ନୱାଜଙ୍କୁ ୧୦ ବର୍ଷ, ଝିଅ ମାରିୟମଙ୍କୁ ୭ ବର୍ଷ ଜେଲ୍‍

0

ଇସଲାମାବାଦ : ପାକିସ୍ତାନର ଦୁର୍ନୀତି ନିରୋଧୀ ଅଦାଲତ ଶୁକ୍ରବାର ଏକ ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୧୦ ବର୍ଷ ଏବଂ ଝିଅ ମାରିୟମଙ୍କୁ ୭ ବର୍ଷ ଜେଲ୍‍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଅଦାଲତ ନୱାଜଙ୍କୁ ୭୩ କୋଟି ଟଙ୍କା ଏବଂ ଝିଅ ମାରିୟମଙ୍କୁ ୧୮ କୋଟି ଟଙ୍କା ଜୋରିମାନା କରିଛନ୍ତି। ଉଲ୍ଲେଖ ଯେ ଜୁଲାଇ ୨୫ରେ ପାକିସ୍ତାନର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପାଇଁ ନୱାଜଙ୍କ ଝିଅ ମାରିୟମ ପ୍ରାର୍ଥୀ ହୋଇଛନ୍ତି। ଠିକ୍‍ ଏହାର କିଛି ସପ୍ତାହ ପୂର୍ବରୁ ଅଦାଲତଙ୍କ ଏହି ନିଷ୍ପତ୍ତି ପାକିସ୍ତାନ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି। ପ୍ରକାଶ ଯେ ପାନାମା ପେପର ପ୍ରଘଟ ମାମଲାରେ ୨୦୧୭ ଜୁଲାଇ ୨୮ରେ ପାକିସ୍ତାନ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଫଳରେ ନୱାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ପରେ ତାଙ୍କ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ୧୯୯୦ରେ ନୱାଜ ଦ୍ୱିତୀୟ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ନିଜ ପରିବାର ଲୋକଙ୍କ ନାମରେ ଲଣ୍ଡନରେ ଗୁପ୍ତ ଭାବେ ସମ୍ପତ୍ତି କିଣିଥିଲେ ବୋଲି ପାନାମା ପେପରରେ ପ୍ରକାଶ ପାଇଥିଲା। ଏହା ମଧ୍ୟରେ ସରିଫଙ୍କ ଲଣ୍ଡନରେ ୪ଟି ଦାମି ଘର ଏବଂ ୮ଟି ସମ୍ପତ୍ତି ଥିବା ଦର୍ଶାଯାଇଥିଲା। ତଦନ୍ତରେ ସରିଫ ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ରାୟ ଦେଇଥିଲେ।
ଶୁଣାଣି ପରେ ନ୍ୟାସନାଲ ଆକାଉଣ୍ଟବିଲିଟି ବୋର୍ଡ (ପାକିସ୍ତାନ ଲୋକାୟୁକ୍ତ କାର୍ଯ୍ୟାଳୟ) ଅଭିଯୋଜକ ସର୍ଦ୍ଦାର ମୁଜଫର କହିଥିଲେ ଯେ ଅଦାଲତ ନିଜ ରାୟରେ ନୱାଜଙ୍କ ଲଣ୍ଡନସ୍ଥିତ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ କହିଛନ୍ତି। ଏହାସହ ଲଣ୍ଡନସ୍ଥିତ ତାଙ୍କ ଆଭେନଫିଲ୍ଡ ଘରକୁ ବାଜ୍ୟାପ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ନୱାଜଙ୍କ ନାମରେ ୪ଟି ଦୁର୍ନୀତି ମାମଲା ଥିବାବେଳେ ଶୁକ୍ରବାର ଗୋଟିଏ ମାମଲାରେ ରାୟ ପ୍ରକାଶ ପାଇଛି। ଜୁଲାଇ ୩ରେ ଅଦାଲତ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଇସଲାମାବାଦସ୍ଥିତ ଦୁର୍ନୀତି ନିରୋଧୀ ଅଦାଲତ ବିଚାରପତି ଜଷ୍ଟିସ୍‍ ମହମ୍ମଦ ବଶିର ସାଢେ ୩ ମାସ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ନୱାଜ, ତାଙ୍କ ଝିଅ ମାରିୟମ, ହାସନ, ସୁସେନ ନୱାଜ ଏବଂ କ୍ୟାପ୍ଟେନ ସଫଦର ଅଭିଯୁକ୍ତ ଥିଲେ। ଅଦାଲତ ପୂର୍ବରୁ ହାସନ ଏବଂ ହୁସେନଙ୍କୁ ପଳାତକ ଘୋଷଣା କରିଛନ୍ତି। ଏହି ମାମଲର ଶୁଣାଣି ସପ୍ତାହେ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ନୱାଜ ଆବେଦନ କରିଥିଲେ। ତାଙ୍କ ପତ୍ନୀଙ୍କ ଚିକିତ୍ସା ଲଣ୍ଡନରେ ଚାଲିଥିବାବେଳେ ସେ ଏବେ ଦେଶ ଫେରିପାରିବେ ନାହିଁ ବୋଲି ଆବେଦନରେ ଦର୍ଶାଇଥିଲେ। ହେଲେ ଅଦାଲତ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ରାୟ ପ୍ରକାଶ କରିଛନ୍ତି। ଏବେ ନୱାଜ ଲଣ୍ଡନରେ ଅଛନ୍ତି।

kalyan agarbati
Leave A Reply