www.samajalive.in
Monday, December 8, 2025
14.1 C
Bhubaneswar

ସରକାରଙ୍କ ନିଯୁକ୍ତି ଭେଳିକି : ଅବସରପ୍ରାପ୍ତଙ୍କୁ ଅନୁକମ୍ପା; ନୂତନ ପିଢ଼ିଙ୍କୁ ଉପେକ୍ଷା

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ଏବେ ଅର୍ଥନୈତିକ ବିପର୍ଯ୍ୟୟ ଆଣିଛି। ଯାହାକୁ ନେଇ ସରକାର ୨୨ବର୍ଷ ତଳର ଆର୍ଥିକ ସ୍ଥିତି ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଥିରୁ କିଭଳି ମୁକୁଳିବେ ସେନେଇ ଅହରହ ଉଦ୍ୟମ ଚାଲିଛି। ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ  ଆର୍ଥିକ ମିତବ୍ୟୟିତା ଫତୁଆ ଜାରି ହୋଇଛି। ସେଥିରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ବିଭିନ୍ନ ପ୍ରକାର କଟକଣା ଜାରି କରିବା ସହିତ ନୂତନ ନିଯୁକ୍ତି ଦିଆଯିବ ନାହିଁ ବୋଲି ଦର୍ଶାଇଛନ୍ତି। ଏହାସହିତ ଯେଉଁ ପଦଗୁଡିକ ୫ବର୍ଷ ହେଲା ଖାଲି ପଡ଼ିଛି ତାକୁ ଉଠାଇ ଦିଆଯିବ ଏବଂ ନୂତନ ପରାମର୍ଶଦାତା କେହି ନିଯୁକ୍ତି ହେବେ ନାହିଁ ବୋଲି ନିର୍ଦେଶନାମା ଜାରି କରିଛନ୍ତି। ହେଲେ ଅନ୍ୟପକ୍ଷରେ ଅର୍ଥ ବିଭାଗ ପକ୍ଷରୁ ଜଣଙ୍କ ପରେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି। ସରକାର ନିଯୁକ୍ତି ନାଁରେ ଏକ ଭେଳିକି ଲଗାଇଛନ୍ତି। ଗୋଟିଏ ପଟେ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ଅନୁକମ୍ପା ଦେଖାଉଥିବାବେଳେ ଅନ୍ୟପଟେ ନୂତନ ପିଢ଼ିଙ୍କୁ ଉପେକ୍ଷା କରି ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଅର୍ଥ ବିଭାଗ ପକ୍ଷରୁ ଗତମାସରେ ଅତିରିକ୍ତ ସଚିବ ପ୍ରଫୁଲ୍ଲ କୁମାର ରାଉତଙ୍କୁ ଅବସର ପରେ ତାଙ୍କୁ ପଦୋନ୍ନତି ଦେଇ ସ୍ବତନ୍ତ୍ର ପାହ୍ୟାରେ ନିଯୁକ୍ତି ଦିଆଯାଇଛି। ସେହିପରି ବିଜୟ କୁମାର ରାୟ ନାମକ ଜଣେ ଅନୁଶାସନ ସଚିବଙ୍କୁ ଅବସର ପରେ ଅର୍ଥ ବିଭାଗର ପରାମର୍ଶଦାତା ଭାବେ ଜୁଲାଇ ୧ରେ ନିଯୁକ୍ତି ଦିଆଯାଇଛି। ଏହାବାଦ୍ ପୂର୍ବରୁ ୧୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ସରକାରଙ୍କ ଅନ୍ୟାନ୍ୟ ବିଭାଗ ପକ୍ଷରୁ ପୂର୍ବରୁ ପ୍ରଦୀପ୍ତ କୁମାର ମହାପାତ୍ର, ତ୍ରିବିକ୍ରମ ପ୍ରଧାନଙ୍କ ଭଳି ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇଛି, ଯେଉଁଥିରେ କି ପଦୋନ୍ନତି ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି। ତେବେ ଗତକାଲି ସରକାର ରାଜସ୍ବ ନିଅଣ୍ଟିଆର ସୂଚନା ଦେଇଥିବାବେଳେ ଅନ୍ୟପଟେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ କ’ଣ ପାଇଁ ନିଯୁକ୍ତି ଦେଇ ଚାଲିଛନ୍ତି ତାକୁ ନେଇ ଲୋକସେବା ଭବନର ଅନ୍ୟାନ୍ୟ କ୍ୟାଡର କର୍ମଚାରୀମାନେ ପ୍ରଶ୍ନ ଉଠାଇଛନ୍ତି। କେବଳ ଆଇଏଏସ ଓ ଓଏଏସ ଅଧିକାରୀଙ୍କୁ କାହିଁକି ଏଭଳି ଥଇଥାନ କରାଯାଉଛି ବୋଲି କେତେକ କର୍ମଚାରୀ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ବାଢ଼ିଛନ୍ତି।

- Advertisement -

ସେହିପରି ସଂପ୍ରତି କରୋନା ପାଇଁ ସରକାର ନିଜେ ୬୦ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ବାରଣ କରୁଛନ୍ତି। ମାତ୍ର ସଂପୃକ୍ତ ଅଧିକାରୀଙ୍କ କ୍ଷେତ୍ରରେ କ’ଣ ପାଇଁ ସେହି ନିୟମ ଲାଗୁ ହେଉନାହିଁ। କରୋନା କ’ଣ ଏହି ଅବସରପ୍ରାପ୍ତ କର୍ମଚାରୀଙ୍କୁ ହେବନାହିଁ ବୋଲି ଅର୍ଥବିଭାଗର ଜନୈକ ବରିଷ୍ଠ ଅଧିକାରୀ ପ୍ରଶ୍ନ ଉଠାଇଛନ୍ତି। ସବୁଠାରୁ ବଡ଼କଥା ହେଲା, ବିଭିନ୍ନ ବିଭାଗରେ ଅବସର କର୍ମଚାରୀଙ୍କୁ ଥଇଥାନ ବେଳେ ସାଧାରଣ ପ୍ରଶାସନ ବିଭାଗର ୨୦୧୪ ନିର୍ଦେଶନାମା ଏବଂ ଅର୍ଥ ବିଭାଗର-୨୦୨୦ ନିର୍ଦେଶନାମାକୁ ଅନୁସରଣ କରାଯାଉନାହିଁ। କେତେକ ବିଭାଗ ଅର୍ଥ ବିଭାଗର ଅନୁମତି ନ ନେଇ ନିଯୁକ୍ତି ଦେଉଥିବାବେ​‌ଳେ ଆଉ କେତେକ ବିଭାଗ ସରକାରଙ୍କ ପୁନଃ ନିଯୁକ୍ତି ନିୟମ ମଧ୍ୟ ପାଳନ କରୁନାହାନ୍ତି। ନିୟମ ଅନୁଯାୟୀ ନିଯୁକ୍ତି ପୂର୍ବରୁ ବିଜ୍ଞାପନ ବାହାରିବା କଥା; ମାତ୍ର ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ। ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରକୋଷ୍ଠ, ପିଏସ୍, ପିଅନ, ଗାଡ଼ି, ଡ୍ରାଇଭର ସହ ମୋଟା ଅଙ୍କର ଦରମା ଦେବାକୁ ପଡୁଛି। ଅନ୍ୟପକ୍ଷରେ କେତେକ ବରିଷ୍ଠ ଅଧିକାରୀ ସଚିବାଳୟରେ କେବଳ ଖବରକାଗଜ ପଢ଼ି ପଢ଼ି ଘରକୁ ଫେରୁଛନ୍ତି। ସରକାର ଉକ୍ତ ବର୍ଗର ଅଧିକାରୀଙ୍କୁ କାହିଁକି ଚିହ୍ନଟ କରି ଜିଲାସ୍ତରରେ ନିୟୋଜିତ କରୁନାହାନ୍ତି? ଯଦି ସେମାନଙ୍କ ଆବଶ୍ୟକ ନାହିଁ ତେବେ ଭିଆରଏସ ଦିଅନ୍ତୁ ନଚେତ୍ ଜିଲାସ୍ତରରେ ରାଜସ୍ବ ଆଦାୟ କାର୍ଯ୍ୟରେ ଲଗାଇବାକୁ କିଛିମାସ ତଳେ ପୁରୀ ସମୁଦ୍ରବେଳାଭୂମିଠାରେ ଅନୁଷ୍ଠିତ ଆଇଏଏସ ସମ୍ମିଳନୀରେ ପ୍ରମୁଖ ସଚିବ ଡି କେ ସିଂହ କହିଥିଲେ। ଏକଥାକୁ ସରକାର କାହିଁକି କାର୍ଯ୍ୟକାରୀ କରୁ ନାହାନ୍ତି ବୋଲି କର୍ମଚାରୀମାନେ ଯୁକ୍ତି ବାଢ଼ିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories