www.samajalive.in
Friday, December 12, 2025
23.1 C
Bhubaneswar

ସଙ୍ଗରୋଧ ମାନୁ ନାହାନ୍ତି ଅମାନିଆ; ରାଜଧାନୀରେ ସମୂହ ସଂକ୍ରମଣ ଆଶଙ୍କା

ଭୁବନେଶ୍ଵର: ଏକଦା କରୋନା ହଟସ୍ପଟ ଓ ରେଡ଼୍ ଜୋନ୍ ଚିହ୍ନିତ ରାଜଧାନୀ କିଛି ଦିନ ଶାନ୍ତି​‌ରେ ନିଶ୍ଵାସ ମାରିଥିଲା । ନୂଆ ସଂକ୍ରମଣ ଆସୁ ନ ଥିଲା । ସରକାର ଆଉ ରାଜଧାନୀବାସୀ ଟିକିଏ ଆଶ୍ଵସ୍ତ ହୋଇଥିଲେ । ଏହାକୁ ଆଉଟିକିଏ କଡ଼ାକଡ଼ି କରିବାକୁ ସପ୍ତାହାନ୍ତ ଦୁଇଦିନ ସରକାର ସଟ୍ ଡ଼ାଉନ ଘୋଷଣା କରିଛନ୍ତି ।  ମାତ୍ର ସଙ୍ଗରୋଧରେ ଥିବା ଅମାନିଆଙ୍କ ପାଇଁ ଏବେ ସନ୍ଧିକ୍ଷଣରେ ପହଞ୍ଚିଛି ରାଜଧାନୀ ଭୁବନେଶ୍ଵର । କିଛି ସ୍ଥାନରେ ସଙ୍ଗରୋଧରେ ଥିବା ଲୋକଙ୍କ ସହ ସ୍ଥାନୀୟ ଲୋକ ସଂକ୍ରମଣର ଶିକାର ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଛି । ସାଲିଆ ସାହିରେ ନୋଟିସ ଲାଗିଛି । ଡ଼ୁମୁଡ଼ୁମା ସୁବାସନଗର ବସ୍ତିରୁ ୫ ଜଣ ଓ ଏକ ଘରୋଇ ଡ଼ାକ୍ତରଖାନାର ୬ କର୍ମଚାରୀ ସଂକ୍ରମଣର ଶିକାର ହୋଇଛନ୍ତି ।

- Advertisement -

ପ୍ରବାସୀଙ୍କ ପାଇଁ କ୍ବାରେଣ୍ଟାଇନକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି ସମୟରେ ସଙ୍ଗରୋଧରେ ଥିବା ବ୍ୟକ୍ତି ବାହାରକୁ ବାହାରିବା ମନା, କାହା ସହ ମିଶିବା ମନା । ମାତ୍ର ଅମାନିଆ ସଙ୍ଗରୋଧୀମାନେ ସରକାରୀ ନିୟମ ମାନୁ ନାହାନ୍ତି । ନିଜ ଜୀବନ ସହିତ ନିଜ ପରିବାରର ଲୋକ ଓ ଅନ୍ୟ ଜନସାଧାରଣଙ୍କ ଜୀବନକୁ ବିପନ୍ନ କରୁଛନ୍ତି । ପାନଦୋକାନଠାରୁ ଆରମ୍ଭ କର ପରିବା ହାଟ, ବିଭିନ୍ନ ଦୋକାନବଜାର ବୁଲାବୁଲି କରୁଛନ୍ତି । ଫଳରେ ସ୍ଥାନୀୟ ସଂକ୍ରମଣ ଆଡ଼କୁ ଗତି କରୁଛି ଭୁବନେଶ୍ଵର ।

ଅମାନିଆ ସଙ୍ଗରୋଧୀମାନଙ୍କର ଅବିବେକୀପଣିଆ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ସରକାର ରାସ୍ତା କଡ଼ର ଜଳଖିଆ ଦୋକାନୀ, ହୋଟେଲ, ମଲ ଓ ଅନ୍ୟାନ୍ୟ ଦୋକାନବଜାର ଖୋଲିବାକୁ ଦେଇଛନ୍ତି । ଜୀବନଜୀବିକା ବଞ୍ଚାଇବାକୁ ସାହାରା କରିଥିବା ଏହି ଲୋକଙ୍କ ପାଇଁ ସରକାର ଦେଖାଇଥିବା ସହାନୁଭୂତିର ମନ୍ଦ ବ୍ୟବହାର ଦେଖିବାକୁ ମିଳୁଛି । ଦହିବରା, ଗୁପଚୁପ୍ ଠେଲା ଆଗରେ ଲୋକମାନେ ଖାଇବାର ପୁରା ଆନନ୍ଦ ନେଉଛନ୍ତି । ନାଁ ଏଠି ଅଛି ସାମାଜିକ ଦୂରତା, ନାଁ ଠେଲା ବା ଦୋକାନ ନିକଟରେ ଖାଇବାର ବାରଣ କେହି ମାନୁଛନ୍ତି । ରଜ ପର୍ବ ପୂର୍ବରୁ ଗୋଟିଏ ଦିନ ୩ ଘଣ୍ଟା ଲକ୍ ଡ଼ାଉନକୁ କୋହଳ ପରେ ୟୁନିଟ୍ ୧ ମାର୍କେଟରେ ଯେଉଁ ପରିସ୍ଥିତି ହେଲା ତାହା ଭୂଲି ହେବ ନାହିଁ । ଶେଷରେ ବିଏମସିକୁ ମାର୍କେଟ ସିଲ କରିବାକୁ ପଡ଼ିଲା ।

 

ମାସ୍କ ତ କିଛି ଲୋକଙ୍କ ପାଇଁ ଯେମିତି ଏକ ଅଦରକାରୀ ପ୍ରସଙ୍ଗ ପାଲଟିଛି । ମାସ୍କ ନ ପିନ୍ଧିଲେ ଜୋରିମାନା ଯୋଗୁଁ କିଛି ଲୋକ ମାସ୍କତ ଗଳାଇ ଦେଉଛନ୍ତି, ହେଲେ ମୁହଁ ପରିବର୍ତ୍ତେ ଥୋଡ଼ିରେ ଦାଢ଼ି ଲୁଚାଇବାକୁ ଯେମିତି ମାସ୍କ ବ୍ୟବହାର ହେଉଥିବା ଦେଖା ଯାଉଛି । ରାସ୍ତାରେ ପାନ ଖାଇବା, ଛେପ ପକାଇବା ସରକାରୀ ନିୟମକୁ ଫୁଃ କରି ଉଡ଼ାଇ ଦେଇ ପିଚ୍ ପିଚ୍ କରି ରାସ୍ତାରେ ପାନ ଛେପ, ଖଙ୍କାର ପକାଉଥିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ପରିଣତିସ୍ବରୂପ ରାଜଧାନୀ ପୁଣି ଏକ ବିସ୍ଫୋରକ ସମୟ ଆଡ଼କୁ ଗତି କରିବା ଓ ପୁରା ସଟ୍ ଡ଼ାଉନ ହେବ ଆଡ଼କୁ ଗତି କରୁଛି ।

ଅନ୍ୟ ରାଜ୍ୟ ଓ ପ୍ରବାସରୁ ଆସୁଥିବା ଢ଼େର ଲୋକ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ସରକାରଙ୍କୁ ଦେଉ ନାହାନ୍ତି କିମ୍ବା ସଙ୍ଗରୋଧରେ ରହୁ ନ ଥିବା ଅଭିଯୋଗ ହୋଇଛି । ଦୁଇଦିନ ତଳେ ୪ ଜଣ କଲିକତା ଫେରନ୍ତା ପଟିଆ ଅଞ୍ଚଳରେ ବୁଲୁଥିବା ଛବି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ସ୍ପର୍ଶକାତର ସଂକ୍ରମିତ ଅଞ୍ଚଳ ଓ ଅନ୍ୟ ରାଜ୍ୟରୁ କିଛି ବ୍ୟକ୍ତି ବସ୍ତିଗୁଡ଼ିରେ ଆଶ୍ରୟ ନେଇଛନ୍ତି । ପରିଣତି ସ୍ବରୂପ ଡ଼ୁମୁଡ଼ୁମା ଅଞ୍ଚଳରେ  ବଢ଼ିଛି ସ୍ଥାନୀୟ ସଂକ୍ରମଣ । ଏହି ଅଞ୍ଚଳରେ ୩ ଜଣ ସ୍ଥାନୀୟ ଯୁବତୀଙ୍କ ସହ ମୋଟ ୫ ଜଣ କରୋନାକୁ ଘରକୁ ଡ଼ାକିଛନ୍ତି । ୨ ଯୁବକ ଓ ୩ ଯୁବତୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ବୟସ ୨୧ରୁ ୨୯ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।

କେବଳ ରାଜଧାନୀ ନୁହେଁ, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ସମାନ ଅବସ୍ଥା । ଗତ କିଛି ଦିନ ହେଲା ସଙ୍ଗରୋଧ କେନ୍ଦ୍ରରୁ କରୋନା ପଜିଟିଭ୍ ଚିହ୍ନଟ ସହ ସ୍ଥାନୀୟ ଅଞ୍ଚଳରୁ ମଧ୍ୟ ସଂକ୍ରମିତ ବାହାରୁଥିବା ଦେଖିବାକୁ ମିଳିଛି । କେବଳ ରବିବାର ସଙ୍ଗରୋଧ କେନ୍ଦ୍ର ବାହାରୁ ୩୨ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଛି ।

 

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories