ବୁଝି ବିଚାରି କାର୍ଯ୍ୟ କଲେ…
ଜଣେ ନୈଷ୍ଠିକ ବ୍ରାହ୍ମଣ ଥିଲେ। ନୀତିବାଦୀ ଥିଲେ ମଧ୍ୟ ବ୍ରାହ୍ମଣ ଥିଲେ ଅତିମାତ୍ରାରେ ଉଚ୍ଚାଭିଳାଷୀ। କୌଣସି ଶାସ୍ତ୍ରରୁ ସେ ପଢ଼ିଥିଲେ ଶାର୍ଦୂଳ ମନ୍ତ୍ର ସମ୍ପର୍କରେ। ଏହି ମନ୍ତ୍ର ପ୍ରଭାବରେ ମଣିଷ ଚାହିଁବା ମୁତାବକ ପଶୁ ହୋଇଯାଇପାରେ- ଏହା ଜାଣିବା ପରେ ଏହି ମନ୍ତ୍ର ହାସଲ କରିବାକୁ ପ୍ରୟାସ କରିଥିଲେ। ବହୁତ ଆଡ଼ ବୁଲିବୁଲି ଶେଷରେ ଜଣେ ସାଧୁ ମହାତ୍ମାଙ୍କ ସଂସର୍ଗରେ ଆସିଲେ ଯିଏ ଏହି ମନ୍ତ୍ର ଜାଣିଥିଲେ। କଳେବଳେ ମନ୍ତ୍ର ହାସଲ କରିବା ଥିଲା ଲକ୍ଷ୍ୟ। ତେଣୁ ସାଧୁଙ୍କୁ ପ୍ରଲୁବ୍ଧ କରିବାପାଇଁ ପ୍ରଥମେ ତାଙ୍କ ପାଖରେ ବେଶ୍ କିଛି ଦିନ ରହି ସେବା କରି ତାଙ୍କୁ ପ୍ରସନ୍ନ କରାଇ ନିଜର କୁଅଭିପ୍ରାୟ ଜଣାଇଥିଲେ।
ସାଧୁ ଏହା ଜାଣିବା ପରେ ସତର୍କ କରାଇ ଦେଇଥିଲେ- ଦେଖ ବତ୍ସ! ଏହା ବହୁତ ହାନିକାରକ ମନ୍ତ୍ର। ଏହା ଜାଣି କିଛି ଲାଭ ନାହିଁ ବରଂ କ୍ଷତିର ସମ୍ଭାବନା ସର୍ବାଧିକ। ବ୍ରାହ୍ମଣ କିନ୍ତୁ ଅଡ଼ି ବସିଥିଲେ ଏହା ଶିଖିବା ନିମନ୍ତେ। ଶେଷରେ ଅନନ୍ୟୋପାୟ ହୋଇ ସାଧୁ ମହାତ୍ମା ଏହା ଶିଖାଇ ଦେଇଥିଲେ। ସତର୍କ କରାଇ ଦେଇଥିଲେ ତୁମେ ନିହାତି ଦରକାର ଘଟଣାରେ ରୂପ ବଦଳାଇବ, କିନ୍ତୁ ମନେରଖ କୌଣସି ହିଂସ୍ର ପଶୁର ରୂପ ଆଦୌ ନେବନାହିଁ। ଏହାର ପରିଣାମ ଭୟଙ୍କର ହେବ।
ମନ୍ତ୍ର ଶିକ୍ଷା ନିମନ୍ତେ ବ୍ରାହ୍ମଣ ଅତି ଆଗ୍ରହରେ ହଁ ଭରିଥିଲେ। ପରିସ୍ଥିତି ଚାପରେ ଏଭଳି ମନ୍ତ୍ର ଶିକ୍ଷା ଦେଇ ଅସନ୍ତୁଷ୍ଟ ଥିବା ସାଧୁ ମହାତ୍ମା ପ୍ରତିକାର ସ୍ବରୂପ କହିଥିଲେ- ‘ମନ୍ତ୍ର ପଢ଼ି ଲାଲ ରଙ୍ଗର ମନ୍ତୁରା ଅକ୍ଷତ ପକାଇ ଦେଲେ ପଶୁରୂପ ଧାରଣ କରିବ, ପୁନଃ ମଣିଷ ରୂପ ଧାରଣ କରିବାକୁ ହେଲେ ହଳଦିଆ ରଙ୍ଗର ମନ୍ତୁରା ଅକ୍ଷତ ମସ୍ତକ ଉପରେ ପକାଇବାକୁ ହେବ। ମନେରଖ ପଶୁରୂପ ଧାରଣ କଲେ ମାନବୋଚିତ ଜ୍ଞାନ ନଥାଏ, ସ୍ବଭାବ ଠିକ୍ ପଶୁତୁଲ୍ୟ ହିଁ ରହିଥାଏ।
ବ୍ରାହ୍ମଣ ମନ୍ତ୍ରଶିକ୍ଷା କରି ସ୍ବର୍ଗର ଚାନ୍ଦ ହାତରେ ପାଇଲା ପରି ଖୁବ ଆନନ୍ଦ ମନରେ ଘରକୁ ଆସିଲେ। ଦୀର୍ଘଦିନର ଆକାଙ୍କ୍ଷା ପୂରଣ ହୋଇଥିବାରୁ ପତ୍ନୀଙ୍କୁ ଏହି ଶୁଭ ସମାଚାର ଶୁଣାଇଥିଲେ। ସ୍ବାମୀ ଏଭଳି ଆଶ୍ଚର୍ଯ୍ୟଜନକ ମନ୍ତ୍ରଶିକ୍ଷା କରିଛନ୍ତି ଜାଣିବା ପରେ ତୁରନ୍ତ ମନ୍ତ୍ରର ପ୍ରଭାବ ଦେଖିବା ପାଇଁ ବ୍ୟଗ୍ର ହୋଇଉଠିଲେ।
ବ୍ରାହ୍ମଣ ପତ୍ନୀର ଜିଦ୍ ଦେଖି କହିଥିଲେ- ଗୋଟିଏ କାମ କର, ମୁଁ ବାଘ ରୂପ ଧାରଣ କରୁଛି। ମୋର ଏହି ରୂପ ଦେଖିଲା ପରେ ତୁମେ କାଳବିଳମ୍ବ ନକରି ମୋତେ ପୂର୍ବବତ ହଳଦିଆ ଅକ୍ଷତ ପକାଇ ମଣିଷ କରିଦେବ। ଏହା କେବେ ଭୁଲିବ ନାହିଁ। ଏହା କହି ବାଘହେବା ପାଇଁ ରକ୍ତବର୍ଣ୍ଣ ଓ ପୁନଃମଣିଷ ହେବାପାଇଁ ହଳଦିଆ ରଙ୍ଗର ମନ୍ତୁରା ଅକ୍ଷତ ଅଲଗାଅଲଗା ରଖି ପତ୍ନୀଙ୍କୁ ପୁଣିଥରେ ପ୍ରୟୋଗର ବିଧି ବତାଇ ଦେଇଥିଲେ।
ଗୃହର କବାଟ ଝରକା ବନ୍ଦ କରିଦେଇ ବ୍ରାହ୍ମଣ ତଳେ ବସି ପତ୍ନୀଙ୍କୁ ଉଚ୍ଚ ସ୍ଥାନରେ ବସାଇଦେଲେ। ପତ୍ନୀ ବ୍ରାହ୍ମଣ କହିବା ମୁତାବକ ମନ୍ତ୍ରଚାଉଳ ଶିରରେ ପକାନ୍ତେ ବ୍ରାହ୍ମଣ ବ୍ୟାଘ୍ର ହୋଇ ଭୟଙ୍କର ଗର୍ଜନ କରି ବନ୍ଦ ଗୃହର ଏଣେତେଣେ ଘୂରିବାକୁ ଲାଗିଲା। ପତ୍ନୀ ଏଭଳି ରୂପ ଦେଖି ଛାନିଆ ହୋଇ ମନ୍ତ୍ର ଚାଉଳ ଉପରକୁ ଫିଙ୍ଗିଥିଲେ ମଧ୍ୟ ଏହା ବ୍ୟାଘ୍ର ଉପରେ ପଡ଼ିନଥିଲା, ତେଣୁ ପ୍ରଭାବହୀନ ଥିଲା। ହିଂସ୍ର ବ୍ୟାଘ୍ରର ଭୟଙ୍କର ର୍ଗଜନ ଶୁଣି ପତ୍ନୀ ଛାନିଆରେ ତଳେ ପଡ଼ିଯାଇଥିଲେ।
ସମ୍ମ୍ୁଖରେ ଖାଦ୍ୟ ଦେଖି ହିଂସ୍ରବ୍ୟାଘ୍ର ପତ୍ନୀଙ୍କ ଉପରକୁ ଲମ୍ଫ ପ୍ରଦାନ କରି ତଣ୍ଟି କଣାକରି ରକ୍ତ ପିଇଯାଇଥିଲା। ପତ୍ନୀର ମରଣାନ୍ତକ ଚିତ୍କାର ଓ ବ୍ୟାଘ୍ରର ହେଣ୍ଟାଳ ଶୁଣି ଆଖପାଖ ଲୋକେ ହାତହତିଆର ଧରି ଜମା ହୋଇଗଲେ। କବାଟ ଭାଙ୍ଗି ହିଂସ୍ରବ୍ୟାଘ୍ର ଓ ମୃତ ପତ୍ନୀଙ୍କୁ ଦେଖିଥିଲେ। କିଛି ଜାଣି ନପାରି ପିଟିପିଟି ବ୍ୟାଘ୍ରକୁ ମାରିଦେଇଥିଲେ। ପତି-ପତ୍ନୀ ଉଭୟେ ବୁଝି ବିଚାରି କାର୍ଯ୍ୟ କରି ନଥିଲେ। ଅନୁଚିତ କାର୍ଯ୍ୟର ପରିଣାମ ସ୍ବରୂପ ଉଭୟେ ଅକାଳରେ ଜୀବନ ହାରିଥିଲେ।