www.samajalive.in
Thursday, December 11, 2025
14.1 C
Bhubaneswar

ମଶା ଓ ଜଳବାହିତ ରୋଗ ପ୍ରତିରୋଧ: କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାକୁ ଜାତୀୟ ପୁରସ୍କାର ପାଇଁ ସୁପାରିସ

ଭୁବନେଶ୍ୱର: ଲକ୍ଷ୍ୟଭେଦୀ ପଦକ୍ଷେପ ମାଧ୍ୟମରେ ଓଡ଼ିଶା ମଶା (ଭେକ୍ଟର୍‌) ଓ ଜଳ ବାହିତ ରୋଗ ପ୍ରତିରୋଧ ଏବଂ ପ୍ରତିକାରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସମ୍ବନ୍ଧୀୟ ଆନ୍ତ-ବିଭାଗୀୟ ସମନ୍ୱୟ ବୈଠକରୁ ଏହା ଜଣାପଡିଛି। ରାଜ୍ୟ ଲୋକସେବା ଭବନଠାରେ ଆୟୋଜିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରୋଗ ନିୟନ୍ତ୍ରଣ ସମ୍ବନ୍ଧୀୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ରାଜ୍ୟରେ ଭେକ୍ଟର୍‌ ଓ ଜଳ ବାହିତ ରୋଗର ସଦ୍ୟତନ ସ୍ଥିତି ସମୀକ୍ଷା କରି ଏ ସମ୍ବନ୍ଧିତ ସୂଚନା ଓ ସଚେତନତା କାମକୁ କୋଭିଡ୍‌-୧୯ ସଚେତନତା ସହ ସମନ୍ୱିତ ଭାବେ କରିବା ଦରକାର। ଗ୍ରାମ ସମୁଦାୟ, ଗ୍ରାମ କଲ୍ୟାଣ ସମିତି ଏବଂ ତୃଣମୁଳସ୍ତରୀୟ କର୍ମଚାରୀମାନଙ୍କୁ ସକ୍ରିୟଭାବେ ସାମିଲ କରି ବର୍ଷାଦିନ ପୂର୍ବରୁ ଏବଂ ବର୍ଷାଦିନ ମଧ୍ୟରେ ସଘନ ସଚେତନତା କାର୍ଯ୍ୟ ଚାଲୁ ରଖିବା ଉଚିତ। ଏହି ରୋଗର ସଫଳ ପ୍ରତିରୋଧ ନିମନ୍ତେ ସଂପୃକ୍ତ ବିଭାଗମାନେ କ୍ଷେତ୍ରସ୍ତରୀୟ ସମନ୍ୱୟ ନିଶ୍ଚିତ କରିବା ଆବଶ୍ୟକ। ପ୍ରତି ଜିଲ୍ଲା ଓ ଉପଖଣ୍ଡ ଡ଼ାକ୍ତରଖାନାରେ ଏଲିସା ମେସିନ୍‌ ବସାଇବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଉଦ୍ଧିଷ୍ଟ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଦମନ’ର ଅବଧି ୨୦୩୦-୩୧ ବର୍ଷ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଥିଲା। ରାଜ୍ୟର ୪ ଟି ନୂଆ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ‘ରେଫରାଲ ପରୀକ୍ଷାଗାର’ ପ୍ରତିଷ୍ଠା କରିବା ଆବଶ୍ୟକ। ସୂଚନାଯୋଗ୍ୟ ପୂର୍ବରୁ ରାଜ୍ୟର ୩ଟି ପୁରୁଣା ମେଡିକାଲ କଲେଜ ଓ ହସ୍‌ପିଟାଲରେ ଏ ବ୍ୟବସ୍ଥା ରହିଛି। ଏହାଦ୍ୱାରା ସମସ୍ତ ପ୍ରକାର ପାଥୋଲୋଜିକାଲ୍‌ ପରୀକ୍ଷା କରାଯାଇପାରିବ। ଭେକ୍ଟରକୁ ତା’ର ସୃଷ୍ଟି ସ୍ଥାନରେ ଲୋପ କରିବା ନିମନ୍ତେ ‘ଲାର୍‌ଭିଭରସ୍‌’ ମାଛ ପରି ଜୈବ ପଦ୍ଧତି ପ୍ରୟୋଗକୁ ଅଧିକ ମାତ୍ରାରେ ବଢ଼ାଇବା ପାଇଁ ମୁଖ୍ୟ ଶାସନ ସଚିବ ମତ୍ସ୍ୟ ଓ ପଶୁସଂପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଧିକ ଭେକ୍ଟର ବାହିତ ରୋଗ ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ଏହି ମାଛର ଅଧିକ ଯାଆଁଳ ଚାଷ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶାଳିନୀ ପଣ୍ଡିତ୍‌ କହିଥିଲେ ଯେ ମ୍ୟାଲେରିଆ, ଡ଼େଙ୍ଗୁ, ଚିକନ୍‌ଗୁନିଆ, ଫାଇଲେରିଆ, ଜାପାନୀ ଜ୍ୱର, ଡ଼ାଇରିଆ ଓ ହେପାଟାଇଟିସ୍‌ ଆଦି ରୋଗ ଭେକ୍ଟର ଓ ଜଳ ବାହିତ ଅଟେ । ୨୦୧୮ ମସିହାରେ ଓଡ଼ିଶାରେ ମ୍ୟାଲେରିଆ ଆକ୍ରାନ୍ତ ହାର ୮୧% ଭାଗ କମିଥିଲା ଏବଂ ୨୦୧୯ ମସିହାରେ ଏହା ପୁନଶ୍ଚ ୪୧% ଭାଗ କମିଥିଲା। ୨୦୧୭ ମସିହାରେ ରାଜ୍ୟରେ ସମୁଦାୟ ୩,୪୭,୮୬୦ ମ୍ୟାଲେରିଆ ଆକ୍ରାନ୍ତ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨୪ ଜଣ ମୃତୁ୍ୟବରଣ କରିଥିଲେ। ୨୦୧୮ ମସିହାରେ ଆକ୍ରାନ୍ତ ଓ ମୃତକଙ୍କ ସଂଙ୍ଖ୍ୟା ଯଥାକ୍ରମେ ୬୬,୩୧୧ ଏବଂ ୩ କୁ କମିଥିଲା। ୨୦୧୯ ମସିହାରେ ଆକ୍ରାନ୍ତଙ୍କ ସଂଙ୍ଖ୍ୟା ପୁନଶ୍ଚ ୩୯,୫୦୦ କୁ ଖସିଥିଲା। ୨୦୨୦ ମସିହା ଏପ୍ରିଲ୍‌ ମାସ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ସମୁଦାୟ ୧୧,୩୦୨ ଅଛି ଏବଂ ଜଣେ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାରେ ଗତ ଦୁଇ ବର୍ଷ ମଧ୍ୟରେ ଆଦୌ ମ୍ୟାଲେରିଆ ପଜିଟିଭ୍‌ ବାହାରିନଥିବାରୁ ଏହି ଦୁଇଟି ଜିଲ୍ଲାକୁ ପୁରସ୍କାର ପ୍ରଦାନ ନିମନ୍ତେ ଜାତୀୟସ୍ତରକୁ ମନୋନିତ କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡ଼ଃ ଅଜିତ୍‌ ମହାନ୍ତି ଜଣାଇଥିଲେ।
ବର୍ତ୍ତମାନ ରାଜ୍ୟର ୨୩ ଟି ଜିଲ୍ଲା ମ୍ୟାଲେରିଆ ମୁକ୍ତ ଜିଲ୍ଲା ଆଡକୁ ଗତି କରୁଛନ୍ତି। ଏହି ୨୩ ଟି ଜିଲ୍ଲାରେ ବାର୍ଷିକ ‘ ପାରାସାଇଟ୍‌ ଇନ୍‌ସିଡ଼େନ୍ସ’ ୧ ରୁ କମ୍‌ ରହିଛି। ଚଳିତ ବର୍ଷ ମାଲକାନଗିରି, ରାୟଗଡା, କୋରାପୁଟ, କନ୍ଧମାଳ, ଗଞ୍ଜାମ ଓ ଗଜପତି ଆଦି ୭ ଟି ଜିଲ୍ଲାର ୩୨ଟି ବ୍ଲକ୍‌ ରେ ଦମନ ଅଭିଯାନକୁ ଅଧିକ ଲକ୍ଷ୍ୟଭେଦୀ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ସେହିପରି ଡ଼େଙ୍ଗୁ ଜରକୁ ରାଜ୍ୟରେ ସଂପୂର୍ଣ୍ଣ ନିୟନ୍ତ୍ରଣାଧିନ କରାଯାଇ ପାରିଛି। ୨୦୧୬ ମସିହାରେ ରାଜ୍ୟରେ ସମୁଦାୟ ୮,୩୮୦ ଜଣ ଡ଼େଙ୍ଗୁ ଆକ୍ରାନ୍ତ ହୋଇଥିଲେ ଏବଂ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୯ ମସିହାରେ ଆକ୍ରାନ୍ତଙ୍କ ସଂଙ୍ଖ୍ୟାକୁ ୩,୭୫୮ କୁ କମାଯାଇ ପାରିଥିଲା ଏବଂ ମୃତକଙ୍କ ସଂଙ୍ଖ୍ୟା ୪ ରେ ସିମୀତ ଥିଲା। ଚଳିତ ବର୍ଷ ମେ ମାସ ପର୍ଯ୍ୟନ୍ତ ଡ଼େଙ୍ଗୁ ଜ୍ବରରେ କାହାର ମୃତ୍ୟୁ ହେବାର ରିପୋର୍ଟ ନାହିଁ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ କୁମାର ମହାପାତ୍ର, ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶାଳିନୀ ପଣ୍ଡିତ୍‌, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories