ଦିଲ୍ଲୀ ସରକାରଙ୍କୁ ସହଯୋଗ ପାଇଁ ବୈଜଲଙ୍କ ପ୍ରତିଶ୍ରୁତି
ନୂଆଦିଲ୍ଲୀ : ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ଆଗକୁ ଥମିବାର ଆଶା ସଞ୍ଚାର ହୋଇଛି। ସୁପ୍ରିମକୋର୍ଟ ରାୟ ପ୍ରକାଶ ପରେ ପ୍ରତମ ଥର ପାଇଁ ଶୁକ୍ରବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ଶିସୋଦିଆ ରାଜଭବନ ଯାଇ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ ସାକ୍ଷତ କରିଛନ୍ତି। ସେମାନଙ୍କ ମଧ୍ୟରେ ରାୟ ସମ୍ପର୍କରେ ଆଲୋଚନା ହୋଇଛି ଏବଂ ବୈଜଲ ସେମାନଙ୍କୁ ଦିଲ୍ଲୀର ବିକାଶ ସହିତ ସୁଶାସନ ପାଇଁ ସରକାରୀ କାର୍ଯ୍ୟରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ସମସ୍ତ ସରକାରୀ ନଥି ତାଙ୍କ ନିକଟକୁ ପଠାଇବା ଆବଶ୍ୟକ ନାହିଁ ବୋଲି ବୈଜଲ କହିଥିବା ସୂଚନା ମିଳିଛି। ଉଭୟ ପକ୍ଷ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେଜରିୱାଲ ଟ୍ୱିଟର ଯୋଗେ ଉପରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁପ୍ରିମକୋର୍ଟ ରାୟକୁ ସମ୍ମାନ ଦେଇ ସେହି ଅନୁସାରେ ମିଳିମିଶି କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି।
ଉପରାଜ୍ୟପାଳଙ୍କ ନିକଟରୁ ଫେରିବା ପରେ କେଜରିୱାଲୠଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ‘ଦିଲ୍ଲୀ ସରକାରଙ୍କର ସମସ୍ତ ନଥି ତାଙ୍କ ନିକଟକୁ ପଠାଇବା ଜରୁରୀ ନୁହେଁ; କେବଳ ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଅବଗତ କରାଯିବା ଉଚିତ’ ବୋଲି ଉପରାଜ୍ୟପାଳ କହିଛନ୍ତି। ଏହା ଦ୍ୱାରା ବେକୟା ପଡ଼ିଥିବା ବିପୁଳ ନଥି ଉପରେ ଶୀଘ୍ର ନିଷ୍ପତ୍ତି ନିଆଯାଇପାରିବ ବୋଲି ସେ କହିଛନ୍ତି। ସରକାର ଯଦି ସୁପ୍ରିମକୋର୍ଟ ରାୟର ଅନୁପାଳନ ନକରନ୍ତି ତାହାହେଲେ ଦେଶରେ ସ୍ୱେଚ୍ଛାଚାରିତା ଓ ବିଶୃଙ୍ଖଳା ବ୍ୟାପିଯିବ ବୋଲି ସେ ଚେତାଇ ଦେଇଛନ୍ତି।
ସୁପ୍ରିମକୋର୍ଟ ରାୟକୁ ଢ଼ାଲ କରି କେଜରିୱାଲ ତାଙ୍କର କେତେଗୁଡ଼ିଏ ପ୍ରିୟ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିଛନ୍ତି। ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଘରେ ଘରେ ପହଞ୍ଚାଇବା, ସବୁ ସ୍ଥାନରେ ସିସି ଟିଭି କ୍ୟାମେରା ଖଞ୍ଜାଯିବା ଭଳି କାର୍ଯ୍ୟ ଆରମ୍ଭ କରାଯାଇଛି। ଅପରପକ୍ଷରେ ଦିଲ୍ଲୀ ଅମଲାତନ୍ତ୍ର କେଜରିୱାଲଙ୍କ ନିର୍ଦେଶ ମାନିବାକୁ ଏବେ ମଧ୍ୟ ପ୍ରସ୍ତୁତ ନାହାନ୍ତି। ଗୁରୁବାର ସରକାରଙ୍କ ନଥି ଫେରାଇ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଅଦାଲତ ଅବମାନନା ବୋଲି ଦର୍ଶାଇଥିଲେ। ଅମଲାତନ୍ତ୍ର ଶୁକ୍ରବାର ମଧ୍ୟ ନିଜ ଜିଦ୍ରେ ଅଟଳ ଅଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ଜାରି ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଆଦେଶକୁ ସେମାନେ ଗ୍ରହଣ କରୁନାହାନ୍ତି। ସୁପ୍ରିମକୋର୍ଟ ୨୦୧୫ ମେ ୨୧ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦେଶାବଳୀ ପ୍ରତ୍ୟାହାର ସମ୍ପର୍କରେ ରାୟରେ ସ୍ପଷ୍ଟ କରି ନଥିବାରୁ ଏହା ବଳବତ୍ତର ରହିଛି ଓ ସେମାନେ ମୁଖ୍ୟମନ୍ତ୍ରୀ ନୁହନ୍ତି; ରାଜ୍ୟପାଳଙ୍କ ନିକଟରେ ଉତ୍ତରଦାୟୀ ବୋଲି ଯୁକ୍ତି କରୁଛନ୍ତି। ଏଥିଯୋଗୁଁ ପ୍ରଶାସନିକ ଅଚଳାବସ୍ଥା ପୂର୍ବବତ୍ ଜାରି ରହିଥିବା ଜଣାପଡ଼ିଛି।