ମହାକାଶଯାନରୁ ଚାଳକ ନିକାଶ ବ୍ୟବସ୍ଥାର ସଫଳ ପରୀକ୍ଷଣ
ଚେନ୍ନାଇ : ମାନବବାହୀ ମହାକାଶଯାନ ଗବେଷଣା କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କରିଛି। ସଂସ୍ଥା ପକ୍ଷରୁ ମହାକାଶଯାନରୁ ଚାଳକ ନିକାଶ ବ୍ୟବସ୍ଥାର ସଫଳ ପରୀକ୍ଷଣ କରାଯାଇଛି। ଉତ୍କ୍ଷେପଣ ସମୟରେ ଦୁର୍ଘଟଣା ଘଟିଲେ ମହାକାଶଚାରୀମାନେ ଏହି ବ୍ୟବସ୍ଥା ଦ୍ୱାରା ସୁରକ୍ଷିତ ଭାବେ ମହାକାଶଯାନରୁ ବାହାରକୁ ଆସିପାରିବେ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରଠାରୁ ପୂର୍ବାହ୍ଣ ୭ଟାରେ ୧୨.୬ ଟନ୍ ଓଜନ ବିଶିଷ୍ଟ ଚାଳକ ନିକାଶ ବ୍ୟବସ୍ଥାକୁ ଏକ ନକଲି କ୍ରୁ ମଡ୍ୟୁଲ୍ ସହ ଉତ୍କ୍ଷେପଣ କରାଯାଇଥିଲା। ମାତ୍ର ୨୫୯ ସେକେଣ୍ଡ ମଧ୍ୟରେ ଏହା ଆକାଶପଥରୁ ବଙ୍ଗୋପସାଗର ଆଡକୁ ଖସି ପାରାଚୁଟ୍ ସହାୟତାରେ ଶ୍ରୀହରିକୋଟାଠାରୁ ୨.୯କିଲୋମିଟର ଦୂର ପୃଥିବୀର ବାୟୁମଣ୍ଡଳରେ ଘୂରି ବୁଲିଥିଲା। ଏଥିରେ ଖଞ୍ଜାଯାଇଥିବା ୭ଟି ସ୍ୱତନ୍ତ୍ର ମୋଟର ଏହାକୁ ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚିବାରେ ସହଯୋଗ କରିଥିଲା। ପାଖାପାଖି ୩୦୦ ସେନ୍ସର ଦ୍ୱାରା ଏହି ପରୀକ୍ଷାକୁ ରେକର୍ଡ କରାଯାଇଛି।