www.samajalive.in
Monday, December 8, 2025
24.1 C
Bhubaneswar

ଅର୍ଥନୀତି ଉପରେ କରୋନା ମାଡ଼ : ରାଜ୍ୟର ରାଜସ୍ବ ଆୟ ୨୩% ହ୍ରାସ

ଭୁବନେଶ୍ବର : କୋଭିଡ଼ ସଂକ୍ରମଣ ପାଇଁ ରାଜ୍ୟରେ ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ଯେଉଁ ବ୍ୟୟବରାଦ ହୋଇଥିଲା ସେଥିରେ ଅନେକ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ଟିକସ ବାବଦ ରାଜସ୍ବ ସଂଗ୍ରହ କମିଥିବାବେଳେ ସାମାଜିକ କ୍ଷେତ୍ର ତଥା ଖାଦ୍ୟ ନିରାପତ୍ତା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ଗତ ଆର୍ଥିକ ବର୍ଷ ତୁଳନାରେ ବଢ଼ିଛି।

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା ୨୦୨୦ ଜୁନ ପର୍ଯ୍ୟନ୍ତ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ରଖିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷର ଗତ ଜୁନ ସୁଦ୍ଧା ଉଭୟ ନିଜସ୍ବ ଟିକସ ଓ ଅଣଟିକସ ସଂଗ୍ରହ କ୍ଷେତ୍ରରୁ ମୋଟ ରାଜସ୍ବ ଆଦାୟ ପ୍ରାୟ ୨୨.୯୪ପ୍ରତିଶତ କମିଛି। ଚଳିତ ଆର୍ଥିକ ବର୍ଷର ଜୁନ ସୁଦ୍ଧା ମୋଟ ରାଜସ୍ବ ସଂଗ୍ରହ ପରିମାଣ ୮,୨୦୪କୋଟି ଟଙ୍କାରେ ପହଞ୍ଚିଛି। ତେବେ ଗତ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ମୋଟ ରାଜସ୍ବ ସଂଗ୍ରହ ପରିମାଣ ଥିଲା ୧୦,୬୪୫କୋଟି ଟଙ୍କା। ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷର ଜୁନ ସୁଦ୍ଧା ମୋଟ ନିଜସ୍ବ ଟିକସ ସଂଗ୍ରହ ପ୍ରାୟ ୩୫ପ୍ରତିଶତ କମିଥିଲେ ହେଁ ମୋଟ ଅଣଟିକସ ସଂଗ୍ରହ ୩ପ୍ରତିଶତ ବଢ଼ିଛି। ୨୦୧୯ ଜୁନ ସୁଦ୍ଧା ମୋଟ ଅଣଟିକସ ରାଜସ୍ବ ୩୫୦୬କୋଟି ଟଙ୍କା ଥିବାବେଳେ ଏହା ୩୬୦୯କୋଟି ଟଙ୍କାକୁ ବଢ଼ିଛି।

- Advertisement -

ସମୀକ୍ଷାରୁ ଜଣାପଡ଼ିଛି ଯେ ଜୁନ ସୁଦ୍ଧା ସମସ୍ତ ବିଭାଗର କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫.୦୬ପ୍ରତିଶତ କମିଥିଲେ ହେଁ ସାମାଜିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଖର୍ଚ୍ଚ ବଢ଼ିଛି। ଚଳିତ ଆର୍ଥିକ ବର୍ଷର ୨୦୨୦ ଜୁନ ସୁଦ୍ଧା ମୋଟ କାର୍ଯ୍ୟକ୍ରମ ବାବଦ ବ୍ୟୟ ୮୯୨୩କୋଟି ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ଏହି ସମୟ ସୁଦ୍ଧା କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚର ପରିମାଣ ଥିଲା ୯୩୯୯କୋଟି ଟଙ୍କା। କିନ୍ତୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସମେତ ସାମାଜିକ କ୍ଷେତ୍ରର ବ୍ୟୟ ଜୁନ ସୁଦ୍ଧା ୫,୨୮୧କୋଟିରେ ପହଞ୍ଚିଛି। ଗତ ବର୍ଷ ଏହି ସମୟ ସୁଦ୍ଧା ଏ ବାବଦରେ ଖର୍ଚ୍ଚ ପରିମାଣ ଥିଲା ୪୨୨୫କୋଟି। ସେହିପରି ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଖର୍ଚ୍ଚ ଗତବର୍ଷ ୩୦୫କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ଜୁନ ସୁଦ୍ଧା ୩୬୦୯କୋଟି ଟଙ୍କାକୁ ବଢ଼ିଛି।

ସାମାଜିକ ଦୂରତା ରକ୍ଷା କରି ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଡ଼ିଜିଟାଲ ମାଧ୍ୟମରେ ସଚିବମାନଙ୍କ ସହିତ ବୈଠକରେ ଆଲୋଚନା କରିଥିଲେ। ଏଥିରେ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଶାସନ ସଚିବ ଓ ସଚିବ ଓସ୍ବାସ ପ୍ଲାଟଫର୍ମ ଜରିଆରେ ଭାଗ ନେଇଥିଲେ। ୫-ଟି ଅଧୀନରେ ଅନଲାଇନ ସେବା ପ୍ରଦାନରେ ସମସ୍ତ ବିଭାଗର ପ୍ରଦର୍ଶନ ନେଇ ଶ୍ରୀ ତ୍ରିପାଠୀ ସନ୍ତୋଷ ପ୍ରକାଶ କରିବା ସହିତ ରାଜ୍ୟରେ କୋଭିଡ଼ ମୁକାବିଲାକ୍ଷେତ୍ରରେ ଅଧିକ ସକ୍ରିୟ ରହିବାକୁ ପରାମର୍ଶ ଦେଇଥିଲେ।

ପର୍ଯ୍ୟବେକ୍ଷକ, ଜିଲା ମୁଖ୍ୟଚିକିତ୍ସାଧିକାରୀ ହଟସ୍ପଟ ଜିଲାଗୁଡ଼ିକର ଜିଲାପାଳ ଜୀବନରକ୍ଷାକାରୀ ଔଷଧ ଯୋଗାଣ ନିଶ୍ଚିତ କରାଇବାକୁ ନିର୍ଦେଶ ଦେଇଥିଲେ। ସେ କହିଥିଲେ, ସଂକ୍ରମିତ ରୋଗୀ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଭିଡ଼ ଚିକିତ୍ସା କେନ୍ଦ୍ରଗୁଡ଼ିକ ରେ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସାଜ୍ଜସରଞ୍ଜାମ ସହିତ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ। ଆବଶ୍ୟକତା ଅନୁସାରେ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ଆଗୁଆ ପଦ​‌େକ୍ଷ‌ପ ନେବାକୁ କହିଥିଲେ। କୋଭିଡ଼ ଚିକିତ୍ସା କେନ୍ଦ୍ରରେ ରୋଗୀର ଖାଦ୍ୟ ବାବଦ ଭତ୍ତା ୧୨୦ଟଙ୍କାରୁ ୨୪୦ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରସ୍ତାବିତ ମେନୁ ଅନୁସାରେ ସେମାନଙ୍କୁ ସୁଷମ ଖାଦ୍ୟ ଯୋଗାଇବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଶିଳ୍ପ, କୃଷି, ଉଦ୍ୟାନକୃଷି ଓ ଖଣି କାର୍ଯ୍ୟକ୍ରମ ଯେପରି ଜାରି ରହିବ ତାହା ନିଶ୍ଚିତ କରିବାକୁ ଶ୍ରୀ ତ୍ରିପାଠୀ ସମ୍ପୃକ୍ତ ବିଭାଗଗୁଡ଼ିକ ନିର୍ଦେଶ ଦେଇଥିଲେ। ରାଜ୍ୟବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିଶ୍ଚିତ କରିବା ପାଇଁ ସାମଗ୍ରୀ ପରିବହନ ଯେପରି ଜାରି ରହିବ ସେ ଦିଗରେ ପଦ​‌େ​‌କ୍ଷପ ନେବାକୁ ନିର୍ଦେଶ ଦେଇଛନ୍ତି। କୋଭିଡ଼ ବିରୋଧରେ ଲଢ଼େଇ ଲମ୍ବା ସମୟ ଧରି ଜାରି ରହିବାର ସମ୍ଭାବନା ଥିବାରୁ ଘରେ ରହି କାମ କରିବା(ୱାର୍କ ଫ୍ରମ ହୋମ) ପାଇଁ ଏସଓପି କାର୍ଯ୍ୟକାରୀ କରିବାକୁ କହିଥିଲେ।

ଓଡ଼ିଶା ପ୍ରଶାସନିକ ଟ୍ରାଇବୁନାଲରୁ ଉଚ୍ଚ ନ୍ୟାୟାଳୟକୁ ମାମଲା ସ୍ଥାନାନ୍ତର ବିଷୟ ସମୀକ୍ଷା କରାଯାଇଥିଲା। ଚାକିରି ନିୟମିତକରଣ, ପେନସନ, ପଦୋନ୍ନତି, ବଦଳି ଆଦି ମାମଲା ବର୍ଗୀକରଣ କରିବା ସହିତ ଏସବୁ ମାମଲାର ତ୍ବରିତ ଫଇସଲା ନିମନ୍ତେ ସ୍ପଷ୍ଟ ନୀତି ନିର୍ଦ୍ଧାରଣ ଉପରେ ଜୋର ଦିଆଯାଇଥିଲା। ଏଥିପାଇଁ ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଇ-ଅଭିଯୋଗ ଜରିଆରେ ଆସିଥିବା ଆବେଦନପତ୍ରକୁ ଅଗ୍ରାଧିକାର ଦେବା ପାଇଁ ବିଭାଗଗୁଡ଼ିକୁ କୁହାଯାଇଛି। ଅନ୍‌ଲାଇନ ମୋଡ଼ରେ ଅଧିକରୁ ଅଧିକ ସରକାରୀ ସେବା ସାମିଲ କରିବାକୁ ମୁଖ୍ୟ ସଚିବ କହିଥିଲେ। ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories