ଫ୍ରାନ୍‍ସ-ଉରୁଗୁଏ ପ୍ରଥମ କ୍ୱାର୍ଟରଫାଇନାଲ ମୁକାବିଲା

0

ନିଝ୍‍ନି ନବଗରୋଡ୍‍ : ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର କ୍ୱାର୍ଟରଫାଇନାଲ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ପ୍ରଥମ ମୁକାବିଲା ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଗୁରୁବାର ସନ୍ଧ୍ୟାରେ ଦୁଇ ପୂର୍ବତନ ଚମ୍ପିଆନ୍‍ ଫ୍ରାନ୍‍ସ ଓ ଉରୁଗୁଏ ମଧ୍ୟରେ ମୁକାବିଲା ହେବ। ଆଣ୍ଟୋଏନ୍‍ ଗ୍ରିଜ୍‍ମ୍ୟାନ୍‍, ପଲ୍‍ ପୋଗ୍‍ବା ଓ କିଲିଆନ୍‍ ଏମ୍‍ବାପେଙ୍କ ପରି ଖେଳାଳିଙ୍କୁ ନେଇ ଆକ୍ରମଣାତ୍ମକ ଫ୍ରାନ୍‍ସ ଦଳ ଏବଂ ଏଡିନ୍‍ସନ କାଭାନି, ଡିଏଗୋ ଗୋଡିନ୍‍ ଓ ଲୁଇ ସ୍ୱାରେଜ୍‍ଙ୍କୁ ନେଇ ଗଠିତ ଲଢ଼ୁଆ ଉରୁଗୁଏ ଦଳ ମଧ୍ୟରେ ଏହି ମୁକାବିଲା ହେବ। ଏହି ମ୍ୟାଚ୍‍ର ବିଜେତା ସେମିଫାଇନାଲରେ ବ୍ରାଜିଲ କିମ୍ବା ବେଲ୍‍ଜିୟମ୍‍ର ମୁକାବିଲା କରିବ।
୧୯୯୮ର ଚମ୍ପିଆନ୍‍ ଦଳ ଫ୍ରାନ୍‍ସ ଲିଗ୍‍ ସ୍ତରରେ ସେପରି ଭଲ ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନଥିଲା। ଅଷ୍ଟ୍ରେଲିଆକୁ ୨-୧ରେ, ପେରୁକୁ ୧-୦ରେ ଫ୍ରାନ୍‍ସ ପରାସ୍ତ କରିଥିବା ବେଳେ ଡେନ୍‍ମାର୍କ ସହ ଏହାର ମ୍ୟାଚ୍‍ ଗୋଲ୍‍ଶୂନ୍ୟ ରହିଥିଲା। ତେବେ ପ୍ରିକ୍ୱାର୍ଟରଫାଇନାଲ ମୁକାବିଲାରେ ଗତଥରର ରନର୍ସଅପ୍‍ ଆର୍ଜେଣ୍ଟିନାକୁ ୪-୩ ଗୋଲ୍‍ରେ ହରାଇବା ପରେ ହଠାତ୍‍ ଫୁଟ୍‍ବଲପ୍ରେମୀ ଫ୍ରାନ୍‍ସକୁ ଅନ୍ୟତମ ଫେଭରିଟ୍‍ ଭାବେ ଧରି ନେଇଛନ୍ତି। ୧୯ ବର୍ଷ ବୟସ୍କ କିଲିୟାନ୍‍ ଏମ୍‍ବାପେ ଅଦ୍ୟାବଧି ଫ୍ରାନ୍‍ସ ପାଇଁ ୩ଟି ଗୋଲ୍‍ ସ୍କୋର୍‍ କରିଛନ୍ତି। ସେଥିରୁ ୨ଟି ଗୋଲ୍‍ ସେ ଆର୍ଜେଣ୍ଟିନା ବିରୋଧରେ ସ୍କୋର୍‍ କରିଥିଲେ। ଆଣ୍ଟୋଏନି ଗ୍ରିଜ୍‍ମ୍ୟାନ୍‍ ୨ଟି ଗୋଲ୍‍ ଦେଇଥିବା ବେଳେ ଉଭୟ ଗୋଲ୍‍ ପେନାଲ୍‍ଟିରୁ ସେ ଦେଇଥିଲେ। ବ୍ଲେଜ୍‍ ମାଟ୍ୱିଡି, ପଲ୍‍ ପୋଗ୍‍ବା ଓ ଏନ୍‍ଗୋଲୋ କାଣ୍ଟେ ଫ୍ରାନ୍‍ସ ମିଡ୍‍ଫିଲ୍‍ଡରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଲିଭର ଜିରୌଡ୍‍ ମଧ୍ୟ ଭଲ ଖେଳୁଛନ୍ତି। ଆର୍ଜେଣ୍ଟିନା ବିରୋଧରେ ଫ୍ରାନ୍‍ସ ୪ଟି ଗୋଲ୍‍ ସ୍କୋର୍‍ କରିଥିଲେ ହେଁ ଉରୁଗୁଏ ବିପକ୍ଷରେ ଏହା ସହଜ ହେବନାହିଁ। ଅଧିନାୟକ ଡିଏଗୋ ଗୋଡିନ୍‍ଙ୍କ ସହ ଜୋସ୍‍ ଗିମିନେଜ ଉରୁଗୁଏ ରକ୍ଷାପନ୍ଥୀରେ ପ୍ରାଚୀର ପରି ଛିଡ଼ା ହୋଇଛନ୍ତି। ସୂଚନାଯୋଗ୍ୟ; ଲିଗ୍‍ ପର୍ଯ୍ୟାୟରେ ଉରୁଗୁଏ ୩ଟିଯାକ ମ୍ୟାଚ୍‍ ଜିତିଥିଲା। ଏହା ୫ଟି ଗୋଲ୍‍ ଦେଇଥିବା ବେଳେ ଗୋଟିଏ ବି ଗୋଲ୍‍ ବରଣ କରିନଥିଲା। ପ୍ରିକ୍ୱାର୍ଟରଫାଇନାଲରେ ପର୍ତ୍ତୁଗାଲ୍‍ର ପେପେ ଦେଇଥିବା ଗୋଲ୍‍ ଉରୁ୍‍ଗୁଏ ବରଣ କରିଥିବା ଏକମାତ୍ର ଗୋଲ୍‍। ଲୁଇ ସ୍ୱାରେଜ୍‍ ଓ ଏଡିନ୍‍ସନ କାଭାନି ବହୁତ ଭଲ ଷ୍ଟ୍ରାଇକର। ତେବେ କାଭାନିଙ୍କ ଫିଟ୍‍ନେସ୍‍ ନେଇ ପ୍ରଶ୍ନବାଚୀ ରହିଛି। ପ୍ରିକ୍ୱାର୍ଟରରେ ପର୍ତ୍ତୁଗାଲ ବିପକ୍ଷରେ ଉଭୟ ଗୋଲ୍‍ କାଭାନି ହିଁ ସ୍କୋର୍‍ କରିଥିଲେ। ସ୍ୱାରେଜ୍‍ଙ୍କୁ ରୋକିବା ଦାୟିତ୍ୱ ଫ୍ରାନ୍‍ସ ତା’ର ଡିଫେଣ୍ଡର ରାଫେଲ ଭାରାନେଙ୍କୁ ଦେବ। କାଭାନି ନ ଖେଳିଲେ; ଗୋଲ୍‍ ସ୍କୋର୍‍ କରିବାର ସମସ୍ତ ଭାର ସ୍ୱାରେଜ୍‍ଙ୍କ କାନ୍ଧରେ ପଡ଼ିବ। ଅନ୍ୟପଟରେ ଗ୍ରିଜ୍‍ମ୍ୟାନ୍‍, କିଲିୟାନ୍‍ ଏମ୍‍ବାପେ ଓ ଜିରୌଡ୍‍ଙ୍କୁ ରୋକିବାର ଦାୟିତ୍ୱ ନେବେ ଉରୁଗୁଏ ଅଧିନାୟକ ଡିଏଗୋ ଗୋଡିନ୍‍ ଓ ଜୋସ୍‍ ଗିମିନେଜ୍‍। ଅଦ୍ୟାବଧି ଉରୁଗୁଏ ଓ ଫ୍ରାନ୍‍ସ ମଧ୍ୟରେ ୭ ଥର ମୁକାବିଲା ହୋଇଛି। ଏଥିରୁ ଉରୁଗୁଏ ୨ଟି ଏବଂ ଫ୍ରାନ୍‍ସ ଗୋଟିଏ ଜିତିଥିବା ବେଳେ ୪ଟି ଡ୍ର ରହିଛି। ବିଶ୍ୱକପ୍‍ର କ୍ୱାର୍ଟରଫାଇନାଲ ପରି ମୁକାବିଲାରେ ଉଭୟ ଦଳ ପୂରା ଶକ୍ତି ଲଗାଇବେ। ଏହି ମୁକାବିଲାରେ ଗୋଟିଏ ଦଳକୁ ବାଛିବା କଷ୍ଟକର। ଆର୍ଜେଣ୍ଟିନା ବିପକ୍ଷରେ ଫ୍ରାନ୍‍ସ ୪ଟି ଗୋଲ୍‍ ଦେଇଥିଲେ ହେଁ ଉରୁଗୁଏ କ୍ରମାଗତ ୪ଟି ମ୍ୟାଚ୍‍ ଜିତିଛି। ଉଭୟ ଦଳଙ୍କର ସେମିଫାଇନାଲ ଖେଳିବା ଦକ୍ଷତା ରହିଛି।

kalyan agarbati
Leave A Reply