www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱର ସର୍ବାଧିକ ଆୟକାରୀ କ୍ରୀଡ଼ାବିତ୍‍ ତାଲିକା : ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର ଭାରତୀୟ କ୍ରିକେଟର

ନ୍ୟୁୟର୍କ : ବିଶ୍ୱବିଖ୍ୟାତ ଫୋର୍ବସ୍‌ ପତ୍ରିକା ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ଆୟକାରୀ କ୍ରୀଡ଼ାବିତ୍‍ଙ୍କ ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ ଟିମ୍‍ ଇଣ୍ଡିଆର ଅଧିନାୟକ କ୍ରିକେଟ୍‌ ତାରକା ବିରାଟ କୋହଲି ରହିଛନ୍ତି। ଗତବର୍ଷ ଫୋର୍ବସ୍‌ ପକ୍ଷରୁ ପ୍ରକାଶିତ ତାଲିକାରେ କୋହଲି ବିଶ୍ୱରେ ୧୦୦ତମ ସ୍ଥାନରେ ଥିବା ବେଳେ ୨୦୨୦ରେ ସେ ୬୬ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବିରାଟ କୋହଲିଙ୍କ ବାର୍ଷିକ ଆୟ ଏଥିରେ ୨୬ ନିୟୁତ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୯୬ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ଶ୍ରେଷ୍ଠ ଆୟକାରୀ କ୍ରୀଡ଼ାବିତ୍‍ଙ୍କ ତାଲିକାରେ କୋହଲି କେବଳ ଏକମାତ୍ର ଭାରତୀୟ ନୁହନ୍ତି; ସେ ହେଉଛନ୍ତି ଏକମାତ୍ର କ୍ରିକେଟର ମଧ୍ୟ।
ଫୋର୍ବସ୍‌ ପକ୍ଷରୁ ଦିଆ ଯାଇଥିବା ଆକଳନ ଅନୁଯାୟୀ, ବିରାଟ କୋହଲି କ୍ରିକେଟ୍ ଖେଳିବା ଯୋଗୁଁ ପାରିଶ୍ରମିକ ବାବଦରେ ମାତ୍ର ୨ ନିୟୁତ ଆମେରିକୀୟ ଡଲାର ବା ୧୫ କୋଟି ଟଙ୍କା ଆୟ କରିଛନ୍ତି। ତେବେ ବିଜ୍ଞାପନରୁ କୋହଲିଙ୍କ ଆୟ ହେଉଛି ୨୪ ନିୟୁତ ଆମେରିକୀୟ ଡଲାର ବା ୧୮୧ କୋଟି ଟଙ୍କା। ସୂଚନାଯୋଗ୍ୟ. ୩୧ ବର୍ଷ ବୟସ୍କ ବିରାଟ କୋହଲି ୨୦୧୮ରେ ୨୪ ନିୟୁତ ଡଲାରର ବାର୍ଷିକ ଆୟ ସହ ୮୩ତମ ସ୍ଥାନରେ ଏବଂ ୨୦୧୯ରେ ୨୫ ନିୟୁତ ଡଲାର ଆୟ ସହ ୧୦୦ତମ ସ୍ଥାନରେ ଥିଲେ। ଗତ ଏକ ଦଶନ୍ଧି ହେଲା ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍‌ର ସମସ୍ତ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ସେ ୨ୟ ସ୍ଥାନରେ ଥିବା ବେଳେ ଦିନିକିଆ ବ୍ୟାଟିଂ ମାନ୍ୟତାରେ ୧ନଂ ସ୍ଥାନରେ ରହିଛନ୍ତି। ଭାରତରେ କ୍ରିକେଟରଙ୍କ ମଧ୍ୟରେ କୋହଲିଙ୍କ ଲୋକପ୍ରିୟତା ସର୍ବାଧିକ; ଯାହା ବିଜ୍ଞାପନରୁ ତାଙ୍କ ଆୟରେ ପ୍ରତିଫଳିତ ହୋଇଛି। କୋହଲି ଏବେ ଏକ ଡଜନ୍‍ରୁ ଅଧିକ ନାମୀ ବ୍ରାଣ୍ଡ୍‍ ପାଇଁ ବିଜ୍ଞାପନ କରୁଛନ୍ତି। ବିରାଟ କୋହଲିଙ୍କ ଅନ୍ୟତମ ପ୍ରିୟ କ୍ରୀଡ଼ାବିତ୍‍ ସ୍ୱିଜରଲାଣ୍ଡର ଟେନିସ୍‍ କିମ୍ବଦନ୍ତୀ ରଜର ଫେଡେରର ଶୀର୍ଷରେ ଅଛନ୍ତି। ଟେନିସ୍‍ ଇତିହାସରେ ବିଶ୍ୱରେକର୍ଡ ସର୍ବାଧିକ ୨୦ଟି ଗ୍ରାଣ୍ଡସ୍ଲାମ୍‍ ସିଙ୍ଗଲ୍‍ସ ଟାଇଟଲର ବିଜେତା ଫେଡେରରଙ୍କ ଆୟ ୧୦୬.୩ ନିୟୁତ ଡଲାର (ପ୍ରାୟ ୮୦୨ କୋଟି ଟଙ୍କା) ବୋଲି ଦର୍ଶାଯାଇଛି। ତାଲିକାର ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି ଫୁଟବଲ ଦୁନିଆର ଦୁଇ ସବୁଠାରୁ ବଡ଼ ତାରକା କ୍ରିଷ୍ଟିଆନୋ ରୋନାଲ୍‍ଡୋ ଓ ଲିଓନେଲ ମେସି। ପର୍ତ୍ତୁଗାଲ ଫୁଟବଲ ଦଳର ଅଧିନାୟକ ତଥା ଇଟାଲୀର ପ୍ରସିଦ୍ଧ କ୍ଲବ୍‍ ଜୁଭେଣ୍ଟସ୍‍ର ତାରକା ଫରୱାର୍ଡଙ୍କ ଆୟ ୧୦୫ ନିୟୁତ ଡଲାର (ପ୍ରାୟ ୭୯୨.୩ କୋଟି ଟଙ୍କା) ବୋଲି ଫୋବ୍‍ଜ ଦର୍ଶାଇଛି। ଆର୍ଜେଣ୍ଟିନା ଫୁଟବଲ ଦଳର ଅଧିନାୟକ ତଥା ସ୍ପେନ୍‍ର ପ୍ରଖ୍ୟତ କ୍ଲବ୍‍ ବାର୍ସେଲୋନାର ଫରୱାର୍ଡ ଲିଓନେଲ ମେସିଙ୍କ ଆୟ ୧୦୪ ନିୟୁତ ଡଲାର (ପ୍ରାୟ ୭୮୫ କୋଟି ଟଙ୍କା) ବୋଲି ଦର୍ଶାଯାଇଛି। ଫୁଟବଲରୁ ପାରିଶ୍ରମିକ ଏବଂ ବିଜ୍ଞାପନର ଆୟକୁ ମିଶାଇ ଉପରୋକ୍ତ ୨ ଫୁଟବଲର୍‌ ବାର୍ଷିକ ୧୦୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ଆୟ କରୁଛନ୍ତି ବୋଲି ଫୋବ୍‍ଜ ପତ୍ରିକା ଦର୍ଶାଇଛି। ଏହାର ଶ୍ରେଷ୍ଠ ଆୟକାରୀ କ୍ରୀଡ଼ାବିତ୍‍ଙ୍କ ତାଲିକାର ଶୀର୍ଷ-୧୦ରେ ଥିବା ଅନ୍ୟ କ୍ରୀଡ଼ାବିତ୍‍ ହେଲେ ବ୍ରାଜିଲ ଫୁଟବଲ ଦଳର ତାରକା ଷ୍ଟ୍ରାଇକର ତଥା ପ୍ୟାରିସ୍‍ ସେଣ୍ଟ୍‍ ଜର୍ମେନ୍‍ କ୍ଲବ୍‍ର ଖେଳାଳି ନିଏମାର (୪ର୍ଥ), ଆମେରିକାର ୩ ବାସ୍କେଟବଲ ଖେଳାଳି ଲିବ୍ରନ୍‍ ଜେମ୍‍ସ (୫ମ), ଷ୍ଟିଫେନ୍‍ କରି (୬ଷ୍ଠ) ଓ କେଭିନ୍‍ ଡ୍ୟୁରାଣ୍ଟ (୭ମ), ଗଲ୍‍ଫ ତାରକା ଟାଇଗର ଉଡ୍‍ସ (୮ମ) ଏବଂ ଦୁଇ ଆମେରିକାନ୍‍ ଫୁଟବଲ ଖେଳାଳି କର୍କ କଜିନ୍‍ସ (୯ମ) ଓ କାର୍ସନ୍‍ ୱେଞ୍ଜ୍‍ (୧୦ମ)।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories