କାମନାର ବହ୍ନି

0

ତାରୁଣ୍ୟର ଆକର୍ଷକ ରୂପକୁ ବୃଦ୍ଧାବସ୍ଥା ଯେପରି ଗ୍ରାସ କରି ଶ୍ରୀହୀନ କରିଦେଇଥାଏ, ଠିକ୍‌ ସେହିପରି ସଂଯମହୀନ ବ୍ୟକ୍ତିର ବ୍ୟକ୍ତିତ୍ବ କଳଙ୍କର କାଳିମାରେ ଶ୍ରୀବର୍ଜିତ ହୋଇଯାଇଥାଏ। ଚକ୍ଷୁହୀନ ବ୍ୟକ୍ତି କିଛି ଦେଖିପାରେ ନାହିଁ। ଅସଂଯମୀ ବ୍ୟକ୍ତି ଠିକ୍‌ ସେହିପରି ନିଜ ଦୋଷତ୍ରୁଟି ସମ୍ପର୍କରେ ଜାଣିପାରିନଥାଏ। ସେ ଜାଣିପାରେ ନାହିଁ ଯେ ଏ ସଂସାର ଏକ ସୁନ୍ଦର ତପୋବନ ସଦୃଶ। ଏହି ତପୋବନର ଶ୍ରୀବୃଦ୍ଧି ହୋଇଥାଏ ସଂଯମ, ସେବା, ସହିଷ୍ଣୁତା, ସତ୍‌କର୍ମ ଆଦି ଦ୍ବାରା। ସତ୍‌କର୍ମ ହିଁ ମନୁଷ୍ୟର ନଶ୍ବର ଜୀବନକୁ ମହିମାନ୍ବିତ କରିଥାଏ। ପ୍ରାୟତଃ ଦେଖାଯାଇଥାଏ ଯେ ସମସ୍ତେ ଏଠି ପାର୍ଥିବ ବସ୍ତୁ ପଛରେ ଅଣନିଃଶ୍ବାସୀ ହୋଇ ଧାଇଁଛନ୍ତି। ଇନ୍ଦ୍ରିୟଲାଳସା ଚରିତାର୍ଥଜନିତ ସୁଖର ମାର୍ଗ, ଶାନ୍ତି ମାର୍ଗ ନୁହେଁ, ତ୍ୟାଗ, ସଂଯମରେ ଯେ ଶାନ୍ତି ପ୍ରାପ୍ତି ହୋଇଥାଏ ଏହା ବିସ୍ମରି ଯାଉଛନ୍ତି। ବିଶ୍ବବାସୀଙ୍କୁ ‌​‌େ‌ସହି ତ୍ୟାଗ ଓ ମୋକ୍ଷ ମନ୍ତ୍ରରେ ଅଭିମନ୍ତ୍ରିତ କରିଥିଲେ ଗୌତମ ବୁଦ୍ଧ। ପ୍ରଚାର କରିଥିଲେ ଜୀବନ୍ମୁକ୍ତିର ବାଣୀ- ଦୁଃଖର କାରଣ କାମନା ବା ତୃଷ୍ଣା। କାମନାର ବିନାଶରେ ଦୁଃଖର ବିନାଶ।
କପିଳବାସ୍ତୁର ରାଜପଥରେ ବୁଲିବୁଲି ଏକଦା ଭିକ୍ଷାନ୍ନରେ ଜୀବନନିର୍ବାହ କରୁଥିବା, ନିଜକୁ ଦୁନିଆର ସବୁଠାରୁ ବଡ଼ ଦୁଃଖୀ ଭାବୁଥିବା ବ୍ରାହ୍ମଣସନ୍ତାନ ମୈ‌େ‌ତ୍ରୟ ତଥାଗତଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ଯେ ବୌଦ୍ଧଧର୍ମ ଓ ସଂଘର ଆଶ୍ରୟ ନେଇଥିଲେ ତାହା ପରମୁହୂର୍ତ୍ତରେ କାମନାର ଲେଲିହାନ ଶିଖାରେ ଜଳିଯାଇଥିଲା।
ପାଟଳୀପୁତ୍ର ନଗରୀର ଏକ ଦରିଦ୍ର ବ୍ରାହ୍ମଣର ସନ୍ତାନ ଥିଲେ ସେ, କିନ୍ତୁ କାମନାର ବିନାଶ ସପକ୍ଷରେ ନଥିଲେ। ଏକଦା ଭାବାବେଗରେ ଯଦିଚ ମୋକ୍ଷପ୍ରାପ୍ତି ନିମନ୍ତେ ବୌଦ୍ଧଧର୍ମ ଓ ସଂଘର ଆଶ୍ରୟ ନେଇଥିଲେ ତଥାପି ପରବର୍ତ୍ତୀ ସମୟରେ କାମନାର ମୋହରେ ପଡ଼ି ଧର୍ମ ଓ ସଂଘ ତ୍ୟାଗ କରି ଫେରିଯାଇଥିଲେ ପାର୍ଥିବ ଜଗତକୁ। ମୋକ୍ଷ ପଥଛାଡ଼ି କାମନାର ଦାସତ୍ବ ସ୍ବୀକାର କରିଥିଲେ। ଏ ନିମନ୍ତେ ତଥାଗତଙ୍କ ଅନୁମତି ଭିକ୍ଷା କରିଥିଲେ। ‘କାମନା ଅସଂଯମୀ ଚିତ୍ତବୃତ୍ତିର ପରିପ୍ରକାଶ। କାମନା ଅସତ୍ୟ, ଗୋଟିଏ କାମନାର ପରିତୃପ୍ତିରେ ମନଭିତରେ ଉଙ୍କିମାରେ ଆଉ ଏକ କାମନା। ଏହି କାମନାର ଚରିତାର୍ଥ ଭିତରେ ମଣିଷପଣିଆ ପୋଡ଼ି ପାଉଁଶ ହୋଇଯାଏ। ଏହାକୁ ଜୟ କରିପାରିଲେ ବୁଦ୍ଧତ୍ବ (ଜ୍ଞାନ)ପ୍ରାପ୍ତି’- ବୁଦ୍ଧଙ୍କର ଏହି ବାଣୀ କିନ୍ତୁ ଶୁଣିବାକୁ ପ୍ରସ୍ତୁତ ନଥିଲେ ସେ।
ବେଶ୍‌ କିଛିବର୍ଷ ଅତିବାହିତ ହୋଇଗଲା। ଦିନେ ପାଟଳିପୁତ୍ରର ରାଜରାସ୍ତାରେ ଅଗଣିତ ଅନୁଗାମୀଙ୍କ ସହ ଯାଉଥାନ୍ତି ତଥାଗତ। ହଠାତ କେହିଜଣେ ସମ୍ମୁଖଭାଗରୁ ଆସି ତଥାଗତଙ୍କ ପାଦଦୁଇଟିକୁ ଜାବୁଡ଼ି ଧରିଥିଲା। କୋମଳ ସ୍ବରରେ ତଥାଗତ କହିଥିଲେ ଉଠ ବତ୍ସ, ଉଠ। କିଏ ତୁମେ, କ’ଣ ଚାହୁଁଛ ମୋଠାରୁ?
ମୁଁ ମୈତ୍ରେୟ, କ୍ଷମା ଚାହୁଁଛି। କାମନାର ଦାସ ହୋଇ ଢ଼େର ଅନୁଭୂତି ହାସଲ କଲି, ହେଲେ ଏହା ପୂର୍ଣ୍ଣ ହେଲାନାହଁି।
ଜିଜ୍ଞାସୁ ବୁଦ୍ଧଙ୍କ ପ୍ରଶ୍ନଥିଲା- ଏବେ କୁହ, ତୁମର କାମନା ପରିପୂର୍ଣ୍ଣ ହୋଇଛି ତ?
ନା, ବହୁ ନଟୀ ଉପଭୋଗ କରିିଛି, ହେଲେ ତୃପ୍ତି ପାଇନି, ପ୍ରଚୁର ମୃଗମାଂସ ଭକ୍ଷଣ କରିଛି, ତଥାପି ମାଂସ ଭକ୍ଷଣର ଲୋଭ ରହିଛି।
ସେ ସବୁକୁ ପୂରଣ କଲନାହିଁ- ତଥାଗତ ପ୍ରଶ୍ନ କରିଥିଲେ। ଭଗ୍ନ କଣ୍ଠରେ ମୈତ୍ରେୟ କହିଥିଲେ- ‘ଏବେ ମୁଁ ଲୋଳିତ ଚର୍ମ ବୃଦ୍ଧ, ସ୍ଥବିର, ସ୍ନାୟବିକ ଦୁର୍ବଳତାର ଶିକାର। ତଥାପି ଉନ୍ମାଦନାର ଜ୍ବାଳାମୁଖୀ ମୋ ଅନ୍ତରରେ ଦାଉଦାଉ ଜଳୁଛି। ଏବେ ଅତିକ୍ରାନ୍ତ ବୟସରେ ମୁଁ ଅନୁଭବ କରୁଛି କାମନା ଏକ ବହ୍ନିଶିଖା। ବେଶ କିଛି ବର୍ଷ ଏହି ବହ୍ନି ଶିଖାରେ ଇନ୍ଧନ ଦେଇ ଚାଲିଥିଲି। ଏବେ ମୁଁ ଫେରି ଆସିଛି ସଂଘର ଆଶ୍ରୟ ନେବାପାଇଁ ଶାନ୍ତିଲାଭ ନିମନ୍ତେ।’
ତଥାଗତଙ୍କ ମୁଖମୁଣ୍ଡଳରେ ଥିଲା ସେଇ ସ୍ମିତହାସ୍ୟ ଯାହା କାମନା ପ୍ରପୀଡ଼ିତ ମଣିଷକୁ ଆଲୋକିତ ପଥରେ ନେଇଯିବାପାଇଁ ଅନୁପ୍ରେରିତ କରୁଥିଲା।

kalyan agarbati
Leave A Reply