ଆମେରିକାକୁ ଝଟକା ଦେବେ ଭାରତ ସମେତ ୧୬ ରାଷ୍ଟ୍ର, ଗଠନ ହେବ ବେପାରୀ ରାଷ୍ଟ୍ର ସଂଗଠନ

0

ନୂଆଦିଲ୍ଲୀ : ଆମେରିକାର ବାଣିଜ୍ୟ ଯୁଦ୍ଧ ନୀତିରେ ପ୍ରଭାବିତ ଭାରତ ସମେତ କେତେକ ରାଷ୍ଟ୍ର ଏହାର ମୁକାବିଲା ପାଇଁ ମିଳିତ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଫଳରେ ଚଳିତ ବର୍ଷର ଶେଷ ସୁଦ୍ଧା ୧୬ଟି ବେପାରୀ ରାଷ୍ଟ୍ର ମିଶି ଏକ ସଂଗଠନ ଗଠନ କରିବେ ବୋଲି ସୂଚନା ମିଳିଛି। ଏପରି ହେଲେ ଆମେରିକାକୁ ଏକ ବଡ଼ ଝଟକା ଲାଗିବ। ଏସିଆ ରାଷ୍ଟ୍ରଗୁଡ଼ିକର ବାଣିଜ୍ୟ ମନ୍ତ୍ରୀମାନେ ରବିବାର ଏ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରବିବାର ଜାପାନର ଟୋକିଓଠାରେ ଭାରତ ସମେତ ଏହି ୧୬ ରାଷ୍ଟ୍ରର ବାଣିଜ୍ୟ ମନ୍ତ୍ରୀ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗୀତା (ଆରସିଇପି) ବୈଠକରେ ଏକାଠି ହୋଇଥିଲେ। ସେଠାରେ ମତଭେଦ ଦୂର ପାଇଁ ଆଲୋଚନା ହୋଇଥିଲା। ବାଣିଜ୍ୟକୁ ନେଇ ସର୍ବ ସହମ୍ମତି ହେବା ପରେ ୧୬ଟି ରାଷ୍ଟ୍ରକୁ ନେଇ ଏକ ସଂଗଠନ ଗଠନ ହେବ। ଏହି ସଂଗଠନରେ ଭାରତ, ଚୀନ ଏବଂ ଜାପାନ ଭଳି ଏସିଆ ଦେଶ ଏକାଠି ହେବେ। ମିଳିତ ଭାବେ ସେମାନେ ଆମେରିକାର ବାଣିଜ୍ୟ ନୀତିର ମୁକାବିଲା କରିବେ। ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଜାପାନ ବାଣିଜ୍ୟ ମନ୍ତ୍ରୀ ହେରୋସିଗେ ସେକୋ କହିଥିଲେ ଯେ ରାଜିନାମା ପଥ ସ୍ପଷ୍ଟ ଦେଖାଯାଉଛି। ଏବେ ବିଶ୍ୱରେ ସଂରକ୍ଷଣବାଦର ବୃଦ୍ଧି ଘଟୁଥିବାବେଳେ ଏସିଆ ରାଷ୍ଟ୍ର ଗୁଡ଼ିକ ବାଣିଜ୍ୟ କ୍ଷେତ୍ରରେ ଏକାଠି ହୋଇ ଆଗକୁ ବଢିବା ଆବଶ୍ୟକ। ଏହି ସହଭାଗୀତା ବୈଠକରେ ଆସିଆନାର ୧୦ ସଦସ୍ୟ ରାଷ୍ଟ୍ର ବ୍ୟତୀତ ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ସହଭାଗୀତା ପରିସର ମଧ୍ୟରେ ବିଶ୍ୱର ଏକ ତୃତୀୟାଂଶ ଅର୍ଥନୀତି ପ୍ରାୟ ଅଧା ଜନସଂଖ୍ୟା ଆସୁଛି । ଏବେ ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସର୍ବ ସମ୍ମତି ଆଣିବାକୁ ପ୍ରୟାସ ଚାଲିଛି। ତେବେ ଭାରତ ଦ୍ରବ୍ୟ ଏବଂ ସେବାକର (ଜିଏସ୍‍ଟି)ରେ ହ୍ରାସ ପାଇଁ ରାଜି ହେଉନଥିବାରୁ ସର୍ବ ସମ୍ମତି ଆଣିବାରେ ବାଧକ ସାଜୁଛି। ତେବେ ଏହାର ବିକଳ୍ପ ବାଟ ବାହାର କରିବାକୁ ପ୍ରୟାସ ଚାଲିଛି। ଚଳିତ ବର୍ଷ ଶେଷ ସୁଦ୍ଧା ସର୍ବ ସହମ୍ମତି ହେବ ଏବଂ ଏହି ସଂଗଠନ ବାସ୍ତବ ରୂପ ନେବ ବୋଲି ସମସ୍ତେ ଆଶା କରୁଛନ୍ତି।

Leave A Reply