଼ି ଶବ ଉଦ୍ଧାର କରିବା ପାଇଁ ବ୍ୟବହୃତ ମେସିନ ସଠିକ୍ ଭାବେ କାର୍ଯ୍ୟ କରିପାରୁନଥିବାରୁ ସମସ୍ତ ମୃତଦେହ ଉଦ୍ଧାର କରିବାରେ ବିଳମ୍ବ ହେଉଛି।
ଉଲ୍ଲେଖ ଯେ ୯ ମାସର ସଂଘର୍ଷ ପରେ ଇରାକ ସେନା ମୋସୁଲ ସହରକୁ ଆଇଏସ୍ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିଥିଲେ। ୨୦୧୭ ଜୁଲାଇରେ ଇରାକ ସରକାର ମୋସୁଲକୁ ଆତଙ୍କବାଦ ମୁକ୍ତ ଘୋଷଣା କରିଥିଲେ। ୨୦୧୪ରେ ମୋସୁଲ ଆଇଏସ୍ ଆତଙ୍କବାଦୀଙ୍କ କବଳକୁ ଚାଲିଯାଇଥିଲା। ଏହି ସମୟ ମଧ୍ୟରେ ସଂଘର୍ଷରେ ଅନେକ ଅଟ୍ଟାଳିକା ଓ ଘର ଧ୍ୱଂସ ହୋଇଯାଇଥିଲେ। ଧ୍ୱସ୍ତ ବିଲ୍ଡଂ ତଳେ ଅନେକ ଲୋକଙ୍କ ମୃତଦେହ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି।