www.samajalive.in
Sunday, December 14, 2025
26.1 C
Bhubaneswar

‘ଯୋଦ୍ଧା ହେବା ପାଇଁ ପେଟ କମାଅ’, ମୋଟା ପୁଲିସଙ୍କୁ ପରେଡ୍‌ କରାଯିବ : କମିସନର

ଭୁବନେଶ୍ବର : ସମ୍ପ୍ରତି କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟର ସୁରକ୍ଷା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଆଗଧାଡିର ଯୋଦ୍ଧା ଭାବେ ପୁଲିସ କର୍ମଚାରୀ ନିଜକୁ ଫିଟ୍‌ ରଖିବାକୁ ହେବ। ଶରୀରର ରୋଗ ପ୍ରତିଷେଧକ ଶକ୍ତି ନ ଥିଲେ କରୋନା ଭଳି ଭୂତାଣୁର ଶିକାର ହେଲେ ମଣିଷ ମୃତ୍ୟୁମୁଖରେ ପଡିବ। ତେଣୁ ବର୍ତ୍ତମାନ ସମୟରେ ଆଉ ଆରାମଦାୟକ ଜୀବନ ବିତାଇବା ପରିବର୍ତ୍ତେ କର୍ମଠ ହେବାକୁ ପଡିବ। ଖାଦ୍ୟଶୈଳୀରେ ପରିବର୍ତ୍ତନ କରିବାକୁ ହେବ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ ମତ ଦେଇଛନ୍ତି। ରାଜ୍ୟ ପୁଲିସ ବାହିନୀରେ ପ୍ରାୟ ୨୦ ପ୍ରତିଶତ କର୍ମଚାରୀ ଅଧିକ ଓଜନର ଥିବା ଜଣାପଡ଼ିଛି।
୨୦୦୫ରେ ତତ୍କାଳୀନ ପୁଲିସ ମହାନିର୍ଦେଶକ ପୁଲିସ ବାହିନୀରେ ମେଦବହୁଳ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିବା ସହିତ ଏକ ସର୍କୁଲାର ଜାରି କରିଥିଲେ। ଯେଉଁ ମୋଟା ବା ପେଟୁଆ ପୁଲିସ କର୍ମଚାରୀ ବା ଅଧିକାରୀ ଥାନାରେ ଏବଂ ଟ୍ରାଫିକ୍‌ରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କର। ତେବେ ସେତେବେଳେ ପୁଲିସ ମହାନିର୍ଦେଶକ ଥିବା ବିପିନ ବିହାରୀ ମିଶ୍ରଙ୍କର ଏଭଳି ସର୍କୁଲାର ବିଭାଗରେ ଅନେକ ହଇଚଇ ସୃଷ୍ଟି କରିଥିଲା। ସେ ସମୟରେ ଏକ ଆକଳନ ଅନୁସାରେ ପୁଲିସ ବାହିନୀର ପ୍ରାୟ ୩୦ ପ୍ରତିଶତ କର୍ମଚାରୀଙ୍କ ଓଜନ ଅଧିକ ଥିଲା ବୋଲି ପୂର୍ବତନ ଡିଜି ଶ୍ରୀ ମିଶ୍ର କହିଛନ୍ତି। ସେତେବେଳେ ପୁଲିସ କର୍ମଚାରୀମାନେ ଜିମ୍‌ ଯିବା ସହିତ ଧାଁ ଦୌଡ଼ ଆରମ୍ଭ କରି ଦେଇଥିଲେ। ଓଡ଼ିଶା ପୁଲିସ ବାହିନୀର ଏହି ସର୍କୁଲାକୁ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତାମିଲ୍‌ନାଡୁ ଭଳି ରାଜ୍ୟ ସରକାର କାର୍ଯ୍ୟକାରୀ କଲେ। ଅଧିକାଂଶ ସମୟରେ ପୁଲିସ କର୍ମଚାରୀ ହୃଦଘାତର ଶିକାର ହେଉଛନ୍ତି। ସମୟ ମିଳିଲେ ପୁଲିସ କର୍ମଚାରୀମାନେ ନିଜ କର୍ମସ୍ଥଳରେ ମଧ୍ୟ ଯୋଗ ଆଦି କରି ସ୍ବାସ୍ଥ୍ୟକୁ ଜଗି ପାରିବେ ବୋଲି ସେ ମତ ଦେଇଛନ୍ତି। ବର୍ତ୍ତମାନ ମୋଟା ପୁଲିସ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି। ଅନେକ ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୋଇପଡ଼ିଛନ୍ତି।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପୁଲିସର କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ଚିନ୍ତାବ୍ୟକ୍ତ କରିଛନ୍ତି। କମିସନରେଟ୍‌ ପୁଲିସର ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇସାରିଲେଣି। ମଙ୍ଗଳାବାଗ ଥାନାର କିଛି କର୍ମଚାରୀ ସଂକ୍ରମଣ ଆଶଂକାରେ ଏବେ ସଙ୍ଗରୋଧରେ ଅଛନ୍ତି। ଏସ୍‌ସିବି ହସ୍ପିଟାଲ୍‌ ଫାଣ୍ଡିରେ କାର୍ଯ୍ୟରତ କର୍ମଚାରୀ ବ୍ୟବଚ୍ଛେଦ ଗୃହକୁ ଯିବା ସମୟରେ ନଚେତ୍‌ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ୍‌ରୁ ସଂକ୍ରମଣ ହୋଇଥିବା ଆଶଂକା ବୃଦ୍ଧି ପାଇଛି। ତେଣୁ ସମ୍ବେଦନଶୀଳ ସ୍ଥାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ପିପିଇ ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି। ସେହିପରି କମିସନରେଟ୍‌ ପୁଲିସକୁ ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦେବାକୁ କୁହାଯିବା ସହ ନିୟମିତ ବ୍ୟାୟାମ କରିବାକୁ କୁହାଯାଇଛି। କମିସନରେଟ୍‌ରେ କାର୍ଯ୍ୟରତ ୮୦୦୦ କର୍ମଚାରୀଙ୍କୁ ଧାର୍ଯ୍ୟ ନିୟମ ଅନୁସାରେ ନିଜର ଓଜନ କମାଇବାକୁ ନିର୍ଦେଶ ଦିଆଯାଇଛି। ୨ ମାସ ମଧ୍ୟରେ ନିଜକୁ ଫିଟ୍‌ ନ ରଖିଲେ ସେମାନଙ୍କୁ ପରେଡ୍‌ କରାଯିବ ବୋଲି ପୁଲିସ କମିସନର ଡ. ଷଡଙ୍ଗୀ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଓଡ଼ିଶା ପୁଲିସ ମୋଟା ବା ମେଦବହୁଳ କର୍ମଚାରୀଙ୍କୁ ପଦୋନ୍ନତି ନ ଦେବା ଲାଗି ଚିନ୍ତା କରୁଥିବା ସେ କହିଛନ୍ତି। ବର୍ତ୍ତମାନ ସଂକ୍ରମଣରୁ ପୁଲିସ ବାହିନୀକୁ ସୁରକ୍ଷିତ ରଖିବା ଲାଗି ପ୍ରତିଦିନ ପାଟ୍ରୋଲିଂ, ଚେକିଂ ଓ ବ୍ଲକିଂରେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀଙ୍କର ଥର୍ମାଲ୍‌ ସ୍କାନିଂ କରାଯାଉଛି। ୫ ଜଣ ଡାକ୍ତର ସମସ୍ତଙ୍କୁ ନିୟମିତ ଭାବେ ଯାଞ୍ଚ କରୁଛନ୍ତି। ୫୦ ବର୍ଷରୁ ଅଧିକ ଏବଂ ଏକାଧିକ ରୋଗର ଶିକାର ହୋଇଥିବା କର୍ମଚାରୀ ବା ଅଧିକାରୀଙ୍କୁ ଅଫିସ କାର୍ଯ୍ୟରେ ନିୟୋଜିତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories