ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ସ୍ନାନଯାତ୍ରା ସଂପନ୍ନ ହୋଇଥିବା ବେଳେ ଠାକୁର ଅଣସର ଘରେ ବିଜେ କରିଛନ୍ତି। ମହାମାରୀ କରୋନା ଯୋଗୁଁ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ବିନା ଭକ୍ତରେ ସାମାଜିକ ଦୂରତା ପାଳନ ପୂର୍ବକ ସ୍ୱଳ୍ପସଂଖ୍ୟକ ସେବାୟତଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପାଦନ କରାଯାଇଥିଲା ।
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ଶୁକ୍ରବାର ସକାଳୁ ଠାକୁରଙ୍କର କେତେକ ସ୍ୱତନ୍ତ୍ର ନିତୀ କରାଯାଇଥିଲା । ପରେ ଠାକୁରଙ୍କୁ ପହଣ୍ଡିରେ ଅଣାଯାଇ ସ୍ନାନମଣ୍ଡପରେ ବିଜେ କରାଯିବା ପରେ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ଠାକୁରଙ୍କ ନିକଟରେ ବାଳଭୋଗ ଓ ମଧ୍ୟାହ୍ନରେ ଅନ୍ନଧୂପ କରାଯିବା ପରେ ଅପରାହ୍ନ ୩ଟାରେ ଠାକୁରଙ୍କୁ ଗଜାନନ ବେଶ କରାଯାଇଥିଲା । ସଂନ୍ଧ୍ୟାଆଳତି ପରେ ଠାକୁରଙ୍କର କେତେକ ସ୍ୱତନ୍ତ୍ର ନିତୀ କରାଯିବା ସହ ଅଣସର ଘରକୁ ନିଆଯାଇଥିଲା । ମନ୍ଦିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପଣ୍ଡା, ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର, ଚନ୍ଦନ ମହାପାତ୍ର ପ୍ରମୁଖ ଠାକୁରଙ୍କର ସମସ୍ତ ନିତୀକୁ ତୁଳାଇଥିବା ବେଳେ ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ବବୁଲ ମହାପାତ୍ର, ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର, ରଥଯାତ୍ରା ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ଶତପଥୀ, ସଂପାଦକ ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।



