www.samajalive.in
Friday, December 12, 2025
15.1 C
Bhubaneswar

ପନ୍ତ ମୋ ବନ୍ଧୁ; ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି: ସାମ୍‍ସନ

ନୂଆଦିଲ୍ଲୀ, ୮।୬: କେରଳର ୱିକେଟ ରକ୍ଷକ ବ୍ୟାଟ୍‍ସମ୍ୟାନ୍‍ ସଞ୍ଜୁ ସାମ୍‍ସନ ୨୦୧୫ରେ ତାଙ୍କର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‍ ଖେଳିଥିଲେ। ହରାରେଠାରେ ଘରୋଇ ଜିମ୍ବାୱେ ବିପକ୍ଷରେ ଟ୍ୱେଣ୍ଟି୨୦ ମ୍ୟାଚ୍‍ ସାମ୍‍ସନଙ୍କର ଭାରତ ପାଇଁ ପ୍ରଥମ ମ୍ୟାଚ୍‍ ଥିଲା। ଏହି ମ୍ୟାଚ୍‍ରେ ଅଜିଙ୍କ୍ୟ ରାହାଣେ ନେତୃତ୍ୱାଧୀନ ଭାରତ ବିଜୟୀ ହୋଇଥିଲା। ସାମ୍‍ସନ ୭ନଂ ସ୍ଥାନରେ ଆସି ୧୯ ରନ୍‍ କରିଥିଲେ। ଆଉଟ୍‍ ହୋଇ ପାଭିଲିଅନ୍‍କୁ ଫେରୁଥିବା ବେଳେ ସାମ୍‍ସନ କଦାପି ଆଶା କରିନଥିବେ ଯେ ଭାରତ ପାଇଁ ପରବର୍ତ୍ତୀ ମ୍ୟାଚ୍‍ ଖେଳିବା ପାଇଁ ତାଙ୍କୁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

ଗୋଟିଏ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିିବା ପରେ ଆଉ ଭାରତ ପାଇଁ ଖେଳିବାର ସୁଯୋଗ ମିଳିନଥିଲେ ହେଁ ସଞ୍ଜୁ ସାମ୍‍ସନ୍‍ ଆଶା ଛାଡ଼ିନଥିଲେ। ଘରୋଇ କ୍ରିକେଟ୍‍ ହେଉ ବା ଆଇପିଏଲ୍‍; ସବୁଥିରେ ଚମତ୍କାର ପ୍ରଦର୍ଶନ କରିଥିଲେ। ୨୦୧୯ରେ ପୁଣିଥରେ ଭାରତ ପାଇଁ ଖେଳିବାର ସୁଯୋଗ ପାଇଥିଲେ ସାମ୍‍ସନ୍‍। ବାଂଲାଦେଶ ବିପକ୍ଷରେ ୩ ମ୍ୟାଚ୍‍ର ଟ୍ୱେଣ୍ଟି୨୦ ସିରିଜ୍‍ ପାଇଁ ସାମ୍‍ସନଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଏହା ବିଷୟରେ ମନେପକାଇ ସଞ୍ଜୁ ସାମ୍‍ସନ କହନ୍ତି, ୨୦୧୫ରେ ଜିମ୍ବାୱେ ବିପକ୍ଷରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲି। ଏହାପରେ ମୋତେ ବହୁତ ଲମ୍ବା ଖାଲି ସମୟ ମିଳିଥିଲା। ୫ ସିଜିନ୍‍ ଧରି ଘରୋଇ କ୍ରିକେଟ୍‍ ଓ ଆଇପିଏଲ୍‍ ଖେଳିଥିଲି। ଏହି ୫ ବର୍ଷରେ ମୋ ସମୟର ଆବଶ୍ୟକତା ଅନୁସାରେ ମୋର କ୍ରିକେଟ୍‍ର ପରିବର୍ତ୍ତନ କରିଥିଲି ଏବଂ ଯେଉଁ ମ୍ୟାଚ୍‍ ହେଉ ପଛେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥିଲି। ମାନସିକ ଭାବେ ଦୃଢ଼ ରହିଥିଲି ଏବଂ ଏହି ସମୟରେ ଜାଣି ପାରିଥିଲି ଯେ ମୁଁ କେଉଁ ପ୍ରକାର କ୍ରିକେଟର ବା ବ୍ୟକ୍ତି। ଏହି ୫ ବର୍ଷରେ ମୋର ସାମର୍ଥ୍ୟ ଓ ଦୁର୍ବଳତାକୁ ମଧ୍ୟ ଜାଣି ପାରିଥିଲି। ତେଣୁ ନିଜକୁ ଜଣେ ଆନ୍ତର୍ଜାତିକ ସ୍ତରର କ୍ରିକେଟର ଭାବେ ଗଢ଼ିବାର ନିରନ୍ତର ପ୍ରୟାସ କରିଥିଲି ଏବଂ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳି ଭଲ ପ୍ରଦର୍ଶନ କରିବାର ଆଶାରେ ସମସ୍ତ ପ୍ରସ୍ତୁତି କରିଥିଲି। ୨୦୧୯ରେ ଦଳରେ ଥିଲେ ହେଁ ସାମ୍‍ସନଙ୍କ୍‍ୁ ବାଂଲାଦେଶ ବିପକ୍ଷରେ କୌଣସି ମ୍ୟାଚ୍‍ ଖେଳିବାର ସୁଯୋଗ ମିଳିନଥିଲା। ପ୍ରଥମ ପସନ୍ଦର ୱିକେଟ ରକ୍ଷକ ବ୍ୟାଟ୍‍ସମ୍ୟାନ ଭାବେ ପନ୍ତ ଖେଳିଥିଲେ। ସାମ୍‍ସନ ପାଭିଲିଅନ୍‍ରେ ବସିଲେ, ଅଧିନାୟକ ବିରାଟ କୋହଲିଙ୍କ ସହ ଅନ୍ୟମାନଙ୍କ ସହ ସମୟ କାଟିଲେ ଏବଂ ଆବଶ୍ୟକ ବେଳେ ଅତିରିକ୍ତ ଫିଲ୍‍ଡର ଦାୟିତ୍ୱ ନିର୍ବାହ କଲେ। ଋଷଭ ପନ୍ତ୍‍ ପ୍ରଥମ ଟି୨୦ରେ ୨୭ ବଲ୍‍ରୁ ୨୬ ଓ ୩ୟ ଟି୨୦ରେ ୬ ରନ୍‍ କରିଥିଲେ ହେଁ ୨ୟ ମ୍ୟାଚ୍‍ରେ ବ୍ୟାଟିଂ ମିଳିନଥିଲା। ଭାରତ ୨-୧ରେ ସିରିଜ୍‍ ଜିତିଥିଲେ ହେଁ ସାମ୍‍ସନଙ୍କୁ ନ ଖେଳାଇବା ଯୋଗୁଁ ସମାଲୋଚନା କରା ଯାଇଥିଲା। ବାଂଲାଦେଶ ବିପକ୍ଷରେ ସାମ୍‍ସନ ଖେଳିବାର ସୁଯୋଗ ନ ପାଇବା ସତ୍ତ୍ବେ ତାଙ୍କୁ ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ସିରିଜ୍‍ ପାଇଁ ଦଳରୁ ବାଦ୍‍ ଦିଆ ଯାଇଥିଲା। ଫଳରେ ମନୋନୟନକାରୀ୍‍ଙ୍କୁ ତୀବ୍ର ସମାଲୋଚନା କରା ଯାଇଥିଲା। ଚଳିତବର୍ଷ ପ୍ରାରମ୍ଭରେ ପୁଣେରେ ଶ୍ରୀଲଙ୍କା ବିପକ୍ଷରେ ସାମ୍‍ସନ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିଥିଲେ ହେଁ ୬ ରନ୍‍ ମାତ୍ର କରିଥିଲେ। ଭାରତର ନ୍ୟୁଜିଲାଣ୍ଡ ଗସ୍ତରେ ସାମ୍‍ସନଙ୍କୁ ଦଳରେ ସାମିଲ କରା ଯାଇଥିଲେ ହେଁ ଏହାର ଫାଇଦା ଉଠାଇ ପାରିନଥିଲେ। ୨ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ରେ ସେ ୮ ଓ ୨ ରନ୍‍ କରିଥିଲେ। ଏବେ ସମସ୍ତେ ଋଷଭ ପନ୍ତ୍‍ ଓ କେ.ଏଲ୍‍. ରାହୁଲଙ୍କ ମଧ୍ୟରୁ ଜଣେ ଭାରତୀୟ ଟ୍ୱେଣ୍ଟି୨୦ ଦଳରେ ୱିକେଟ ରକ୍ଷଣ କରିବା ଉଚିତ ବୋଲି ଭାବୁଛନ୍ତି। ତେବେ ବାମହାତି ପନ୍ତଙ୍କୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି ସାମ୍‍ସନ। ଦଳ ଗଠନରେ ଯେଉଁ ଏକାଦଶ ଶ୍ରେଷ୍ଠ; ତାହାକୁ ଖେଳିବାକୁ ସୁଯୋଗ ମିଳିଥାଏ ବୋଲି ସାମ୍‍ସନ କହନ୍ତି। ତାଙ୍କ ଅନୁସାରେ, ଦିଲ୍ଲୀ ଡେୟାରଡେଭିଲ୍‍ସରେ ପନ୍ତ୍‍ଙ୍କ ସହ ଖେଳିଥିଲି। ଆମେ ବହୁତ ଭଲ ବନ୍ଧୁ। ଏକାଠି ବହୁତ ସମୟ କାଟିଛୁ। ଋଷଭ ଅତ୍ୟନ୍ତ ପ୍ରତିଭାବାନ କ୍ରିକେଟର। ତାଙ୍କ ସହ କିଛି ଇନିଂସ ମଧ୍ୟ ଖେଳିଛି। ଗୁଜରାଟ ଲାୟନ୍‍ସ ବିପକ୍ଷରେ ଏକ ମ୍ୟାଚ୍‍ରେ ଆମେ ଛକା ମାରି ୨୦୦ରୁ ଅଧିକ ରନ୍‍ର ପିଛାକରି ଜିତିଥିଲୁ। ଯେତେବେଳେ ପନ୍ତ୍‍ ମୋ ମଧ୍ୟରେ ଦଳରେ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କଥା ଉଠାଇଛନ୍ତି; ସେତେବେଳେ ସେମାନେ ଆମେ ଦୁହେଁ ଏକାଠି ଗୋଟିଏ ଦଳରେ ଖେଳିବା କଥା କାହିଁକି ଭାବୁନାହାନ୍ତି? ଆମେ ଦୁହେଁ ଆକ୍ରମଣାତ୍ମକ ବ୍ୟାଟିଂକରୁ। ଆଇପିଏଲ୍‍ରେ ଏକାଠି ଯଦି ଆମେ ଦଳକୁ ଜିତାଇ ପାରିଛୁ; ଭାରତକୁ କାହିଁକି ଜିତାଇ ପାରିବୁନି?

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories